Latest Odisha News

ଭାରତକୁ ବଡ଼ ଝଟକା; ଆମେରିକା ବନ୍ଦ କଲା ଶସ୍ତା ତେଲର ବାଟ

ନୂଆଦିଲ୍ଲୀ: ବିଶ୍ୱ ଶକ୍ତି ବଜାରରେ ଏବେ ଏକ ବଡ଼ ହଲଚଲ୍ ଦେଖିବାକୁ ମିଳିଛି। ଆମେରିକାର ଗୋଟିଏ ନିଷ୍ପତ୍ତି ଏବେ ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ହୋର୍ମୁଜ୍ ସଙ୍କଟ ମଧ୍ୟରେ ଆମେରିକା ଏବେ ରୁଷ ଏବଂ ଇରାନରୁ ମିଳୁଥିବା ଶସ୍ତା ତେଲ ଉପରେ କଟକଣାକୁ କଡ଼ାକଡ଼ି କରିଛି। ଯାହାର ସିଧାସଳଖ ପ୍ରଭାବ ଭାରତର ଅର୍ଥନୀତି ଏବଂ ଆଗାମୀ ଦିନରେ ତେଲ ଦର ଉପରେ ପଡ଼ିବାକୁ ଯାଉଛି।

ଆମେରିକାର ଟ୍ରମ୍ପ ପ୍ରଶାସନ ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆମେରିକୀୟ ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ସ୍ପଷ୍ଟ କରିଛନ୍ତି ଯେ, ରୁଷ ଏବଂ ଇରାନରୁ ଆସୁଥିବା କଞ୍ଚା ତେଲ ଉପରେ ଦିଆଯାଉଥିବା ସ୍ୱତନ୍ତ୍ର ରିହାତି ବା ଲାଇସେନ୍ସ ଅବଧିକୁ ଆଉ ବଢ଼ାଯିବ ନାହିଁ। ମାର୍ଚ୍ଚ ୧୧ ପୂର୍ବରୁ ଯେଉଁ ଜାହାଜ ଗୁଡ଼ିକ ସମୁଦ୍ରରେ ଥିଲେ, ସେମାନଙ୍କୁ କେବଳ ଅନୁମତି ଦିଆଯାଇଥିଲା। କିନ୍ତୁ ଏବେ ଏହି ଅବଧି ଶେଷ ହେବାକୁ ଯାଉଛି।

ଗତ କିଛି ମାସ ଧରି ହୋର୍ମୁଜ୍ ଷ୍ଟ୍ରେଟ୍‌ରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତକୁ ଏହି ରିହାତିରୁ ବଡ଼ ଫାଇଦା ମିଳିଥିଲା। ଭାରତୀୟ ରିଫାଇନର୍‌ମାନେ ପ୍ରାୟ ୩୦ ମିଲିୟନ୍ ବ୍ୟାରେଲ୍ ରୁଷୀୟ ତେଲ ଅର୍ଡର କରିଥିଲେ। କେବଳ ସେତିକି ନୁହେଁ, ପ୍ରାୟ ୭ ବର୍ଷ ପରେ ଇରାନର ସୁପର ଟ୍ୟାଙ୍କର୍ ମଧ୍ୟ ଭାରତୀୟ ବନ୍ଦରରେ ପହଞ୍ଚିଥିଲା। କିନ୍ତୁ ଆମେରିକାର ଏହି ନୂଆ କଟକଣା ପରେ ଏହି ସପ୍ଲାଏ ଏବେ ବାଧାପ୍ରାପ୍ତ ହୋଇପାରେ।

ତେବେ ଏହାର ପରିଣାମ କ’ଣ ହେବ ? ବିଶ୍ୱ ବଜାରରେ ତେଲ ଯୋଗାଣ କମିଲେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବଢ଼ିବ। ଯଦି ଭାରତକୁ ଶସ୍ତା ରୁଷୀୟ କିମ୍ବା ଇରାନୀ ତେଲ ମିଳିବାରେ ଅସୁବିଧା ହୁଏ, ତେବେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବା ସହ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ହେବାର ଆଶଙ୍କା ରହିଛି।

ହୋର୍ମୁଜ୍ ଜଳପଥରେ ଉତ୍ତେଜନା ଏବଂ ଆମେରିକାର ଏହି ଆଭିମୁଖ୍ୟ ଭାରତର ଶକ୍ତି ସୁରକ୍ଷା ପାଇଁ ଏକ ବଡ଼ ଆହ୍ୱାନ। ଏବେ ଦେଖିବାର କଥା, ଭାରତ ସରକାର ନିଜର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ କେଉଁ ବିକଳ୍ପ ବାଛିବେ।

Comments are closed.