Latest Odisha News

BREAKING NEWS

ଏମିତି ଚାଲିଛି ସରକାରୀ ଯୋଜନା: ଜମି ପଟ୍ଟା ମିଳିଲା ହେଲେ ଜମି କେଉଁଠି ଲୋକେ ଜାଣି ନାହାଁନ୍ତି

ପ୍ରହସନ ପାଲଟିଛି ବସୁନ୍ଧରା ଓ ଜାଗା ମିଶନ ଯୋଜନା । ଜମି ପଟ୍ଟା ମିଳିଛି ହେଲେ ଚିହ୍ନଟ ହୋଇନି ଜମି, ପ୍ରଶାସନିକ ଅଧିକାରୀଙ୍କ ଅବହେଳାକୁ ଦାୟୀ କଲେ ହିତାଧିକାରୀ

ନୂଆପଡା: ସରକାର ଗରିବ , ଅସହାୟ ଲୋକମାନଙ୍କ ଉନ୍ନତି ଲାଗି ମାଳ ମାଳ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଏବଂ ବୈମାତୃକ ମନୋଭାବ ଯୋଗୁଁ ଏହା ଏକ ପ୍ରହସନରେ ପରିଣତ ହୋଇଛି  ।  ପ୍ରକୃତ ହିତାଧିକାରୀ ନିଜ ହକ୍ ପାଇବାରୁ ବଞ୍ଚିତ ହୋଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି  ।

ନୂଆପଡା ଜିଲ୍ଲାର ଗରୀବ ଭୂମିହୀନଙ୍କ ପାଇଁ ହୋଇଥିବା ବସୁନ୍ଧରା ଓ ଜାଗା ମିଶନ ଯୋଜନା ଏକ ପ୍ରହସନ ପାଲଟିଛି । ଜିଲ୍ଲାର ପାଞ୍ଚଗୋଟି ବ୍ଲକର ହଜାର ହଜାର ଭୂମିହୀନଙ୍କୁ ଜମି ଖଣ୍ଡିଏ ଯୋଗାଇ ଦେବାରେ ବିଫଳ ହୋଇଛି ପ୍ରଶାସନ ।  ବିଶେଷ କରି ଖଡ଼ିଆଳ, ସିନାପାଲି, ବୋଡେ଼ନ ରାଜସ୍ୱ ବିଭାଗ ଅଧୀନରେ ଥିବା ବିଭିନ୍ନ ଗାଁର ଶହଶହ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି ସତ ହେଲେ ଦୀର୍ଘ ବର୍ଷ  ବିତି ଯାଇଥିଲେ ବି ଜମି ଚିହ୍ନଟ କରିବାରେ ଫେଲ ମାରିଛି  ତହସିଲ ବିଭାଗ । ଏମିତି କିଛି ଅଭିଯୋଗ ଆସିଛି ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ, ଦମାପଲା, ସମ୍ମାଡ଼ପଦର, ଢଙ୍କସର, ପଖାନସର, ବୋଡେ଼ନ ବ୍ଲକ ର ଡୋଟୋ,ବର୍ତନସିଲ ଗାଁରୁ । ବର୍ଷ ବର୍ଷ ଧରି ପଟ୍ଟା ପାଇ ସରକାର ଙ୍କୁ ଖଜଣା ଦେଉଥିଲେ ହେଁ , ନିଜ ଜମି କେଉଁଠି ଅଛି ଦେଖିନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

ଭୂମିହୀନଙ୍କ ପାଇଁ ଜମି ପ୍ରଦାନ ଘଟଣା ବିଶେଷ କରି ଖଡ଼ିଆଳ ତହସିଲ ଅଞ୍ଚଳରେ କାଗଜକଳ ସହ କାନ୍ଥବାଡ଼ରେ ସୀମିତ ଭଳି ମନେହୁଏ । ବର୍ତ୍ତମାନ ଭୁଲିଆସିକୁଆଁ ଗାଁର ୧୫ ରୁ ଉର୍ଦ୍ଧ୍ବ ଗରିବ ହିତାଧିକାରୀ ମାନେ ପଟ୍ଟା ପାଇ ଆଠ ବର୍ଷ ହୋଇଯାଇଥିବା ବେଳେ ସେମାନେ ଖଜଣା ଦେଉଛନ୍ତି । ଘର ଖଣ୍ଡିକ ତିଆରି କରିବା ପାଇଁ ଜମି ଚିହ୍ନଟ ପାଇଁ ବାରମ୍ବାର  ତହସିଲଦାର ଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି  । ହେଲେ କିଛି ସୁଫଳ ମିଳିନି ।  ତେବେ ଏବାବଦରେ  ପ୍ରଶାସନ ମୁହଁ ଖୋଲୁ ନଥିବା ବେଳେ ଜିଲ୍ଲା ବିଜେଡି ଉପସଭାପତି ମନୋଜ ଦୀପ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଙ୍କ ସହ ଗାଁକୁ ଯାଇ ହିତାଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ହିତାଧିକାରୀଙ୍କ ଅଭିଯୋଗ କୁ ମନ୍ତ୍ରୀ  ଗୁରୁତର ସହ ନେଇ ଯଥାଶୀଘ୍ର ଭୂମିହୀନ ଙ୍କ ଜମି ଚିହ୍ନଟ ହେବାର  ପ୍ରତିଶ୍ରୁତି ଦେଇଛନ୍ତି  ।

Comments are closed.