ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ପୂର୍ଣ ଭାଷାର ପରିଚିତି
ପାଇପାରେନି ଜଣେ ବ୍ୟକ୍ତି
ଭାଷାଂଶ କରି ବ୍ୟବହାର
ଚଳାଏ ସାହିତ୍ୟ ସଂସାର
ଭାଷାର ବଡ଼ ଶବ୍ଦକୋଷ
ପଢ଼ି କରିଲେ ସୁଦ୍ଧା ଶେଷ
ତହିଁରୁ ଆହୁରି ଅଧିକ
ଶବ୍ଦ ତ କହୁଥାଂତି ଲୋକ
ଏ ସବୁ ଗୋଟି ଗୋଟି ଗଣି
ଲେଖିରଖିଲେ ମଧ୍ୟ ଜାଣି
ପାରିବାନାହିଁ, ପୂର୍ଣଭାଷା
ବୁଝିବା ଏ ସତ୍ୟ ସହସା
ଭାଷାର ବୃଦ୍ଧି ଆଉ କ୍ଷୟ
ଚଳଇ ଯେଣୁ ଅହରହଃ
ନିଷ୍ଫଳ ସକଳ ଗଣନା
କରିହୁଏନି ମୋଟେ ମନା
ଭାଷାର ବିଶାଳ ବିସ୍ତୃତି
ତାହାକୁ କେବେ କାହା ସ୍ମୃତି
କରିବ ସତରେ ଧାରଣ
ଏହି ଭାବନା ଭିତ୍ତିହୀନ
ଯେ ଯାହା ରୁଚି ଅନୁଯାୟୀ
ନିଜର କୃତି ପାଇଁ ଦାୟୀ
ହୁଅଂତି ଭାଷୀ, ସାହିତ୍ୟରେ
ଲାଗଂତି ସମୂହ ହିତରେ
ସାହିତ୍ୟକାର ସହ ମିଶି
ପାଠକ ହୋଇଥାଂତି ଖୁସି
ରଖି ଫଟୋ ଓ ହସ୍ତାକ୍ଷର
ପୂରାଂତି ନିଜ ବାଟଘର
ଯାହାଂକ ଯେପରି ଅଭ୍ୟାସ
ତହିଁରୁ ତୃପ୍ତି ଓ ଉଲ୍ଲାସ
ପାଇ ହେଲେ ହେଁ ଆହ୍ଲାଦିତ
ସାହିତ୍ୟ ହୁଏନି ଉନ୍ନତ
Comments are closed.