Latest Odisha News

ଆରବିଆଇ ପକ୍ଷରୁ କୁଇଜ୍ ପ୍ରତିଯୋଗିତା, ରୀତିକା ଓ ସଚ୍ଚିଦାନନ୍ଦ ରାଜ୍ୟ ଚାମ୍ପିଅନ୍

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬ ମସିହାରୁ ପ୍ରତିବର୍ଷ ଆର୍ଥିକ ସାକ୍ଷରତା ସପ୍ତାହ (FLW) ଆୟୋଜନ କରି ଆସୁଛି । ଯାହା ସାରା ଦେଶର ଜନସାଧାରଣଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବିଷୟ ବସ୍ତୁ ଉପରେ ଆର୍ଥିକ ଶିକ୍ଷାର ବାର୍ତ୍ତା ପ୍ରଚାର କରୁଛି । ଆର୍ଥିକ ଶିକ୍ଷା ପାଇଁ ଜାତୀୟ କାର୍ଯ୍ୟନୀତି ୨୦୨୦-୨୦୨୫ର ସାମଗ୍ରିକ ଉଦ୍ଦେଶ୍ୟ ସହିତ ସମାନ୍ତରାଳ ଭାବରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଫେବ୍ରୁଆରୀ ମାସରେ ଆର୍ଥିକ ସାକ୍ଷରତା ସପ୍ତାହ-୨୦୨୩ ପାଳନ କରାଯାଇଥିଲା ।  ଯାହା “ସଠିକ ଆର୍ଥିକ ଆଚରଣ, ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ” ବିଷୟ ବସ୍ତୁ ଉପରେ ଆଧାରିତ ଥିଲା ।

ଅଳ୍ପ ବୟସରେ ଆର୍ଥିକ ଶିକ୍ଷାକୁ ପ୍ରୋତ୍ସାହିତ କରିବାର ମହତ ଉଦ୍ଦେଶ୍ୟକୁ ସ୍ୱୀକାର କରି ସ୍କୁଲ ପିଲାମାନଙ୍କ ମଧ୍ୟରେ ଆର୍ଥିକ ଶିକ୍ଷାକୁ ମଜବୁତ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନେକ ପଦକ୍ଷେପ ନିଆ ଯାଇଛି । ଏହି ପରିପ୍ରେକ୍ଷୀରେ ଅଧିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଆରବିଆଇ  “ଆର୍ଥିକ ସାକ୍ଷରତା ଉପରେ ସର୍ବ ଭାରତୀୟ କୁଇଜ୍, ୨୦୨୩”ଆୟୋଜନ କରିଥିଲା ।

ବ୍ଲକ ସ୍ତରର ବିଜେତାମାନେ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲ୍ଲା ସ୍ତରର ବିଜେତାମାନେ ଜୁଲାଇ ୧୮ରେ ଭୁବନେଶ୍ୱରର ଜୟଦେବ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କଟକ ଜିଲ୍ଲା ଅର୍ଜୁନ ସୁବୁଧି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସାଇ କ୍ରିଷ୍ଣା ପରିଡ଼ାଙ୍କ ତତ୍ୱାବଧାନରେ ଦୁଇ ପ୍ରତିଯୋଗୀ ରୀତିକା ପ୍ରିୟଦର୍ଶିନୀ ଓ ସଚ୍ଚିଦାନନ୍ଦ ବେହେରା ରାଜ୍ୟ ଚାମ୍ପିଅନ୍ ହୋଇଇଛନ୍ତି ।

ରାଜ୍ୟସ୍ତରରେ ଚାମ୍ପିଅନ୍ ହୋଇଥିବା ଟିମ୍ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରରେ କୁଇଜ୍ ପ୍ରତିଯୋଗିତାକୁ ସଫଳତା ପୂର୍ବକ ଆୟୋଜନ କରିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ସହଯୋଗୀ ଯଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓଡ଼ିଶା ସରକାର, ସମସ୍ତ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ, ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଏବଂ କୁଇଜ୍ ଆୟୋଜନରେ ଜଡିତ ଥିବା ଅନ୍ୟ ସହଯୋଗୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛି ।

Comments are closed.