Latest Odisha News

BREAKING NEWS

କଲେଜ ଓ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା Wi-Fi, ପ୍ରତିଦିନ ୧ ଜିବି…

ଭୁବନେଶ୍ୱର: ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏବେ ମାଗଣା ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ଶିକ୍ଷାନେଟ୍’ ଯୋଜନାକୁ ଅନୁମୋଦନ ମିଳିଛି।

ଏହି ପ୍ରମୁଖ ଯୋଜନା – “ଓଡ଼ିଶା ଶିକ୍ଷାନେଟ୍ – ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ମାଗଣା ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସଶକ୍ତିକରଣ” – କୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ତିନି ବର୍ଷ (ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୨୮-୨୯) ମଧ୍ୟରେ ଏଥିପାଇଁ ମୋଟ ୩୯୩.୬୨ କୋଟି ଟଙ୍କା ବ୍ୟୟ କରାଯିବ।

ପୂର୍ବରୁ ୧୩୦ଟି କଲେଜରେ ସଫଳତାର ସହ କାର୍ଯ୍ୟକାରୀ ହୋଇଥିବା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ଆଧାର କରି, ଏହି ଯୋଜନା ଅଧୀନରେ ଓଡ଼ିଶାର ୬୦୧ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ମାଗଣା, ସୁରକ୍ଷିତ ଏବଂ ଦ୍ରୁତ ଗତିର ୱାଇ-ଫାଇ ସୁବିଧା ଯୋଗାଇ ଦିଆଯିବ। ପ୍ରତ୍ୟେକ ପ୍ରମାଣିତ ଛାତ୍ରଛାତ୍ରୀ କ୍ୟାମ୍ପସ୍ ମଧ୍ୟରେ ଶିକ୍ଷାଗତ, ଗବେଷଣା ଏବଂ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଡାଟା ପାଇପାରିବେ।

ଏହି ପ୍ରକଳ୍ପରେ ୱାଇ-ଫାଇ ଭିତ୍ତିଭୂମି ସ୍ଥାପନ, ବ୍ୟାଣ୍ଡୱିଡଥ୍ (bandwidth) ଯୋଗାଣ, ନେଟୱାର୍କ ପରିଚାଳନା, ସାଇବର ସୁରକ୍ଷା ତଥା ପରିଚାଳନା ଓ ରକ୍ଷଣାବେକ୍ଷଣ ସହାୟତା ଅନ୍ତର୍ଭୁକ୍ତ ରହିଛି। ଏକ କେନ୍ଦ୍ରୀକୃତ ମନିଟରିଂ ଡ୍ୟାସବୋର୍ଡ ମାଧ୍ୟମରେ ସେବାର ଦକ୍ଷ ପ୍ରଦାନ, ନେଟୱାର୍କ ସୁରକ୍ଷା, ନିରବଚ୍ଛିନ୍ନ ସେବା (uptime) ଏବଂ ସମ୍ବଳର ଉପଯୁକ୍ତ ଉପଯୋଗ ନିଶ୍ଚିତ କରାଯିବ।

ଏହି ସୁବିଧା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଭର୍ଚୁଆଲ୍ କ୍ଲାସରୁମ୍, ‘ସ୍ୱୟମ୍’ (SWAYAM) ଓ ଅନ୍ୟାନ୍ୟ MOOCs (ମୁକ୍ତ ଅନଲାଇନ୍ ପାଠ୍ୟକ୍ରମ), ଗବେଷଣା ତଥ୍ୟଭଣ୍ଡାର, ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ବିଷୟରେ ପଢ଼ିପାରିବେ।

Leave A Reply

Your email address will not be published.