Latest Odisha News

ପରକୀୟା ପ୍ରୀତି ଉଜାଡି ଦେଲା ସଂସାର: ହକ ପାଇଁ ଶାଶୂଘର ଦୁଆରେ ଅନଶନରେ ବସିଲେ ମାନୀନି

ଜଗତସିଂହପୁର:  ହକ୍ ପାଇଁ ଲଢେଇ । ଶାଶୂ ଘର ଲୋକଙ୍କ ବିରୋଧରେ ଅନଶନ । ଶାଶୂ ଘରେ ଜାଗା ଟିକେ ଦେଲେନି । ଦାଣ୍ଡରେ ବସି ହକ ମାଗିଲେ ଘରର ବୋହୂ । ଚାରିଦିନ ବିତିଗଲାଣି । ହେଲେ ତାଙ୍କ ପାଇଁ କବାଟଖୋଲୁନି । ଘରେ ତାଲା ପକେଇ କୁଆଡେ ଚାଲି ଯାଇଛନ୍ତି ଦେଢଶୁର, ଯାଆ ଓ ସ୍ୱାମୀ । ତଥାପି ନିଜ ଜିଦରେ ଅଟଳ ମାନିନୀ । ସେମିତି ବସିଛନ୍ତି ଶାଶୂଘର ଦୁଆର ମୁହଁରେ । ଏ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଗ୍ରାମ ଗୁଡିଆ ସାହିରେ ।

କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର କିଶୋର ସାହୁଙ୍କ ଝିଅ ମାନିନୀ ଗତ ୨୦୨୧ମସିହା ଜୁଲାଇ ୧୩ ତାରିଖରେ ବୈଦିକ ରୀତିରେ ତିର୍ତ୍ତୋଲ ଗୁଡ଼ିଆ ସାହି ବାସିନ୍ଦା ରଘୁନାଥ ସାହୁଙ୍କ ସାନପୁଅ ଗୋପାଳ ସାହୁ ଓରଫ ଗଣେଶଙ୍କୁ ବିବାହ କରିଥିଲେ। ବିବାହ ସମୟରେ ମାନିନୀଙ୍କ ବାପା ନିଜ ସାଧ୍ୟ ମୁତାବକ ସୁନା ଗହଣା, ଆସବାବତ୍ର ଓ ନଗଦ ଏକଲକ୍ଷ ଟଙ୍କା ଯୌତୁକ ଦେଇ ଝିଅକୁ ଶାଶୁଘରକୁ ପଠାଇଥିଲେ।

ହେଲେ ଦିନ କେଇଟାରେ ଉଜୁଡି ଯାଇଥିଲା ମାନୀନିଙ୍କ ଘରସଂସାରର ସ୍ୱପ୍ନ ।  ପରକୀୟା ପ୍ରୀତି ଉଜାଡି ଦେଇଥିଲା ତାଙ୍କ ସୁନାସଂସାର। ଶାଶୁଘର ପାଲଟିଗଲା ଯନ୍ତ୍ରଣାର କାରାଗାର ।  ପାଦ ଥାପିବାର ଦିନ କେଇଟା ନଯାଉଣୁ  ମାନିନୀଙ୍କ ଉପରେ  ଆରମ୍ଭ ହୋଇଥିଲା ଅତ୍ୟାଚାର  । ଏ ନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମାନିନୀ। ସେ ସ୍ୱାମୀ ଗୋପାଳଙ୍କ ବିରୋଧରେ ଆଣିଥିଲେ ପରକୀୟା ପ୍ରୀତି ଅଭିଯୋଗ।

ସ୍ୱାମୀ ଗଣେଶଙ୍କ ସହ ତାଙ୍କ  ଭାଉଜରଙ୍କର ଅନୈତିକ ସମ୍ପର୍କ ଥିବା ଅଭଯୋଗ ଆଣିଥିଲେ ମାନୀନି ।   ଏହାର ପ୍ରତିବାଦ କରିବାରୁ ସ୍ୱାମୀ, ଯାଆ ଓ ଦେଢଶୁର ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଥାନାରେ ଏତଲା ଦେଇଛନ୍ତି ମାନିନୀ। ଅଧିକ ଯୌତୁକ ଦାବି କରି ମାନିନୀକୁ ଶାଶୁଘର ଲୋକେ ଶାରିରୀକ,ମାନସିକ ନିର୍ଯାତନା ଦେବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ।   ଏଥି ସହ ଘରୁ ମଧ୍ୟ ତଡି ଦେଇଥିଲେ ସ୍ୱାମୀ ଗୋପାଳ ସାହୁ, ଯାଆ ଅଞ୍ଜନା  ଓ ଦେଢଶୁର ଯଦୁମଣି ।

ଏ ନେଇ ତିର୍ତ୍ତୋଲ ଥାନାରେ ଗତ ଜୁନ ୨୩ତାରିଖରେ ଏତଲା ଦେଇଥିଲେ ମାନିନୀ। ତିର୍ତ୍ତୋଲ ଥାନା ପକ୍ଷରୁ୨୯୩/୨୩ରେ ମାମଲା ରୁଜୁ ହୋଇଥିଲା  । ହେଲେ ଆଜିଯାଏ କିଛି ବି କାର୍ଯ୍ୟାନୁଷ୍ଠାନ ନେଇନି ପୋଲିସ । ବରଂ  ଅଭିଯୁକ୍ତମାନଙ୍କୁ ଖସିଯିବାରେ ପୋଲିସ ସହଯୋଗ କରୁଛି ବୋଲି ମାନିନୀ ଅଭିଯୋଗ କରିଛନ୍ତି।

ପୋଲିସଠାରୁ ହତାଶ ହେବା ପରେ ସୋମବାର ରାତି ଠାରୁ ଶାଶୁଘର ଆଗରେ ଧାରଣାରେ ବସି ରହିଛି ଏହି  ମାନିନୀ। ଅନେକ ଥର ସ୍ୱାମୀଙ୍କୁ ବୁଝାଇବାକୁ ଚେଷ୍ଟା କରି ମାନିନୀ ବିଫଳ ହେବା ସହ ଦେଢଶୁରଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣି ନଥିଲେ। ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ମାନିନୀଙ୍କ ବାପା ଜଣାଇଥିଲେ।ପଞ୍ଚାୟତ ରେ ଅନେକ ବୁଦ୍ଧିଜୀବୀ ବସି ବିଚାର କରିବା ସହ ସରପଞ୍ଚ ଉଭୟଙ୍କୁ ବୁଝାଶୁଝା କରି ବୋହୁକୁ ଘରକୁ ନେବପାଇଁ କହିଥିଲେ ।  ତଥାପି ପଞ୍ଚାୟତ କଥାକୁ ମାନି ନଥିଲେ ଶାଶୁଘର ଲୋକ। ତେଣୁ ବାଧ୍ୟ ହୋଇ  ଖରାବର୍ଷାରେ ଶାଶୂଘର ଦୁଆରେ ପଡି ରହିଛନ୍ତି ମାନିନୀ ।

Comments are closed.