ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ଘଟଣାର ମାସକ ପରେ ବି ଭୁବନେଶ୍ୱର ଏମ୍ସରେ ୫୦ରୁ ଊର୍ଦ୍ଧ୍ୱ ମୃତ ଦେହ ପଡ଼ି ରହିଛି। ଏହି ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରରେ ୮୧ଟି ଶବ ରହିଥିଲା, ସେଥିମଧ୍ୟରୁ ୨୯ଟି ଶବକୁ ଡିଏନ୍ଏ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ୨୨ଟି ଶବ ବ୍ୟବଚ୍ଛେଦ କରାଯାଇଛି। ବିଏମସି ପକ୍ଷରୁ ଝାଡ଼ଖଣ୍ଡର ଦିନେଶ ଯାଦବ (୩୧) ଓ ବିହାରର ସୁରେଶ ରାୟ (୨୩)ଙ୍କ ଶବସତ୍କାର ସତ୍ୟ ନଗର ଶ୍ମଶାନରେ କରାଯାଇଛି।
ବାକି ୫୨ଟି ମୃତଦେହ ଏବେ ବି ଭୁବନେଶ୍ୱର ଏମ୍ସରେ ରହିଛି। ଡିଏନ୍ଏ ନମୁନା ପରୀକ୍ଷା ଫଳ ଦୁଇରୁ ତିନି ଦିନ ମଧ୍ୟରେ ଆସିବାର ସମ୍ଭାବନା ରହିଛି। ଏହାପରେ ସ୍ପଷ୍ଟ ହେବ ମୃତ ଶବର ପରିବାର ଲୋକଙ୍କ ପରିଚୟ।
ଜୁନ୍ ୨ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଏଯାଏଁ ୨୯୩ ଜଣଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନ ମଧ୍ୟରେ ଛଅ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇବା ପରେ ଏହି ସଂଖ୍ୟା ୨୮୭ରୁ ୨୯୩ ହୋଇଛି।
ଏବେ ମୃତଦେହକୁ ଚିହ୍ନଟ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେମାନେ ପୀଡ଼ିତାଙ୍କ ପରିବାରକୁ ପରାମର୍ଶ ଦେବା ସହ ସହଯୋଗ ମଧ୍ୟ କରୁଛନ୍ତି। ଏହି ଟ୍ରେନ ଦୁର୍ଘଟଣା ଅନେକ ଲୋକଙ୍କ ଜୀବନ ନେଇଛି। ପ୍ରଶାସନ ପକ୍ଷରୁ ବିପନ୍ନ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଉଦ୍ୟମ ଜାରି ରହିଛି।
Comments are closed.