Latest Odisha News

BREAKING NEWS

ଗୁରୁପ୍ରିୟା ସେତୁ: ୨୬ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୬ ତାରିଖରେ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ଉଦଘାଟନ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ୨୬ ତାରିଖ ଦିନ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରୀୟା ସେତୁକୁ ଲୋକାର୍ପିତ କରିବେ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ଗୁରୁପ୍ରୀୟା ନଦୀ ଉପରେ ନବନିର୍ମିତ ଗୁରୁପ୍ରୀୟା ସେତୁକୁ ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବ । ପୂର୍ବରୁ ୧୮ ତାରିଖରେ ଉଦଘାଟିତ ହେବାକୁ ସ୍ଥିରୀକୃତ ହୋଇଥିଲେ ମଧ୍ୟ ଜିଲ୍ଲାରେ ପ୍ରବଳ ଲଗାଣ ବର୍ଷା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥଗିତ ରହିଥିଲା ।

ଏଥିମଧ୍ୟରେ ଗୁରୁପ୍ରୀୟା ସେତୁର ସମସ୍ତ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଥିବା ବେଳେ ୯୧୦ ମିଟର ଲମ୍ବ ବିଶିଷ୍ଟ ସେତୁଟିର ଥାର୍ଡ଼ପାର୍ଟି ଅଡ଼ିଟ କାର୍ଯ୍ୟ ସେଣ୍ଟ୍ରାଲ ରୋଡ଼ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ୭ ଜଣିଆ ଦଳ ଦ୍ୱାରା ଶେଷ ହୋଇଛି ।

ଏହି ସେତୁଟି କଲିକତାର ରୟାଲ ଇନଫ୍ରାଷ୍ଟ୍ରକ୍ଚର ଲିଃ କମ୍ପାନୀ ଦ୍ୱାରା ପ୍ରାୟ ୧୭୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ସୂଚନା ମିଳିଛି । ତେବେ ରାଜ୍ୟ ସରକାରଙ୍କ ରାଜ୍ୟ ୱାର୍କ୍ସ ଡ଼ିପାର୍ଟମେଣ୍ଟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମିତ ହୋଇଛି ଏହି ଗୁରୁପ୍ରୀୟା ସେତୁ । ୨୦୧୪ ମସିହାରେ ବିଏସଏଫ ଜବାନଙ୍କ ସୁରକ୍ଷା ବଳୟ ମଧ୍ୟରେ ଏହି ସେତୁ କାର୍ଯ୍ୟ ସମାପ୍ତ ହୋଇଛି ।

ଏହି ସେତୁଟି ଜିଲ୍ଲାର ୭ଟି ଦୂର୍ଗମ ପଞ୍ଚାୟତର ୧୫୧ଟି ଗ୍ରାମକୁ ସଂଯୁକ୍ତ କରିପାରିବ ଏବଂ ଏହି ସେତୁ କାର୍ଯ୍ୟକ୍ଷମ ହେଲେ ପ୍ରାୟ ୩୦ ହଜାର ଜନସାଧାରଣ ଉପକୃତ ହୋଇପାରିବେ ।

ତେବେ ମାଓ ପ୍ରଭାବିତ ଚିତ୍ରକୋଣ୍ଡା ବ୍ଲକର ଏହି ସେତୁଟି କାର୍ଯ୍ୟକ୍ଷମ ହେବା ପରେ ନିରାପତ୍ତା ତଥା ସୁରକ୍ଷା କର୍ମୀଙ୍କୁ ବିଶେଷ ଭାବେ ସହାୟତା ପ୍ରଦାନ କରିପାରିବ ବୋଲି ଜଣାପଡ଼ିଛି ।

ଗୁରୁପ୍ରୀୟା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ୧୯୮୨ ମସିହାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ହୋଇଥିଲା । ତେବେ ୨୦୦୦ ମସିହାରେ ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇ ପରେ ନିର୍ମାଣ କାର୍ଯ୍ୟ ଦୃତଗତିରେ ହୋଇଥିଲା ।

ଜୁଲାଇ ୨୬ ତାରିଖରେ ଅନୁଷ୍ଠିତ ହେଉଥିବା ଗୁରୁପ୍ରିୟା ସେତୁର ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପୂର୍ତ୍ତ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଉପସ୍ଥିତ ରହିବେ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.