ସମ୍ବଲପୁର: ଦିନେ ଭାଗବାନ କୁନି ଶିଶୁ ଖୁସିଠୁ ତା’ ବାପାମା’ଙ୍କୁ ଛଡ଼ାଇ ନେଇଥିଲେ । ଆଜି ଆପଣାଇନେଲେ ଫିନଲ୍ୟାଣ୍ଡ ମହିଳା । ସମ୍ବଲପୁର ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନାଥ ଶିଶୁ ଖୁସିକୁ ମିଳିଛି ମା’ଙ୍କ ପରିଚୟ । ଆଜି ପାଖରେ ମା’ଙ୍କୁ ପାଇ ଖୁସିରେ ଆତ୍ମହରା ଖୁସି । ଶିଶୁ କନ୍ୟା ଖୁସିକୁ ଆପଣାଇଛନ୍ତି ଫିନଲାଣ୍ଡ ମହିଳା ଲୌରା ଏଲେନା | ଖୁସି ଏବେ ସମ୍ବଲପୁରରୁ ଯିବ ସୁଦୂର ଫିନଲାଣ୍ଡ । ଅନ୍ତର୍ଦେଶୀୟ ପୋଷ୍ୟ ନିୟମ ଅନୁସାରେ ଆଜି ଖୁସିକୁ ତାର ନୂତନ ମା’ଙ୍କୁ ହସ୍ତାନ୍ତର କରାଯାଇଛି | ଶିଶୁକୁ କୋଳେଇ ନେଇ ଫିନଲାଣ୍ଡ ମହିଳା ଅତ୍ୟନ୍ତ ଆନନ୍ଦିତ ହୋଇଛନ୍ତି |
ଏହି ଅବସରରେ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ଏବଂ ଜିଲ୍ଲାପାଳ ଅନନ୍ୟା ଦାସ ଶିଶୁର ନୂତନ ମା’ ଲୌରାଙ୍କ ସହ ସମସ୍ତ ବିଷୟ ଆଲୋଚନା କରି ଶିଶୁକୁ ଲୌରାଙ୍କୁ ହସ୍ତାନ୍ତର କରିଥିଲେ ଏବଂ ଶିଶୁ କନ୍ୟାର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଫିନଲାଣ୍ଡ ମହିଳା, ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ଏବଂ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଡେପୁଟି କଲେକ୍ଟର ମିତାଲି ମଧୁସ୍ମିତା ଦଳେଇ, ଲୋପାମୁଦ୍ରା କାଲୋ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଚିସ୍ମିତା ପଟ୍ଟନାୟକ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।
Comments are closed.