ଭୋପାଲ: କୁହନ୍ତି ଘୁଷୁରି ପ୍ରକୃତି ପଙ୍କେ ଲୁଟେ, ମଣିଷ ପ୍ରକୃତି ମଲେ ତୁଟେ । ଜେଲ୍ ଯାଇ ସଜ୍ଜା ପାଇବା ପରେ ମଧ୍ୟ ସୁଧୁରିଲାନି ଅଭିଯୁକ୍ତ । ପ୍ରଥମେ ଜଣେ ୪ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଜେଲ୍ ଯାଇଥିବା ଅଭିଯୁକ୍ତ ଜଣକ ଥାନାରେ ଥିବା ବେଳେ ଏପରି ଅଭିନୟ କରିଲା ଯାହାକୁ ଯେ କେହି ବି ଦେଖିବ ସେ ଭାବିବ ପ୍ରକୃତରେ ଲୋକଟିର ସ୍ଵଭାବରେ ପରିବର୍ତ୍ତନ ହୋଇଯାଇଛି । କିନ୍ତୁ ମଣିଷ ପ୍ରକୃତି ସହଜରେ ବା ଯାଏ କୋଉଠି । ସଜ୍ଜା କାଟିବା ପରେ ଯେତେବେଳେ ଥାନାରୁ ଖଲାସ୍ ହେଲା ସେତେବେଳେ ପୁଣି ଆରମ୍ଭ କଲା ତା’ର କଳୁଷିତ କାଣ୍ଡ । ଜେଲରୁ ବାହାରିବାର କିଛି ଦିନ ପରେ ପୁଣି ଜଣେ ୫ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ଅଭିଯୁକ୍ତ । ମଧ୍ୟପ୍ରଦେଶର ସତନା ଜିଲ୍ଲାରୁ ଆସିଛି ଏଭଳି ଲଜ୍ଜାଜନକ ଘଟଣା ।
ମିଳିଥିବା ଖବର ଅନୁଯାୟୀ, ଅଭିଯୁକ୍ତ ଜଣକ ହେଉଛି ସତନା ଜିଲ୍ଲା କ୍ରିଷ୍ଣା ନଗର ଅଞ୍ଚଳ ନିବାସୀ ରାକେଶ ବର୍ମା । ପୋଲିସ୍ ସୂଚନା ମୁତାବକ ରାକେଶ ୧୨ ବର୍ଷ ତଳେ ସେ ଜଣେ ୪ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି ମାମଲାରେ ତାକୁ ୧୦ ବର୍ଷ ଜେଲଦଣ୍ଡ ମିଳିଥିବା ବେଳେ ଭଲ ଆଚରଣ ପାଇଁ ୭ ବର୍ଷ ଜେଲରେ ରହି କିଛି ମାସ ତଳେ ମୁକୁଳିଥିଲା ରାକେଶ । କିନ୍ତୁ ଜେଲରୁ ବାହାରିବା ପରେ ପୁଣିଥରେ ସମାନ ଅପରାଧ ଘଟାଇଛି ।
ସେହି ସ୍ଥାନୀୟ ଅଞ୍ଚଳର ଜଣେ ୫ ବର୍ଷୀୟ ନାବାଳିକାକୁ ଲୋକଙ୍କ ସାମ୍ନାରେ ମିଠା ମିଠା କଥା କହି ନିଜ ସାଙ୍ଗରେ ନେଇଯାଇଥିଲା । ସହରର ଗୋଟିଏ ଶିବ ମନ୍ଦିର ପଛପଟ ଶୂନଶାନ ରାସ୍ତାକୁ ନେଇଯାଇ ସେଠାରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ଏବଂ ସେଠାରୁ ଫେରାର୍ ହୋଇଯାଇଥିଲା । ପରିବାର ଲୋକେ ଝିଅକୁ ନପାଇ ଥାନାରେ ଅଭିଯୋଗ କରିଥିଲେ । ବହୁ ଖୋଜାଖୋଜି କରିବା ପରେ ପୋଲିସ ମୁର୍ମୂଷ ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରିଥିଲା । ଶିଶୁକନ୍ୟାକୁ ଉଦ୍ଧାର କରି ପ୍ରଥମେ ସତନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ହେଲେ ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ରିବା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ରାକେଶ ବର୍ମାକୁ ଗିରଫ କରିଛି ପୋଲିସ ।
Comments are closed.