Latest Odisha News

BREAKING NEWS

ମାହାଙ୍ଗା ନାବାଳିକା ମୃତ୍ୟୁ: ଶରତ ଦଳରୁ ନିଲମ୍ବିତ, ଏବେ ପୋଲିସର ହାତ ଖୋଲା?

କଟକ: ଶାସକ ଦଳର ପ୍ରମୁଖ ନେତାଙ୍କ ଖାସ୍ ଆଦମୀ ଶରତ ନାୟକ। ନାବାଳିକା ମୃତ ଦେହକୁ ବିନା ଶବ ବ୍ୟବଛେଦରେ ପୋଡିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ନଦୀରେ ଅସ୍ଥି ଭସାଇବା ଏହା ଅପରାଧ ଜାଣି ମଧ୍ୟ ପୋଲିସ ସହ ହାତ ମିଳାଇବାକୁ ଉଦ୍ୟମ କରିଥିବା ଶରତ ନାୟକ ଏବେ ଅଡୁଆରେ। ଘଟଣାକୁ ଦୁଇ ମାସ ବିତିଥିଲେ ମଧ୍ୟ ଏହି ମାମଲାରେ ଏଯାବତ କାହାରିକୁ ପୋଲିସ ଗିରଫ କରିନାହିଁ କି ଅଟକ ରଖିନାହିଁ। ଅନ୍ୟପଟେ ରାଜ୍ୟ ମହିଳା କମିଶନ ପନ୍ଦର ଦିନ ମଧ୍ୟରେ ଏସପିଙ୍କଠୁ ରିପୋର୍ଟ ତଲବ କରିଛି।

କଟକ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏବେ ଏହି ବିବାଦୀୟ ମାମଲାର ତଦନ୍ତ ଆରମ୍ଭ କରିଛି। ଆଜି ପ୍ରଥମ ଦିନରେ ମୃତ ନାବାଳିକାର ସ୍କୁଲର ଖେଳ ଶିକ୍ଷକ ତଥା ପ୍ରେମିକଙ୍କ ଜଗତସିଂହପୁର ସ୍ଥିତ ଗାଁକୁ ଯାଇ ଜେରା କରିଛି। ଆଉ ଏହି ସମୟରେ ଜେରା କରିଛି ଉଭୟ ଶିକ୍ଷକ ଏବଂ ତାଙ୍କ ମାଙ୍କୁ। ଶରତ ମାମଲା ରଫାଦଫା କରିବାକୁ ଯାଇ ଶିକ୍ଷକଙ୍କ ମା ସହ ଫୋନରେ କଥା ହେଉଥିବାର ଅଡିଓ କଲ୍ ଭାଇରାଲ ହୋଇଛି। ତେଣୁ ପୋଲିସ ଏବେ ଶିକ୍ଷକ ଓ ତାଙ୍କ ମାଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିଛି।

ଏହି ମାମଲାରେ ପୋଲିସ ଆଉ ଦୁଇ ଜଣଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିପାରେ। ସେମାନେ ହେଲେ ଝିଅର ପରିବାର ଲୋକ ବା ତାଙ୍କ ବାପା, ଯିଏକି ବାତ ରୋଗରେ ଝିଅର ମୃତ୍ୟୁ ହୋଇଛି କି ପୋଡି ଦେଇଥିଲେ କିନ୍ତୁ ଶବ ବ୍ୟବଛେଦ କିମ୍ବା ଅନ୍ୟନ୍ଯ ପ୍ରକ୍ରିୟା ପାଳନ କରିନାହାନ୍ତି। ସେହିପରି ଅନ୍ୟ ଜଣେ ହେଲେ ଶରତ ନାୟକ। ଯିଏକି ବିବାଦ ଘେରକୁ ଆସିବା ପରେ ଆଜି ବିଜେଡିର ପ୍ରାଥମିକ ପଦରୁ ନିଲମ୍ବିତ ହୋଇଛନ୍ତି। ଏପରି ସ୍ଥିତିରେ ଏବେ ପୋଲିସ ଶରତଙ୍କୁ ଜେରା କରିବାକୁ ବାଟ ଫିଟିଛି ବୋଲି କୁହାଯାଉଛି।

ଜୁନ 18ରେ ହୋଇଥିବା ଏହି ମାମଲା ଏବେ ଦୁଇ ମାସ ପରେ ସାର୍ବଜନୀନ ହେବା ପରେ ପୋଲିସର ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। କାରଣ ଶରତ ଝିଅର ପ୍ରେମିକର ମାଙ୍କ ସହ ଫୋନରେ କଥା ହେବା ବେଳେ ଏସଡିପିଓ ଓ ସ୍ଥାନୀୟ ଥାନା ଅଧିକାରୀଙ୍କ କଥା ଉଲ୍ଲେଖ କରିଛନ୍ତି। କାରଣ ଶରତ ଯେଉଁ 70 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସେଥିରେ ପୋଲିସର ଭାଗ କେତେ ତାହା ଏବେ ବଡ଼ ପ୍ରଶ୍ନ।

କିନ୍ତୁ ବଡ଼ ପ୍ରଶ୍ନ ହେଲା ଯେଉଁ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଶରତଙ୍କ  ବିଭିନ୍ନ ଫଟୋ ଭାଇରାଲ ହେଉଛି ସେଥିରୁ ଏକ ପ୍ରକାର ସ୍ପଷ୍ଟ ଶରତଙ୍କର ସ୍ଥାନୀୟ ଅଞ୍ଚଳରେ ଦବଦବା ରହିଛି। ହେଲେ ବିରୋଧୀ ମୌକାରେ ଚୌକା ମାରିବାକୁ ଅପେକ୍ଷା କରିଥିବା ବେଳେ ଏପରି ସ୍ଥିତିରେ ଶରତଙ୍କୁ କ’ଣ ଜେରା ନକରି ପୋଲିସ ଛାଡି ଦେବ ନା ମାମଲା ରଫାଦଫା କରିବା ଅଭିଯୋଗରେ ଅଡୁଆରେ ପଡିବେ ତାହା ପ୍ରଶ୍ନବାଚୀ।

କହିରଖୁଛି ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ହତ୍ୟାର ଶିକାର ହେବା ପୂର୍ବରୁ ଶରତ ତାଙ୍କୁ ଫୋନ୍ କଲ କରିଥିବାର ପ୍ରମାଣ ରହିଛି।

Comments are closed.