ସଞ୍ଜିତା ପ୍ରଧାନ
ବାପା ! ବ୍ରହ୍ମାଣ୍ଡର ଶ୍ରେଷ୍ଠ ଶବ୍ଦକୋଷ
ସେଠି ଶବ୍ଦମାନେ ଯେତେଯେତେ କ୍ଲିଷ୍ଟ
ଭାବାର୍ଥର ଗଭୀରତା ସେତେସେତେ ମିଷ୍ଟ ।
ସେଇ ଶବ୍ଦରେ ଗଢ଼ିହୁଏ
ଅନେକ ଗପର ସହର
କବିତାର ମନୋରମ ଗାଁ,
ପଂକ୍ତିମାନେ ନିମିଷକେ ପାଲଟିଯାଆନ୍ତି ପ୍ରଜାପତି
ଧାଡ଼ିସବୁ ମହୁମାଛି ସାଜନ୍ତି
ଚଉଦିଗେ ଘୁରିବୁଲି ଜୀବନ-ମାନସାଙ୍କ
ଅତି ସହଜରେ ବୁଝେଇ ପାରନ୍ତି
ସେଇହେତୁ ସୃଷ୍ଟିର ବିଲୟ ଯାଏଁ
ବାପା ସମ୍ରାଟ ବୋଲାନ୍ତି ।
ଯେବେଯେବେ ଅସ୍ତିତ୍ବ ତମସାରେ ଲୀନହୁଏ
ତେବେତେବେ ଦୂର ଦିଗ୍-ବଳୟରେ ଆଲୁଅ ସଞ୍ଚାର ହୁଏ
ସମାଧାନ ସୂତ୍ରରେ ଜଣେ ଦୀର୍ଘାୟୁ ହୁଏ ।
ସଂସାର ବୋଝ ମୁଣ୍ଡେଇ
ବାପାଙ୍କ ପାଦ ବେଶ୍ ଶକ୍ତ
ସହଜେ ତାଙ୍କ ଆଖିକୁ ବନ୍ୟା ଛୁଇଁପାରେନି
କିନ୍ତୁ; କେବେକେବେ ନିରୋଳା ଘଡିରେ
ରୁଦ୍ର-ସୁନାମି ତାଙ୍କ ଦେହରେ କମ୍ପନ ସୃଷ୍ଟିକରେ
ଯାହା କେହି କେବେ ବିନା ଅନୁମତିରେ ଅନୁଭବ କରିପାରେନି
ବାପା ପାହାଡ଼ ହୋଇପାରନ୍ତି
ସମୁଦ୍ରରେ ଅଚାନକ ଉଠିଥିବା ବାତାବର୍ତକୁ
ନିଃଶବ୍ଦେ ପିଇଯାଆନ୍ତି ।
ଅନର୍ଗଳ କଥା ଜଣାନାହିଁ
ଯେଣୁ ବାପାଙ୍କ ନୀରବତା କୋଳାହଳ ରଚିପାରେ
ଅଗଣିତ ଦୁଃଖ ତାଣ୍ଡବନୃତ୍ୟ କଲାବେଳେ
ସିଏ ଶାନ୍ତ ସ୍ଥିର ଭାବେ ସ୍ଥିତିର ଆକଳନ କରିବାରେ ମାହିର
ନିଜେ ଅଭାବକୁ ପରିଧାନ କରି
ଘରକୁ ଥିଲାପଣର ଅନୁଭବ ଦିଅନ୍ତି
ବାପା ଈଶ୍ୱର ସାଜନ୍ତି ।
Comments are closed.