Latest Odisha News

୮୦ ଫୁଟ ତଳକୁ ଖସି ପଡିଲା ବସ୍; ୨୭ ମୃତ

ମେକ୍ସିକୋ:ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ ଦୁର୍ଗମ ପାହାଡିଆ ରାସ୍ତାରେ ଯାଉଥିବେବେଳେ ଖାଇକୁ ଖସିପଡିଛି । ଫଳରେ ଅତିକମରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ବୁଧବାର ମେକ୍ସିକୋର ଦକ୍ଷିଣ ପ୍ରାନ୍ତରେ ଥିବା ଓକ୍ସାକାରେ ଘଟିଛି ।   ଦୁର୍ଘଟଣାରେ ୧୭ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି  । ପୋଲିସ ଘଟଣାର ଯାଞ୍ଚ କରୁଛି ।

ମେକ୍ସିକୋର ସାଧାରଣ ସୁରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ୧୭ ଆହତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଅତି ଗୁରୁତର ଅଛି । ସ୍ଥାନୀୟ ପରିବହନ କମ୍ପାନୀ ଦ୍ୱାରା ପରିଚାଳିତ ବସଟି ମଙ୍ଗଳବାର ରାତିରେ ରାଜଧାନୀ ମେକ୍ସିକୋ ସିଟିରୁ ବାହାରିଥିଲା । ସାଣ୍ଟିଆଗୋ ଡି ୟୋସୋନ୍ଦୁଆ ସହର ଅଭିମୁଖେ ଯାଉଥିଲା ବସ । ତେବେ ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସଟି ୮୦ ଫୁଟର ଖାଇ ତଳକୁ ଖସି ପଡିଥିଲା  । ଦୁର୍ଘଟଣା ପାହାଡି ଇଲାକାରେ ଥିବା ମୈଗଡାଲୋନା ପେନାସ୍କୋ ସହରରେ ଘଟିଛି  । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ବସଟି ସମ୍ପର୍ଣ୍ଣ ନଷ୍ଟ ହୋଇ ଯାଇଛି । ବସକୁ କାଟି ଲୋକଙ୍କୁ ଉଦ୍ଧାର କରାଯାଉଛି ।

ଦୁର୍ଘଟଣା ଖବର ଶୁଣିବା ପରେ ରାଜ୍ୟର ଗଭର୍ଣ୍ଣର ସାଲୋମନ ଜାରା ମୃତକଙ୍କ ପରିବାର ପ୍ରତି ସମ୍ବେଦନ ବ୍ୟକ୍ତି କରିଛନ୍ତି । ସୋସିଆଲ ମିଡିଆରେ ଏକ ଶୋକବାର୍ତ୍ତା ଦେଇ ରାଜ୍ୟପାଳ କହିଛନ୍ତି, ଆମେ ଏହି ଘଟଣାରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଆମର ସରକାରୀ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆହତ ଲୋକଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି ।

Comments are closed.