ପୁରୀ: ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ି ସରକାର ଗଠନ କରିବ ବୋଲି ଦଳର ବରିଷ୍ଠ ନେତାମାନେ ଦାବି କରୁଥିବା ବେଳେ ରାଜ୍ୟ ବିଜେପି ଆକ୍ସନ ମୁଡରେ ଥିବା ଜଣାପଡ଼ିଛି।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କଥାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଦଳର ରଣନୀତିର ଅଂଶବିଶେଷ ସ୍ୱରୂପ ଚାରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଶ୍ୱେଶ୍ୱର ଟୁଡୁ ଓ ଅଶ୍ୱିନୀ ଚୌବେ ରବିବାର କୋଣାର୍କ ଠାରେ ଆୟୋଜିତ ଦୁଇ ଦିନିଆ କର୍ମଶାଳାରେ ପଞ୍ଚାୟତ ଓ ଜିଲ୍ଲା ପରିଷଦର ନିର୍ବାଚିତ ସଦସ୍ୟଙ୍କ ବୈଠକ କରିଛନ୍ତି।
ବିଜେଡି ନେତୃତ୍ୱାଧୀନ ସରକାରଙ୍କୁ କିଭଳି ବ୍ୟାକଫୁଟକୁ ଠେଲି ଆଗାମୀ ସାଧାରଣ ନିର୍ବାଚନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ସେ ନେଇ ସେମାନଙ୍କୁ ବୁଝାଇଥିଲେ କେନ୍ଦ୍ରମନ୍ତ୍ରୀ।
ଗରିବ ଲୋକଙ୍କ ଟିକସ ବାବଦରେ ଆଦାୟ ହେଉଥିବା ଅର୍ଥକୁ ଆତ୍ମସାତ କରାଯାଉଛି. ଆମେ ଚାହୁଁଛୁ ଯେ ମୋଦୀ ପଠାଇଥିବା ଅର୍ଥର ଶତ ପ୍ରତିଶତ ବିନିଯୋଗ ହେଉ। ଆମ ଦଳ କ୍ଷମତାକୁ ଆସିଲେ ୨୫ ବର୍ଷ ମଧ୍ୟରେ ରାଜ୍ୟ ଯେଉଁ ବିକାଶ ଦେଖିନଥିଲା ତାହା ଦେଖିବାକୁ ମିଳିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ପୁରୀ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରାୟ ନିଜ ଅନୁଭୂତି ବଖାଣି କହିଛନ୍ତି,କେନ୍ଦ୍ରମନ୍ତ୍ରୀମାନେ ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେଡି ସହ କୌଣସି ମେଣ୍ଟ ହେବ ନାହିଁ। ବିଜେଡିର ପଞ୍ଚାୟତ ସ୍ତରୀୟ ଦୁର୍ନୀତିକୁ ସାମ୍ନାକୁ ଆଣି ଦଳକୁ ବ୍ୟାକଫୁଟକୁ ଠେଲିବୁ ବୋଲି ବୌଦ୍ଧ ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ କହିଛନ୍ତି।
ଯେଉଁ ସମୟରେ ନବୀନ-ଶାହଙ୍କ ସାକ୍ଷାତ ଓ ସଂସଦରେ କେନ୍ଦ୍ର ସରକାରଙ୍କୁ ବିଜେଡିର ସମର୍ଥନ ପରେ ଦଳୀୟ କର୍ମୀ ଦ୍ୱନ୍ଦ୍ୱରେ ଥିଲେ, ସେହି ସମୟରେ ଏହି କର୍ମଶାଳା ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଉଛି। ସେ କହିଛନ୍ତି, ଏଭଳି କୌଣସି ବିଶୃଙ୍ଖଳା ସୃଷ୍ଟି ହେବା ଉଚିତ ନୁହେଁ। ଯଦି ଏହି ଦ୍ୱନ୍ଦ୍ୱ ଦୂର ନହୁଏ, ତେବେ ଦଳର ୩୦ ପ୍ରତିଶତ ଭୋଟ୍ ଆଧାର ନଷ୍ଟ ହୋଇଯିବ ବୋଲି ରାଜନୈତିକ ବିଶ୍ଳେଷକ ମାନେ କହିଛନ୍ତି।
Comments are closed.