Latest Odisha News

BREAKING NEWS

ଶୀତ ଆରମ୍ଭରୁ ଉତ୍ତର ଭାରତ ଓ ପାକିସ୍ତାନରେ ବଢ଼ିଲା ପ୍ରଦୂଷଣ, ମହାକାଶରୁ ଦିଶିଲା ଧୂଆଁ ଓ ଧୂଳିର ମୋଟା ଆସ୍ତରଣ

ନୂଆଦିଲ୍ଲୀ: ଶୀତ ଋତୁର ଆଗମନ ସହିତ ଉତ୍ତର ଭାରତ ଓ ପାକିସ୍ତାନରେ ପ୍ରଦୂଷଣ ସମସ୍ୟା ଗମ୍ଭୀର ରୂପ ନେବାରେ ଲାଗିଛି। ପ୍ରଦୂଷଣର ପ୍ରଭାବ ଏତେ ବ୍ୟାପକ ହୋଇଛି ଯେ, ମହାକାଶରୁ ଉତ୍ତୋଳିତ ଚିତ୍ରରେ ମଧ୍ୟ ଧୂଆଁ ଓ ଧୂଳିର ମୋଟା ଆସ୍ତରଣ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ନାସାର ଏକ ସାଟେଲାଇଟ ଏହି ସମଗ୍ର ଅଞ୍ଚଳର ଚିତ୍ର ଉତ୍ତୋଳନ କରିଛି। ଏଥିରେ ଭାରତ ଓ ପାକିସ୍ତାନର ବିସ୍ତୃତ ଅଞ୍ଚଳ ପ୍ରଦୂଷଣର ଚାଦରରେ ଢାଙ୍କି ହୋଇ ରହିଥିବା ଦେଖାଯାଇଛି।

ଏହି ଚିତ୍ରରୁ ସ୍ପଷ୍ଟ ହୋଇଛି ଯେ, ଶୀତଦିନେ ପ୍ରଦୂଷଣ ସମସ୍ୟା କେବଳ ଦିଲ୍ଲୀ ଭଳି ବଡ଼ ସହରରେ ସୀମିତ ନାହିଁ, ବରଂ ଏହା ସମଗ୍ର ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ।

ରିପୋର୍ଟ ଅନୁଯାୟୀ, ନାସାର ମଡରେଟ୍ ରିଜୋଲ୍ୟୁସନ୍ ଇମେଜିଂ ସ୍ପେକ୍ଟ୍ରୋରାଡିଓମିଟର (MODIS) ଦ୍ୱାରା ଏହି ଚିତ୍ର ଉତ୍ତୋଳନ କରାଯାଇଛି। ନାସାର ଫାୟାର ଇନଫରମେସନ୍ ଫର୍ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍ (FIRMS) ଜରିଆରେ ଏହାକୁ ଉପଲବ୍ଧ କରାଯାଇଛି।

ଏହି ସାଟେଲାଇଟ ଚିତ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିସ୍ତୃତ ସିନ୍ଧୁ-ଗଙ୍ଗା ସମତଳ ଅଞ୍ଚଳ ଉପରେ ଧୂସର ରଙ୍ଗର ଘନ କୁହୁଡ଼ିର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳିଛି। ପାକିସ୍ତାନରୁ ଆରମ୍ଭ ହୋଇ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳ ଦେଇ ଦେଶର ପୂର୍ବ ଭାଗ ପର୍ଯ୍ୟନ୍ତ ଏହି ଧୂଆଁ ଓ କୁହୁଡ଼ିର ଆସ୍ତରଣ ଲମ୍ବିଥିବା ଚିତ୍ରରୁ ସ୍ପଷ୍ଟ ହୋଇଛି। ବିଶେଷକରି ପଞ୍ଜାବ, ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ସମେତ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣର ଘନତା ଅଧିକ ଥିବା ଦେଖାଯାଇଛି।

ଅନ୍ୟପକ୍ଷରେ, ସାଟେଲାଇଟ ଚିତ୍ରର ଉତ୍ତର ଭାଗରେ ହିମାଳୟ ପର୍ବତମାଳା ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି। ଗୋଟିଏ ପଟେ ବରଫ ଆଚ୍ଛାଦିତ ପର୍ବତଶ୍ରେଣୀ ଏବଂ ଅନ୍ୟପଟେ ପ୍ରଦୂଷଣର ଘନ ଆସ୍ତରଣରେ ଢାଙ୍କି ହୋଇଥିବା ସମତଳ ଅଞ୍ଚଳର ଦୃଶ୍ୟ ଏହି ସମସ୍ୟାର ଭୟାବହତା ଓ ବ୍ୟାପକତାକୁ ସ୍ପଷ୍ଟ କରୁଛି।

ଏହି ଚିତ୍ରରେ ବିଭିନ୍ନ ସ୍ଥାନରେ ଲାଲ ରଙ୍ଗର ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି। ସାଟେଲାଇଟ ଦ୍ୱାରା ଚିହ୍ନଟ ହୋଇଥିବା ନିଆଁ ଲାଗିବା ଘଟଣାଗୁଡ଼ିକୁ ଏହି ଲାଲ ଚିହ୍ନ ସୂଚାଉଛି। ଏଥିରେ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ କୃଷିପ୍ରଧାନ ଅଞ୍ଚଳ ମଧ୍ୟ ସାମିଲ ରହିଛି। ଏହି ନିଆଁ ଲାଗିବାର ଚିହ୍ନଗୁଡ଼ିକ ନଡ଼ା ଓ ଫସଲ ଅବଶେଷ ପୋଡ଼ିବା ଘଟଣା ସହ ମେଳ ଖାଉଛି। ପ୍ରତିବର୍ଷ ଶୀତଋତୁରେ ନଡ଼ା ପୋଡ଼ିବା ଯୋଗୁଁ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥାଏ। ଏହା ଉତ୍ତର ଭାରତରେ ବଢ଼ୁଥିବା ପ୍ରଦୂଷଣର ଏକ ପ୍ରମୁଖ କାରଣ ପାଲଟିଥାଏ।

Leave A Reply

Your email address will not be published.