ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ସୋମବାର ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରୁ ୧୧ ହଜାର ୪୬୪ଟି ନମୁନା ପରୀକ୍ଷା ପରେ ମୋଟ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
କିନ୍ତୁ ଆଶ୍ବସ୍ତକିର କଥା ହେଲା ଗତବର୍ଷ ଏହି ସମୟ ମଧ୍ୟରେ ୫,୯୮୧ଟି ପରୀକ୍ଷା କରାଯାଇଥିବା ବେଳେ ୩୫୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଯାହା ଦର୍ଶାଉଛି ଯେ ପଜିଟିଭିଟି ହାର ଗତ ବର୍ଷ ତୁଳନାରେ ଅପେକ୍ଷାକୃତ କମ୍, କାରଣ ପରୀକ୍ଷା ସଂଖ୍ୟା ଦୁଇଗୁଣ, କିନ୍ତୁ ଡେଙ୍ଗୁ କେସ ସଂଖ୍ୟା ଅଧିକ ରହିଛି।
ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର ହୋଇଥିବା ବେଳେ ରାଜଧାନୀରେ ଓଲ୍ଡ ଟାଉନ, ସାଲିଆ ସାହି, ଆଇଆରସି ଭିଲେଜ ଭଳି ୩ଟି ସ୍ଥାନରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ପରିମଳ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମହାନଗର ନିଗମ ପକ୍ଷରୁ ବ୍ୟାପକ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ କରାଯିବା ସହ ଧୂଆଁ ଦେବା କାମକୁ ଜୋରଦାର କରାଯାଇଛି।
ଡେଙ୍ଗୁ ଏକ ସଂକ୍ରମାକ ରୋଗ ଯାହା ଏଡିସ ମଶା ଦ୍ୱାରା ବ୍ୟାପିଥାଏ ଯାହା କଠିନ ପୃଷ୍ଠରେ ଓ ପରିସ୍କାର ପାଣିରେ ବଂଶ ବିସ୍ତାର କରିଥାଏ। ତେଣୁ ସ୍ୱାସ୍ଥ୍ୟ ବିଭାଗ ସମେତ ବିଏମସିର ଅଧିକାରୀମାନେ ଲୋକଙ୍କୁ ନିଜ ଆଖପାଖ ଅଞ୍ଚଳରୁ ବିଶେଷ କରି କୁଲର୍ ଓ ଟାୟାର୍ ଆଦି ସ୍ଥାନରୁ ପାଣି ନିଷ୍କାସନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ଜିଲ୍ଲା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍ଓପି) ଜାରି କରାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରଖାନା ଓ ମେଡିକାଲ କଲେଜଗୁଡ଼ିକୁ ବେଡ୍, ଔଷଧ ଓ ପ୍ଲେଟଲେଟ୍ ମହଜୁଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
Comments are closed.