ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
‘ ବିଶ୍ବ ‘ ଶବ୍ଦଟି ବାଂରବାର
କରଂତି ଯିଏ ବ୍ୟବହାର
ତାଂକର ଭାବନା ବିଚାର
କେବଳ କଳ୍ପିତ ପ୍ରଚାର
ବିଶ୍ବ ଯେହେତୁ ଖୁବ୍ ବଡ଼
ହେଲେ ବି ଏକଡ଼, ସେକଡ଼
ଲୋକଂକୁ ପଡ଼େନାହିଁ ଜଣା
ପ୍ରଚାର କରେ ବାଟବଣା
ସ୍ବସ୍ଥାନେ ସ୍ବଖାଦ୍ୟ ସ୍ବବେଶ
ଖାଇ, ପିଂଧି ଯେ କରେ ବାସ
ତାହାର ମନର ସଂତୋଷ
କେବେ ବି ହୁଏନାହିଁ ନାଶ
ଅଯଥା ‘ ବିଶ୍ବ ‘ ଆଖ୍ୟା ପାଇଁ
କରୁଛୁଁ ଅଯଥା ବଡ଼େଇ
ସ୍ଥାନୀୟ ହୋଇ, ଥିଲେ ରହି
କିଛି ତ କମ୍ ହୁଏନାହିଁ
ଲେଖକ ପାଇବାକୁ ମଜା
ଦିଅଂତି ପାଠକଂକୁ ସଜା
ଉଡ଼ୁଛି କେଉଁ ଭାଷା ଧ୍ବଜା
ବୁଝଂତିନାହିଁ ନାତି, ଅଜା
ବୁଝଂତିନାହିଁ ରଜା, ପ୍ରଜା
କାହା ମୁହଁରେ ନାହିଁ ଲଜ୍ଜା
ଚାଲିଛି ତୁଚ୍ଛ ସାଜସଜ୍ଜା
ମଂଜିରୁ ହେଉନାହିଁ ଗଜା
ମାଟିକୁ ଦେଇ ସବୁ ସଜା
ମାଟିର ମୂର୍ତି ପାଏ ପୂଜା
ମିଳେ ଜାତିଜାତିକା ଖଜା
ଭକ୍ତେ ଭୁଂଜି ପାଆଂତି ମଜା
ଉତ୍କର୍ଷ-ମାପନ ପଦ୍ଧତି
ଗଢ଼ିନି ଗୋଷ୍ଠୀ ଅବା ବ୍ୟକ୍ତି
ଯାହାଂକୁ ଲାଗଇ ଯେମିତି
ଦିଅଂତି ସେମିତି ବିବୃତି
ବଢ଼ିଲେ ବ୍ୟକ୍ତିଗତ ଖ୍ୟାତି
ବଢ଼େନି ସାହିତ୍ୟର ଶକ୍ତି
ଲୋକଂକ ଭାଷା ଅନୁରକ୍ତି
ମଳିନ ହୁଏ ସବୁ କୃତି
ବିଶ୍ବ — ଦିବସ ନାମ ଦେଇ
ଆମ ସ୍ବଦେଶୀ ଜାତି ଭାଇ
ଅନୁକରଣକାରୀ ହୋଇ
ଗାଆଁରୁ ଆସଂତି ପଳାଇ
ଏକଦା ବିଶ୍ବ ଶାଂତି ଯଜ୍ଞ
କରୁଥିଲେ ଅଭିଜ୍ଞ, ପ୍ରାଜ୍ଞ
ତାଂକର ଦେଖା ମିଳୁନାହିଁ
ଚାଂଦା ଦେଲେନି ଆଉ କେହି
ଅସଂଖ୍ୟ ଅଳ୍ପଜ୍ଞ ପାଠକ
ନିମଂତେ ବହୁଜ୍ଞ ଲେଖକ
ଦେଉନାହାଂତି ଯଥାଧ୍ୟାନ
ଜ୍ଞାନର ସୁଷମ ବଂଟନ
ଏଠାରେ ଏବେ ସୁଦ୍ଧା ସ୍ବପ୍ନ
କାହାଗେ କରିବା ରୋଦନ ?
କାଂଦିଲେ ସୁଦ୍ଧା ଏବେ କେହି
ବୁଝିବା ଭଳି ଲୋକ ନାହିଁ
Comments are closed.