Latest Odisha News

ଆଜି ଶ୍ରୀଜିଉଙ୍କ ବନକଲାଗି: ସନ୍ଧ୍ୟା ୬ରୁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ବହୁ ବାଦ ବିବାଦ ପରେ ଶେଷରେ ଆଜି ହେବ ଶ୍ରୀଜିଉଙ୍କର ବନକ ଲାଗି ନୀତି । ଚମକିବେ କାଳିଆ ସାଆନ୍ତ । ମହାପ୍ରଭୂଙ୍କ ଦ୍ବିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଏହି ନୀତି ସମ୍ପନ୍ନ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଦୀର୍ଘ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତ ମହାପାତ୍ର ନିଯୋଗ ପକ୍ଷରୁ ମହାପ୍ରଭୂଙ୍କ ବନକ ଲାଗି ନୀତି ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆଜି ନିର୍ଦ୍ଧାରିତ ସମୟରେ ନୀତି ସମ୍ପନ୍ନ ହେବା ନେଇ ସୂଚନା ମିଳିଛି ।

ରଥଯାତ୍ରା ସମୟରେ ହେରାପଞ୍ଚମୀ ପୂର୍ବ ଦିନ ଆଡପ ମଣ୍ଡପରେ ଶ୍ରୀଜିଉଙ୍କର ବନକ ଲାଗି ନୀତି ସମ୍ପନ୍ନ ହୋଇଥିଲା । ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୂଙ୍କର ବନକ ଲାଗି ନୀତି ହେଇପାରିନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବହୁ ଦିନ ବ୍ୟବଧାନରେ ଆଜି ମହାପ୍ରଭୂଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେଉଛି ।

ଖବର ଅନୁଯାୟୀ, ଦୀର୍ଘ ଏକ ମାସ ଧରି ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବନକଲାଗି ନୀତି ନେଇ ବିବାଦ ଲାଗିରହିଥିଲା । ଯାହାଫଳରେ ନୀଳାଦ୍ରିବିଜେ ପରଠାରୁ ମହାପ୍ରଭୁଙ୍କର ବନକଲାଗି ନୀତି ହୋଇପାରି ନ ଥିଲା । ଶ୍ରୀମନ୍ଦିର ପ୍ରଶାସନ ବୁଧବାର ବନକଲାଗି ନୀତି କରିବାକୁ କହୁଥିବା ବେଳେ ଦତ୍ତମହାପାତ୍ର ନିଯୋଗ ଗୁରୁବାର କରିବାକୁ ଜିଦ୍ ଧରି ବସିଥିଲା । ଯାହାକୁ ନେଇ ବିବାଦ ବଢ଼ିଥିଲା । ଫଳରେ ମହାପ୍ରଭୁଙ୍କ ଏହି ନୀତି ହୋଇପାରୁନଥିଲା । ଶେଷରେ   ବନକଲାଗି ନୀତି ବିବାଦ ପ୍ରସଙ୍ଗରେ ପରିଚାଳନା କମିଟି ବୈଠକ ବସି ବୁଧବାର ହେବାକୁ ଧାର୍ଯ୍ୟ କରାଯାଇଥିଲା ।

Comments are closed.