ରାୟଗଡା: କଲଭର୍ଟ ଭୁଶୁଡିବା ଘଟଣାର ପୁଣି ଏକ ବିକଳ ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ କଲଭର୍ଟ ଭୁଶୁଡିବା ଘଟଣାରେ ଚାଲିଗଲା ସ୍ୱାମୀ ଓ ପୁଅଙ୍କ ଜୀବନ । ଏମିତି ଦୁଃଖଦ ଖବର ଶୁଣିବା ପରେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଛନ୍ତି ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ସଂପୃକ୍ତ ପରିବାରକୁ ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ । ଏହି ଘଟଣାରେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ଯ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉ କି, ରାୟଗଡା ଜିଲ୍ଲା କଲ୍ୟାଣିସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ଆଜି ସକାଳୁ ସକାଳୁ ଏକ ନିର୍ମାଣଧିନ କଲଭର୍ଟର ସେଣ୍ଟରିଙ୍ଗ ଭୁଶୁଡି ପଡିଥିଲା । ଫଳରେ ୪ଜଣ ନାବାଳକ ସମେତ ୫ଜଣଙ୍କର ମୃତ୍ଯୁ ଘଟିଥିଲା ମୃତକମାନେ ହେଲେ ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା। , ସୁମାନ ମିଣିଆକା (୫), ସାରନ ମିଣିଆକା(୫) ,ମୋନଜ ମିଣିଆକା (୫) ।
ରାୟଗଡାରେ ଲଗାଣବର୍ଷା ହେଉଥିବାରୁ ବ୍ରିଜ ତଳେ ୬ଜଣ ଗାଧୋଉଥିଲେ । ଏହି ସମୟରେ ହଠାତ ସେଣ୍ଟରିଂ ଭୁଷୁଡି ପଡିଥିଲା । ଫଳରେ ସମସ୍ତେ ଏହି ବ୍ରିଜ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ ।
ଖବର ଶୁଣି ଗ୍ରାମବାସୀ ପହଞ୍ଚି ଉଧାର କରିବା ସମୟରେ ୫ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୱେଷ ମିଣିଆକା(୫)ଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହି ଘଟଣା ପରେ ଗ୍ରାମରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି।
ମନ୍ତ୍ରୀ ଜଗନ୍ନାଥ ସାରକା , ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି , ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ଉପଦେଷ୍ଟା ସୁଧୀର ଦାସ ,ଜିଲା ଆରକ୍ଷୀ ବିବେକାନନ୍ଦ ଶର୍ମା , ଏସ ଡିପିଓ ଆର ସେନାପତି ,ବିଡ଼ିଓସୁନିଲ ଖରା ,ତହସିଲଦାର ସୁଧାକର ରଇତ ,ଥାନା ଅଧିକାରୀ ସୁମନ୍ତି ମହାନ୍ତି ,ଅଗ୍ନିଶମ ବିଭାଗ ଅଧିକାରୀ ବଳରାମ ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ପରିବାରକୁ ସମବେଦନା ଜଣାଇଥିଲେ । ଶବ ବ୍ୟବଚ୍ଛେଦ କରିବା ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି କଲ୍ୟାଣସିଂହପୁର ଥାନା ଅଧିକାରୀ।
ଅନ୍ୟ ପଟେ ସ୍ୱାମୀ ଲକ୍ଷ୍ମୀଧର ଓ ପୁଅ ପ୍ରିନ୍ସ ଙ୍କ ମୃତ୍ୟୁ ଖବରକୁ ସହ୍ୟ କରିପାରି ନାହାନ୍ତି ସ୍ତ୍ରୀ ଦୀପାଇ । ସେ ମଧ୍ୟ ବିଷ ପାନ କରି ଗୁରୁତର ହୋଇଥିଲେ । ଦିପାଇଙ୍କୁ ପୁଲିସ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କିଛି ଦିନ ଧରି ନିର୍ମାଣ ଚାଲିଥିବା ଏହି କଲଭର୍ଟର ସେଟରିଂ ମଧ୍ୟ ଖୋଲା ଯାଇନଥିଲା । ଏପରିକି ଅଧା କାମ କରି ଠିକାଦାର କାମ ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି । କେଉଁ କାରଣରୁ ଭୁଶୁଡି ପଡିଛି କଲର୍ଭଟ ତାର ଅନୁଧ୍ୟାନ ଚାଲିଛି ।
Comments are closed.