ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଚୀନକୁ ଝଟକା ଦେଲା ଭାରତ। ଚୀନ୍ର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ) ପ୍ରକଳ୍ପକୁ ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି। ଭାରତ ହେଉଛି ଏସସିଓର ଏକମାତ୍ର ସଦସ୍ୟ ଯିଏ ଚୀନ୍ର ବିଆରଆଇକୁ ସିଧାସଳଖ ବିରୋଧ କରିଛି ଏବଂ ଏହାକୁ ସମର୍ଥନ କରିବାକୁ ମନା କରିଦେଇଛି। ଯେତେବେଳେ କି ଅନ୍ୟ ସମସ୍ତ ଦେଶ ବିଆରଆଇକୁ ସମର୍ଥନ କରିଛନ୍ତି।
ଚୀନ୍ର ଉଚ୍ଚାଭିଳାଷୀ ‘ବେଲ୍ଟ ଆଣ୍ଡ ରୋଡ୍’ ପ୍ରକଳ୍ପ (ବିଆରଆଇ) ଅନେକ ଦେଶ ଦେଇ ଗତି କରୁଛି। ଭାରତ ଏହାକୁ ସାର୍ବଭୌମତ୍ୱ ପ୍ରତି ବିପଦ ବୋଲି କହିଛି। ମଙ୍ଗଳବାର ଭାରତ ଏସସିଓ ଶିଖର ସମ୍ମିଳନୀରେ ଏହାକୁ ସମର୍ଥନ କରିବାକୁ ମନା କରିଦେଇଛି। ଭାରତରେ ଆୟୋଜିତ ଭର୍ଚୁଆଲ ଏସସିଓ ଶିଖର ସମ୍ମିଳନୀ ଅନ୍ତରେ ଘୋଷଣା କରାଯାଇଛି ଯେ ଋଷ, ପାକିସ୍ଥାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ବିଆରଆଇକୁ ସମର୍ଥନ କରିଛି।
ଏହି ଘୋଷଣା ଅନୁଯାୟୀ, ଚୀନ୍ର ‘ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍’ (ବିଆରଆଇ) ପଦକ୍ଷେପକୁ ସମର୍ଥନ ଜଣାଇ କାଜାଖସ୍ତାନ, କିର୍ଗିଜ୍ ରିପବ୍ଲିକ୍, ପାକିସ୍ଥାନ, ଋଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ମିଳିତ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ସହମତି ପ୍ରକାଶ କରିଛନ୍ତି। ଯେଉଁଥିରେ ଇଉରାସିଆନ୍ ଇକୋନୋମିକ୍ ୟୁନିଅନ୍ ଏବଂ ବିଆରଆଇ ଗଠନ ପାଇଁ ଚାଲିଥିବା କାର୍ଯ୍ୟ ସାମିଲ ରହିଛି।
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୋଗକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ମଧ୍ୟ ଏଭଳି ଉଦ୍ୟମ କରିବାବେଳେ ଏସସିଓ ଚାର୍ଟାର ମୌଳିକ ନୀତିକୁ ବିଶେଷ କରି ସଦସ୍ୟ ରାଷ୍ଟ୍ରମାନଙ୍କର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଆବଶ୍ୟକ ବୋଲି କହିଥିଲେ। ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ତାଙ୍କ ଋଷର ପ୍ରତିପକ୍ଷ ଭ୍ଲାଦିମିର ପୁଟିନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ସଂଗଠନର ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ଯୋଗ ଦେଇଥିଲେ। ଚୀନ୍ର ବିଆରଆଇ ପ୍ରକଳ୍ପକୁ ଭାରତ ଗ୍ରହଣ କରିବାକୁ ମନା କରିଦେଇଛି।
ପାରସ୍ପରିକ ଚୁକ୍ତିନାମା ଅନୁଯାୟୀ BRI ର ଆଗ୍ରହୀ ସଦସ୍ୟ ଦେଶମାନଙ୍କ ଦ୍ୱାରା ଜାତୀୟ ମୁଦ୍ରାର ଅଂଶରେ ଧୀରେ ଧୀରେ ବୃଦ୍ଧି ହେବାର ଏକ ରୋଡ୍ ମ୍ୟାପ୍ କାର୍ଯ୍ୟକାରୀ କରିବା ସପକ୍ଷରେ କହିଥିଲେ। ଘୋଷଣାନାମା ଅନୁଯାୟୀ, ‘ଆଗ୍ରହୀ ସଦସ୍ୟ ରାଷ୍ଟ୍ର’ ଦ୍ୱାରା ଗ୍ରହଣ କରାଯାଇଥିବା SCO ଅର୍ଥନୈତିକ ବିକାଶ କୌଶଳ ୨୦୩୦ ର କାର୍ଯ୍ୟକାରିତାକୁ ନିଶ୍ଚିତ କରିବାକୁ ତଥା ଡିଜିଟାଲ ଅର୍ଥନୀତି, ଉଚ୍ଚ ପ୍ରଯୁକ୍ତିବିଦ୍ୟା ଏବଂ ସଡକ ପାଇଁ ବିଦ୍ୟମାନ ଆନ୍ତର୍ଜାତୀୟ ମାର୍ଗର ଆଧୁନିକୀକରଣ ଭଳି କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବାକୁ ସଦସ୍ୟ ରାଷ୍ଟ୍ରମାନେ ସହମତ ହୋଇଥିଲେ। ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।
Comments are closed.