ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଆଦିବାସୀଙ୍କ ଉପରେ ଉଭୟ କଂଗ୍ରେସ ଓ ବିଜେପି ନଜର ପକାଇଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆଦିବାସୀ ସମ୍ପ୍ରଦାୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି।
ସେଥିପାଇଁ ଉଭୟ ପ୍ରମୁଖ ଦଳ ଆଦିବାସୀ ସିଟ ଗୁଡିକୁ ନିଜ ପକ୍ଷକୁ ଆଣିବାକୁ ସବୁ ଯୋଜନା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏସବୁ କ୍ଷେତ୍ର ଗସ୍ତ କରି ଦଳ ସପକ୍ଷରେ ବାତାବରଣ ପ୍ରସ୍ତୁତ କରୁଛନ୍ତି।
କିନ୍ତୁ ଆଦିବାସୀ ଯୁବକଙ୍କ ଉପରେ ବିଜେପି କାର୍ଯ୍ୟକର୍ତା କୁହାଯାଉଥିବା ଜଣେ ବ୍ୟକ୍ତିଙ୍କର ପରିସ୍ରା କାଣ୍ଡ ବିଜେପି ବ୍ୟାକଫୁଟରେ ରହିଛି। କିନ୍ତୁ ଉଭୟ ଦଳ ମଧ୍ୟପ୍ରଦେଶରେ ମିଶନ ୪୭ ପାଇଁ କାର୍ଯ୍ୟ କରୁଛନ୍ତି।
ମଧ୍ୟପ୍ରଦେଶରେ ଆଦିବାସୀଙ୍କ ପାଇଁ ୪୭ ଟି ସଂରକ୍ଷିତ ସିଟ ରହିଛି। ଯେଉଁ ସିଟରେ ଜିତିଲେ ସରକାର ଗଢିବା ପାଇଁ ଦ୍ୱାର ଖୋଲେ ବୋଲି କୁହାଯାଏ।
ଏସବୁ ସିଟରେ ଜିତିବାକୁ କଂଗ୍ରେସ ସେହି ଅଞ୍ଚଳରେ ରାହୁଲ ଗାନ୍ଧୀଙ୍କର ବଡ଼ ସଭା କରିବାକୁ ଯୋଜନା କରିଛି। ମଧ୍ୟପ୍ରଦେଶ ରାଜନୀତିରେ ଆଦିବାସୀ ଭୋଟର ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛନ୍ତି।
୨୦୦୩ ମସିହାରୁ ଆରମ୍ଭ କରି ୨୦୦୮, ୨୦୧୩ ରେ ଆଦିବାସୀ ଭୋଟ ପାଇଁ ବିଜେପି ଶାସନକୁ ଆସିଥିଲା। ୨୦୧୮ ମସିହାରେ ଆଦିବାସୀ ଭୋଟ କଂଗ୍ରେସ ପକ୍ଷକୁ ଯିବାରୁ ୧୫ ବର୍ଷ ଶାସନ ପରେ ମଧ୍ୟ ବିଜେପି ହାରିବା ସହ କଂଗ୍ରେସ ନିର୍ବାଚନ ଜିତି ସରକାର ଗଢିଥିଲା।
ଆଦିବାସୀଙ୍କ ପାଇଁ ସଂରକ୍ଷିତ ୪୭ ସିଟ ମଧ୍ୟରୁ କଂଗ୍ରେସ ୩୦ ଟି ସିଟରେ ଜିତିଥିବାବେଳେ ବିଜେପି ୧୬ ଟି ସିଟ ରେ ଜିତିଥିଲା। ଏହି ୪୭ ସିଟକୁ ମିଶାଇ ମୋଟ ୯୦ ଟି ସିଟରେ ଆଦିବାସୀ ଭୋଟରଙ୍କ ବଡ଼ ପ୍ରଭାବ ରହିଛି।
ମଧ୍ୟପ୍ରଦେଶର ୨୨ ପ୍ରତିଶତ ଲୋକେ ଅନୁସୂଚିତ ଜନଜାତି ବର୍ଗରୁ ରହିଛନ୍ତି। ଏହି ବର୍ଗର ଭୋଟର ସରକାର ଗଢ଼ିବା ଓ ଭାଙ୍ଗିବାରେ ମୁଖ୍ୟ ଭୂମିକା ନେଇଥାନ୍ତି।
ଆସନ୍ତା ୨୧ ତାରିଖରେ ଗ୍ବାଲିଅର ଅଞ୍ଚଳରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ସଭାରେ ଯୋଗ ଦେବେ। ସେହିପରି ଅଗଷ୍ଟ ମାସରେ ରାହୁଲ ଗାନ୍ଧୀ ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ସଭାରେ ଯୋଗ ଦେବେ।
ଏପରିକି ଆଦିବାସୀଙ୍କ ଉପରେ ବିଜେପି ସରକାରରେ ଅତ୍ୟାଚାରକୁ କଂଗ୍ରେସ ପ୍ରମୁଖ ପ୍ରସଙ୍ଗ କରି ଆନ୍ଦୋଳନ କରିବା ସହ ବିଧାନସଭାରେ ମଧ୍ୟ ଉଠାଇଛି। ଏଥିସହିତ ଆଦିବାସୀଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗକୁ ନେଇ କଂଗ୍ରେସ ଆଦିବାସୀ ସ୍ୱାଭିମାନ ଯାତ୍ରା କରିବ।
ସେପଟେ ରାଜ୍ୟରେ ସତ୍ତା ବଞ୍ଚାଇ ରଖିବାକୁ ଶାସକ ବିଜେପି ଗତ ଦୁଇବର୍ଷ ଧରି ଆଦିବାସୀଙ୍କୁ ନିଜ ସପକ୍ଷରେ ଟାଣିବାକୁ ଲାଗିପଡିଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି କିଛିଦିନ ତଳେ ରାହଡୋଲରେ ଆଦିବାସୀଙ୍କ ସହ ଆଲୋଚନା କରିବା ସହ ଜନଜାତି ଗୌରବ ଦିବସ ଆରମ୍ଭ କରିଛନ୍ତି।
ଆଦିବାସୀଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ଏମିତି ଅନେକ ପଦକ୍ଷେପ ନେଉଛି। ସେପଟେ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ଜୟ ଆଦିବାସୀ ଯୁବା ଶକ୍ତି ସଂଗଠନ ସପକ୍ଷରେ ସମର୍ଥନ ବଢ଼ିବାରେ ଲାଗିଛି।
ଏହି ସଂଗଠନ ଆଦିବାସୀ ପ୍ରଭାବ ଥିବା ଅଞ୍ଚଳରେ ନିଜର ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନର ସମିକରଣ କଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
Comments are closed.