ଭୁବନେଶ୍ୱର:ରାଜଧାନୀରେ ପୁଣି ଜୀବନ ନେଲା ଡେଙ୍ଗୁ । ଗତକାଲି ଡେଙ୍ଗୁରେ ଜଣେ ୭ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃ୍ତ୍ୟୁ ଘଟିଛି । ଫଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି ।
ଗତକାଲି ଖଣ୍ଡଗିରି ନିକଟ ଧର୍ମ ବିହାର ଅଞ୍ଚଳର ଜଣେ ସାତ ବର୍ଷର ବାଳିକା ଡେଙ୍ଗୁରେ ମୃତ୍ୟୁ ଘଟିଥିବାବେଳେ ଆଜି ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ 62 ବର୍ଷ ବୟସ୍କା ମହିଳାଙ୍କର ଡେଙ୍ଗୁରେ ମୃତ୍ୟୁ ଘଟିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଡେଙ୍ଗୁ ଜନିତ ମୃତ୍ୟୁ ନା ନୁହେଁ ତାହା କିଛି ସ୍ପଷ୍ଟ କରାଯାଇ ନାହିଁ ।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ନିରଞ୍ଜନ ମିଶ୍ର ମିଡିଆକୁ କହିଛନ୍ତି, ‘ଆମେ ଏ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ପାଇନୁ । ଗୋଟିଏ ଟିମ ଯାଇଛନ୍ତି ଯାଞ୍ଚ ପାଇଁ । ଯାଞ୍ଚ ପରେ ଆମେ ଏ ନେଇ ସ୍ପଷ୍ଟ କରିବୁ ।’
ଡାକ୍ତର ମିଶ୍ର ଅଧିକ ସୂଚନା କହିଛନ୍ତି, ୨୦ ଜିଲ୍ଲାରୁ ୧୮, ୧୨୪ ନମୂନା ଟେଷ୍ଟ କରାଯାଇଥିଲା । ସେଥିରୁ ୫୫୩ ପଜିଟିଭ ଆସିଛି । ଆମର ଟିମ ବିଏମସି ଏବଂ ସିଏମସି ସହ ସହଯୋଗ ରଖି କାମ କରୁଛନ୍ତି । ପରିସ୍ଥିତି ଉପରେ ନଜର ରଖି ପ୍ରତିକାର ପାଇଁ କାମ କରାଯାଉଛି ।
ରାଜ୍ୟ ରାଜଧାନୀରେ ଡେଙ୍ଗୁ ରୋଗ ଏକ ଉଦ୍ବେଗଜନକ ସ୍ଥିତି ସୃଷ୍ଟି କରିଛି । ବର୍ଷା ଯୋଗୁ ଡେଙ୍ଗ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ଆଗକୁ ବର୍ଷା ସମ୍ଭାବନା ଥିବାରୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଅଞ୍ଚଳରେ ଅତି କମରେ ୧୭ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି ।
Comments are closed.