ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭିଡ଼ରେ ସଭିଏଁ କହଂତି
କେହି ବି ଶୁଣି ନ ପାରଂତି
ଅନେକେ ହୋଇ ଏକମେଳ
ସୃଷ୍ଟି କରଂତି କୋଳାହଳ
ମିଳେନି କିଛି ଫଳାଫଳ
ତେବେ ବି ହରାଇ ସଂବଳ
ସଭିଏଁ କରି ଚଳାଚଳ
ଅଂଗରୁ ନିଗାଡ଼ଂତି ଝାଳ
ଲୋକଂକ ଏମିତି ସ୍ବଭାବ
ଯୋଗୁଁ ହି ଘୁଂଚୁନି ଅଭାବ
ସଭିଏଁ ବୁଝି ଆଉ ଜାଣି
କରୁଥାଆଂତି ନିଜ ହାନି
ପେଟରେ ଥିଲେ ସୁଦ୍ଧା ଭୋକ
ମନୋରଂଜନ-ପ୍ରେମୀ ଲୋକ
ତୁଂଡରୁ ଫିଟାଇ ବଚନ
ବିଭ୍ରାଂତ କରୁଥାଂତି ମନ
ଉପାର୍ଜନରୁ ବେଶି ବ୍ୟୟ
କରିବା ନିମଂତେ ଉପାୟ
କରଂତି ସେମାନେ ବାହାର
ବନିଯାଆଂତି ଲାଂଚଖୋର
ଦେଖାଇ ହେବା ପାଇଁ ମନ
କରଂତି ଯେଣୁ ପ୍ରତିଦିନ
ଅନାବଶ୍ୟକ ଅଳଂକାର
ପଡ଼ଇ ନିତି ଦରକାର
ଏକୁଟିଆ ହେବାକୁ ଡରି
କର୍ତବ୍ୟ ଦିଏ ଯେ ପାସୋରି
କରେ ସେ ଲୋକଂକୁ ସଂତୁଷ୍ଟ
ନିଜେ ପାଲଟିଯାଏ ଭ୍ରଷ୍ଟ
ପାଖର ବଜାରକୁ ଯାଇ
କିଛି କେବେ କିଣଂତିନାହିଁ
ଅମୂଲ୍ୟ କାଳ ଦେଇ ସାରି
ଘରକୁ ଆସିଥାଂତି ଫେରି
ଏପରି ଲୋକଂକର ସଂଖ୍ୟା
କେତେ ଯେ ବଢ଼ୁଛି ଅବିକା
କରୁଁ ବା ନ କରୁଁ ଗଣନା
ସବୁ ପଡ଼ୁଛି ସ୍ପଷ୍ଟ ଜଣା
ଭିଡ଼ର ଅଂଶ ହୋଇ ଯିଏ
ନିଜତ୍ବ ନଷ୍ଟ କରିଦିଏ
ସେ ଥିବା, ନ ଥିବା ସମାନ
ପୂରା ବିଶ୍ବକୁ ଅପମାନ
ପ୍ରକୃତି-ଦତ୍ତ ଅନନ୍ୟତା
ରକ୍ଷା କରିଲେ ବ୍ୟକ୍ତିସତ୍ତା
ତାହାର କୃତି, ଅବଦାନ
ବିଶ୍ବକୁ କରେ ଶ୍ରୀସଂପନ୍ନ
Comments are closed.