Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଉପାଧି ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ପ୍ରସଙ୍ଗର ପ୍ରାଞ୍ଜଳ ଆଲୋଚନା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ସଂସ୍କୃତିର ଗବେଷକ ତଥା ପ୍ରବାଚକ ଶ୍ରୀଯୁକ୍ତ ସଦାଶିବ ରଥଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ଛପନ ଭୋଗ ତାଲିକା ବିଷୟରେ ଜାଣିବା। କାରଣ ଆଜି ପର୍ଯ୍ୟନ୍ତ ଆମେ ଯେତେ ସବୁ ଭୋଗ ତାଲିକା ଅବଲୋକନ କଲେ ସବୁଗୁଡିକ ପରସ୍ପରଠାରୁ ଭିନ୍ନ ଥିଲେ। କେବଳ ସେତିକି ନୁହେଁ ଛପନ ଭୋଗ ମଧ୍ୟରେ ବାସ୍ତବରେ ଦେଖିଲେ ୧୨୦ ରୁ ଉର୍ଦ୍ଧ୍ବ ବିଭିନ୍ନ ଆକାର ଓ ପ୍ରକାରର ଭୋଗ ପରିବେଷଣ କରାଯାଇଥାଏ । କିନ୍ତୁ ଶ୍ରୀଯୁକ୍ତ ରାଥଶର୍ମା ଶ୍ରୀଜୀଉମାନଙ୍କୁ ପ୍ରଦତ୍ତ ରାଜଭୋଗ ଆଧାରରେ ପ୍ରସ୍ତୁତ ଛପନ ଭୋଗ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ବିବରଣୀ ଗୋପାଳବଲ୍ଳଭ ଭୋଗଠାରୁ ଆରମ୍ଭ ହୋଇ ଶେଷରେ ବଡସିଂହାର ଭୋଗ କ୍ରମେ ସଜାଇ ଦିଆଯାଇଛି। ସମ୍ପୂର୍ଣ୍ଣ ପ୍ରଦତ୍ତ ତାଲିକା ଏଠାରେ ଦେଉନାହିଁ। କାରଣ ସାମ୍ପ୍ରତିକ ଭୋଗ ବ୍ୟବସ୍ଥାରେ ପ୍ରାୟ ଅଧିକାଂଶ ଭୋଗ ପ୍ରଚଳିତ ଥିବା ସମୟରେ କିଛି ଭୋଗ ଆଉ ପ୍ରସ୍ତୁତ ହେଉନାହିଁ। ତଥାପି ସଂଖ୍ୟା ଆକାରରେ ତାଲିକାଟି ହେଲା :- ଗୋପାଲବଲ୍ଳଭରେ -୮ ଟି ପ୍ରକାର, ସକାଳଧୂପରେ -୧୩ ଟି ପ୍ରକାର, ମଧ୍ୟାହ୍ନ ଧୂପରେ -୧୯ ଟି ପ୍ରକାର, ସନ୍ଧ୍ୟା ଧୂପରେ -୯ ଟି ପ୍ରକାର ଓ
ବଡ଼ସିଂହାରରେ -୭ ଟି ପ୍ରକାର, ଏଭଳି ମୋଟ ୫୬ ପ୍ରକାର ଭୋଗର ତାଲିକା ପ୍ରଦତ୍ତ ଅଛି। ଏହି ଭୋଗର ପ୍ରକାର ଭେଦ ଦିନକୁ ଦିନ ବଦଳି ଯିବାର କାରଣ ହେଲା ସମୟ ସମୟରେ ଖଞ୍ଜାଯାଉଥିବା କିଛି ନୂଆ ଭୋଗ ସାମଗ୍ରୀ ଯଥା ଶ୍ରୀରାମ ଦାସ ମଠ ଦ୍ୱାରା ପ୍ରଚଳିତ “ମହାଦେଈ ଥାଳି ଖେଚୁଡ଼ି “ରାଜାମାନଙ୍କ ଦ୍ୱାରା ପ୍ରଚଳିତ ଜେନାମଣି ପିଠା, ଚୋଡ଼ଗଙ୍ଗ ତାଟ, ମେଣ୍ଢାମୁଣ୍ଡିଆ ଖେଚୁଡ଼ି, ଉତ୍ତରପାର୍ଶ୍ଵ ମଠ ପ୍ରଚଳିତ ମୋହନ ଭୋଗ, ଜନୈକ ପ୍ରଶାସକଙ୍କ ଦ୍ୱାରା ରସାବଳୀ ଓ ପାରିଜାତ, ରାୟ ବହାଦୁର ସଖୀଚାନ୍ଦଙ୍କ ଦ୍ୱାରା ପ୍ରଚଳିତ ଖଳି ରୁଟି, କାକରା, ଲୁଣି ଖୁରୁମା ଏହିପରି ଅତୀତରେ ଅନେକ ଭୋଗ ମହାରାଜ, ମହାରାଣୀ, ଜେନାମଣି, ଯୁବରାଣୀ, ରାଜମାତା, ମନ୍ତ୍ରୀ, ରାଜଗୁରୁ, ପରିଛା ଓ ମଠାଧିଶମାନଙ୍କ ଦ୍ୱାରା ପ୍ରଚଳିତ ଏହି ଭୋଗକୁ ଉପାଧି ଭୋଗ ନାମରେ ପ୍ରଚଳନ ପୂର୍ବକ ବିଭିନ୍ନ ଭୋଗର ସମାହାରରେ ପ୍ରସ୍ତୁତ ଛପନ ଭୋଗ ବା ଛପନ ପଉଟି ଭୋଗର ମାନ୍ୟତା ଆଜି ବି ଶ୍ରୀମନ୍ଦିରରେ ରହିଛି। ଆଜି ବି ଶ୍ରୀକ୍ଷେତ୍ରରେ ଅବସ୍ଥିତ କିଛି ମଠ ସାଇତି ରଖିଛନ୍ତି ଗଜପତି ତଥା ମହାରାଜମାନଙ୍କ ଦ୍ୱାରା ପ୍ରଦତ୍ତ ଉପାଧି ଭୋଗ “ଅଧିକାର ଚିଟାଉ”।

ଶ୍ରୀଜଗନ୍ନାଥ ଯେପରି ରହସ୍ୟମୟ ସେହିପରି ବିଚିତ୍ରମୟ ତାଙ୍କର ଛପନ ଭୋଗ ତାଲିକା। ତେଣୁ ଏହାକୁ ଏହିଠାରେ ବିରାମ ଦେଇ ଆଗାମୀ ଅଧ୍ୟାୟରେ ଆଲୋଚନା କରିବା ଶ୍ରୀଜୀଉମାନଙ୍କୁ ଅର୍ପିତ ହେଉଥିବା ପଣା ବାବଦରେ । ଏବେ କରିବା ଆରାଧନା ଓ ଭାଗବତ ପଠନ।

ଆଚାର୍ଯ୍ୟ ବ୍ରହ୍ମlର ମୁରତୀ
ପିତା ପ୍ରତ୍ୟକ୍ଷେ ପ୍ରଜାପତି ।
ଭ୍ରାତା ଯେ ମୁରତୀ ଇନ୍ଦ୍ରର
ମାତା ସାକ୍ଷାତ ପୃଥିବୀର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.