ହରିୟାଣା: ଅଢେଇ ମିନିଟ୍ରେ ଭାଙ୍ଗିଲେ ୩୦୦ ନଡ଼ିଆ । ତାହାପୁଣି କୌଣସି ହାତୁଡ଼ିରେ ନୁହେଁ, ହାତରେ । ଆଉ ବିଶ୍ୱ ରେକର୍ଡ଼ ବି କରିଲେ । ଏହା ଅବିଶ୍ୱାସ ଲାଗୁଥିଲେ ବି ଘଟଣାଟି ସତ । ହରିୟାଣାର ଆଦିଲ ନାମକ ଜଣେ ବ୍ୟକ୍ତି ଏପରି କରି ଚର୍ଚ୍ଚାକୁ ଆସିଛନ୍ତି ।
ହରିୟାଣାର ନୁହ ଜିଲା ହିରମାଥାଲା ଗ୍ରାମର ବାସିନ୍ଦା ଆଦିଲ । ଆଦିଲ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି, ମାତ୍ର ଅଢ଼େଇ ମିନିଟ୍ରେ ୩୦୦ ନଡ଼ିଆ ଭାଙ୍ଗିବା । ବିଶେଷ କଥା ହେଉଛି ଆଦିଲ କୌଣସି ହାତୁଡ଼ି କିମ୍ବା ପଥରର ସାହାଯ୍ୟ ନ ନେଇ ନିଜ ହାତରେ ଏସବୁ ନଡ଼ିଆ ଭାଙ୍ଗିଛନ୍ତି । ଏପରି କାର୍ଯ୍ୟ ପାଇଁ ଆଦିଲଙ୍କ ପାଖକୁ ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି । ଅଢ଼େଇ ମିନିଟ୍ରେ ୩୦୦ ନଡ଼ିଆକୁ ଅତି ସହଜରେ ଭାଙ୍ଗି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।
ହିରମାଥାଲା ଗାଁର ଆଦିଲଙ୍କ ଖାଦ୍ୟ ଓ ଜୀବନଶୈଳୀ ପୁରା ସରଳ । କିନ୍ତୁ ପ୍ରକୃତି ତାଙ୍କୁ ହାତୀର ଶକ୍ତି ସହିତ ସମାନ ଶକ୍ତି ଦେଇଛି । ସେ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଆଦିଲ ଦାନ୍ତରେ ଖୁବ୍ ସହଜରେ ଟ୍ରାକ୍ଟରକୁ ଟାଣି ପାରନ୍ତି । ଆଉ ଏହି ସମୟରେ ସେ ଛାତିରେ ହାତୁଡ଼ିରେ ଆଘାତ କରନ୍ତି । ସତେ ଯେପରି ଏହା ମାନବ ଶରୀର ନୁହେଁ ବରଂ ଏକ ପଥର ଶରୀର । ଏହାଦ୍ୱାରା ସେ ଶରୀରରେ କୌଣସି ପ୍ରକାର ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ । କେବଳ ଏତିକି ନୁହେଁ ସେ ତାଙ୍କ ପିଠିରେ ଏକ ବଡ଼ ଟ୍ରାକ୍ଟର ଟାୟାର ରଖିବା ଓ ତା ଉପରେ ଅନ୍ୟ ଜଣକୁ ହାତୁଡ଼ିରେ ପିଟିବାକୁ କୁହନ୍ତି । ଆଦିଲଙ୍କ ଏପରି ଷ୍ଟଣ୍ଟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।
Comments are closed.