Latest Odisha News

BREAKING NEWS

ମୟୂରଭଞ୍ଜରେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଜବତ, ଦୁଇ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ଏକ ୟୁନିଟକୁ ଠାବ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ମୟୂରଭଞ୍ଜ ଏସପି ବାତୁଳ ଗଙ୍ଗାଧର କହିଛନ୍ତି, ନିକଟରେ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଶିକାରୀମାନେ ଜଣେ ଫରେଷ୍ଟରଙ୍କୁ ହତ୍ୟା କରିବା ପରେ ପୁଲିସ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବା ପରେ ଏହି ବେଆଇନ ଅସ୍ତ୍ରଶସ୍ତ୍ର ୟୁନିଟ ସାମ୍ନାକୁ ଆସିଛି।

ଗୋଇନ୍ଦା ସୂଚନା ଆଧାରରେ ଚାଲିଥିବା ଏହି ଚଢାଉ ସମୟରେ ପୁଲିସ ଜଣେ ଗ୍ରାମବାସୀଙ୍କ ଘରୁ ଚାଲୁଥିବା ବେଆଇନ ଅସ୍ତ୍ରଶସ୍ତ୍ର ଉତ୍ପାଦନ ୟୁନିଟ୍କୁ ଠାବ କରିଥିଲା। ମହୁଲିଡିହା ଥାନା ଅନ୍ତର୍ଗତ ବେଜିଡିହା ଗ୍ରାମର ଜିତୁ ଲୋହାର ଏହି ୟୁନିଟ୍ ଚଳାଉଥିଲେ ବୋଲି ଏସପି କହିଛନ୍ତି। ସର୍ଚ୍ଚ ଟିମ୍ ଘରୁ ଗୋଟିଏ ବ୍ୟାରେଲ ବନ୍ଧୁକ, 4ଟି ବ୍ୟାରେଲ, 2ଟି ବ୍ୟାରେଲ ସକେଟ୍ ଓ ଗୋଟିଏ ଓ୍ବେଲ୍ଡିଂ ମେସିନ୍ ଜବତ କରିଛି।

ବର୍ତ୍ତମାନ ପୁଲିସର 4ଟି ଟିମ୍ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ଆମେ ଅସ୍ତ୍ରଶସ୍ତ୍ର ଉତ୍ପାଦନ, କାରବାର ଏବଂ ବିକ୍ରିରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଉପରେ ନଜର ରଖିବୁ ବୋଲି ଏସପି କହିଛନ୍ତି।

ଅନ୍ୟ ଏକ ଘଟଣାରେ ପୁଲିସ ସେହି ଥାନା ଅଧୀନରେ ଥିବା ଅଞ୍ଚଳରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସର୍ଚ୍ଚ ଅପରେସନ କରିଥିଲା। ଯାଞ୍ଚ ବେଳେ ପାତ୍ରପଡା ଗାଁର ମାନସିଂହ ହୋଙ୍କ ଘରୁ ବଜ୍ରକାପ୍ତା ଜବତ କରିଛି। ଉଭୟ ଜିତୁ ଓ ମାନସିଂହଙ୍କୁ ଗିରଫ କରାଯାଇଛି।

ସେହିପରି ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରୁଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସୂଚନା ଦେବାକୁ ଏସପି ନିବେଦନ କରିଛନ୍ତି। ସେ ଶିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେବା ସହ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି।

Comments are closed.