Latest Odisha News

ତମାଖୁ ସେବନ ଓ ଜଳବାୟୁ ପରିବର୍ତ୍ତନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ

ତମାଖୁ ଉଦ୍ଭିଦ ଜାତ ଜିନିଷ ଅଟେ। ତମାଖୁରେ ନିକୋଟିନ୍ ରହିଥାଏ । ଯାହାକି, ଉଭୟ ଉତ୍ସାହକାରୀ ଏବଂ ଉଦାସୀନ ପ୍ରଭାବକାରୀ ନିଶାର ପ୍ରକାରରେ ଅନ୍ତର୍ଭୁକ୍ତ। ତମାଖୁ ପତ୍ର, ତମାଖୁ ଉତ୍ପାଦ ତିଆରି ପାଇଁ ବ୍ୟବହୃତ ହୁଏ ; ଯାହା ମୁଖ୍ୟତଃ ତିନୋଟି ଉପାୟରେ ସେବନ କରିଥାନ୍ତି। । ଧୂମପାନ, ଚୋବାଇ ଖାଇବା ଓ ତମାଖୁରେ ଦାନ୍ତ ଘସିବାରେ ବ୍ୟବହୃତ ହୁଏ । ଗୁଟଖା, ଖଇନି, ଜରଦା-ପାନ, ପାନମସାଲା ଇତ୍ୟାଦି ମୁଖ୍ୟତଃ ଚୋବାଇ ଖିଆଯାଏ । ସେହିପରି, ବିଡି, ସିଗାରେଟ୍, ହୁକା ହେଉଛି ଧୁମନିଅ ତମାଖୁ ସେବନର ଉଦାହରଣ । ବର୍ତ୍ତମାନ ସମୟରେ ସହରର ଯୁବକ ଯୁବତୀ ଏବଂ ପିଲାମାନଙ୍କ ମଧ୍ୟରେ ହୁକା ଟ୍ରେଣ୍ଡ କରୁଛି । ଯାହାକି ପ୍ରକୃତରେ ଆମ ସମସ୍ତଙ୍କ ପାଇଁ ଏକ ଗଭୀର ଚିନ୍ତାର ବିଷୟ । ବିଶେଷକରି ଗ୍ରାମାଞ୍ଚଳ ମଧ୍ୟରେ ଗୁଡ଼ାଖୁ ଲୋକପ୍ରିୟ ଏବଂ ଏହା ଟୁଥପେଷ୍ଟ ଭାବରେ ବ୍ୟବହୃତ ହୁଏ । ଏହି ସମସ୍ତ ତମାଖୁ ସାମଗ୍ରୀରେ ଶହ ଶହ ପ୍ରକାରର ରାସାୟନିକ ଉପାଦାନ ମିଶେଇ ପ୍ରସ୍ତୁତ କରାଯାଏ ଯାହା ମାନବ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ । କୁହାଯାଏ ଯେ, ‘ତମାଖୁ’ ଏହାର ବ୍ୟବହାରକାରୀଙ୍କୁ ଅଧା ମାରିଦେଇଥାଏ । ତମାଖୁ, ମାନବ ହତ୍ୟାର ସବୁଠାରୁ ବଡ ଏଡ଼ାଇବା ଯୋଗ୍ୟ କାରଣ ଅଟେ । ତମାଖୁ ବିଶ୍ୱରେ ପ୍ରତିବର୍ଷ ୮ ନିୟୁତ ମୃତ୍ୟୁ ଘଟାଇଥାଏ ଏବଂ ବିଶ୍ୱରେ ସମସ୍ତ କର୍କଟ ମୃତ୍ୟୁର ୨୫% ପାଇଁ ତମାଖୁ ସେବନ ଦାୟୀ। ଭାରତରେ, ତମାଖୁ ପ୍ରତିଦିନ ପ୍ରାୟ ୨୫୦୦ ଲୋକଙ୍କୁ ମାରିଥାଏ। ତମାଖୁ ଦ୍ଵାରା ହେଉଥିବା ମୋଟ ମୃତ୍ୟୁ ଏଚ୍.ଆଇ.ଭି. /ଏଡସ୍ ଏବଂ ମ୍ୟାଲେରିଆ ତୁଳନାରେ ମଧ୍ଯ ଅଧିକ।

ତମାଖୁ ସେବନର ସ୍ୱାସ୍ଥ୍ୟଗତ ବିପଦ ବିଷୟରେ ସମସ୍ତଙ୍କୁ ଜଣା କିନ୍ତୁ ଆପଣ ଜାଣନ୍ତି କି ତମାଖୁ ସେବନ, ପରିବେଶ ପାଇଁ ମଧ୍ୟ ବହୁତ ଚିନ୍ତାଜନକ ଅଟେ । ମାତ୍ର ଜଳବାୟୁ ପରିବର୍ତ୍ତନ ଦୃଷ୍ଟିକୋଣରୁ ତମାଖୁ ସେବନକୁ କ୍ୱଚିତ୍ ଦେଖାଯାଏ । ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ମାନବ ସଭ୍ୟତାକୁ ଅନେକ ଉପାୟରେ ବିପଦରେ ପକାଇଛି। ଏକାଧିକ ଦିଗରୁ ଜଳବାୟୁ ପରିବର୍ତ୍ତନକୁ କିପରି ସମାଧାନ କରାଯାଇପାରିବ ତାହା ଆକଳନ କରାଯାଉଛି । ବିଭିନ୍ନ ସମସ୍ୟା ମଧ୍ୟରୁ ତମାଖୁ ପରିବେଶ ପାଇଁ ଆଉ ଏକ ଗମ୍ଭୀର ବିପଦ । ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଅନୁଯାୟୀ, “ପ୍ରତିବର୍ଷ ତମାଖୁ ବିଶ୍ବର ୮ ନିୟୁତ ମାନବ ଜୀବନ ନେଇଥାଏ ସେହିପରି ୬୦୦ ନିୟୁତ ଗଛ ନଷ୍ଟ କରେ, ୨୦୦୦୦୦ ହେକ୍ଟର ଜମି, ୨୨ ବିଲିୟନ ଟନ୍ ଜଳ ଖର୍ଚ୍ଚ କରିଥାଏ। ତମାଖୁ ଶିଳ୍ପ ପ୍ରତିବର୍ଷ ବାୟୁମଣ୍ଡଳରେ ବିପୁଳ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ କରେ ଯାହା ଗ୍ଲୋବାଲ ୱାର୍ମିଂରେ ବହୁ ଅବଦାନ ରହିଛି। ଅଧିକାଂଶ ତମାଖୁ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶରେ ଚାଷ ହୋଇଥାଏ। ଯେଉଁଠାରେ ଏହି ଅଞ୍ଚଳ ପାଇଁ ଖାଦ୍ୟ ଉତ୍ପାଦନ ପାଇଁ ଜଳ ଏବଂ ଚାଷ ଜମି ପ୍ରାୟତଃ ଅଧିକ ଆବଶ୍ୟକ ହୋଇଥାଏ । ଅଧିକରୁ ଅଧିକ ଜମି ଜଙ୍ଗଲରୁ ସଫା କରାଯାଉଛି। ଏହି ଜମିରେ ଖାଦ୍ୟ ଚାଷ ହେବା ପରିବର୍ତ୍ତେ ତମାଖୁ ଚାଷ ହେଉଛି। ଏହା ବ୍ୟତିତ ତମାଖୁ ଚାଷରେ ବ୍ୟବହାର ହେଉଥିବା ରସାୟନିକ ସାର ଯାହା ମଧ୍ଯ ମାଟି ଏବଂ ସମଗ୍ର ପରିବେଶ ପାଇଁ ବିପଦ ଅଟେ।

ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ଆକଳନ ମଧ୍ୟ ସୂଚିତ କରେ ଯେ ତମାଖୁ ସାମଗ୍ରୀ ପୃଥିବୀର ସବୁଠାରୁ ଅଧିକ ଆବର୍ଜନା ତିଆରି କରିଥାଏ । ଏହି ଲିଟର ବା ଆବର୍ଜନା ବିଷୟଗୁଡ଼ିକ କ୍ଷତିକାରକ ଏବଂ ବିଷାକ୍ତ ରାସାୟନିକ ପଦାର୍ଥ ଧାରଣ କରିଥାଏ ଏବଂ ଶେଷରେ ଆମ ପୃଥିବୀ ଏବଂ ଜଳଭାଗକୁ ପ୍ରଦୂଷିତ କରେ ।

ପ୍ରାୟ ୪.୫ ଟ୍ରିଲିୟନ୍ ସିଗାରେଟ୍ ଫିଲ୍ଟର, ଆମ ପରିବେଶ ଯଥା ଜଳ, ବେଳାଭୂମି, ରାସ୍ତା କଡ଼, ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନ ସହିତ ଆମ ସମ୍ପୂର୍ଣ୍ଣ ପରିବେଶକୁ ପ୍ରଦୂଷିତ କରୁଛି । ସେହିପରି, ବିଡି, ସିଗାରେଟ୍ ଏବଂ ହୁକାଠାରୁ ବାୟୁ ପ୍ରଦୂଷଣକୁ ଅଣଦେଖା କରାଯାଇପାରିବ ନାହିଁ । ଏହି ଧୂମପାନ ଦ୍ରବ୍ୟ କେବଳ ଏହାର ଉପଭୋକ୍ତାଙ୍କୁ କ୍ଷତି ପହଞ୍ଚାଏ ନାହିଁ ବରଂ ପାଖରେ ଥିବା ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ ଏବଂ ବାୟୁକୁ ମଧ୍ୟ ପ୍ରଦୂଷିତ କରିଥାଏ । ପ୍ରସିଦ୍ଧ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀଙ୍କ ମତରେ ସିଗାରେଟ ଧୂଆଁ ନା କେବଳ ସ୍ମୋକର୍ସ ପ୍ରତି ବିପଦ ବରଂ ଏହାର ଧୂଆଁରେ “ମାସ ସ୍ମୋକି” ଭଳିଆ ପରିସ୍ଥିତି ତିଆରି କରିଥାଏ। ଏବଂ ଗୁଟଖା ଜରି ବର୍ତ୍ତମାନ ଏତେ ସଂଖ୍ୟାରେ ବଢ଼ିବାକୁ ଲାଗିଲାଣି ଯେ ଏବେ ଚାଷ ଜମି ମଧ୍ଯ ଏହାର ପାଉଚରେ ପ୍ରଦୂଷିତ ହେଉଛି ।

ସେହିପରି ଗୁଟଖା, ପାନ୍ ମସାଲା, ଜରଦା ପାନ, ଖଇନି ଏବଂ ଅନ୍ୟାନ୍ୟ ଚୋବାଇଲା ପରେ ଲୋକେ ଛେପ ପକାଇଥାନ୍ତି। ଅଫିସ୍ ବିଲ୍ଡିଂର ଅନେକ କୋଣରେ ତମାଖୁ ଛେପ ଦେଖିବାକୁ ମିଳିଥାଏ । ଭୁବନେଶ୍ୱର ମହାନଗର ନିଗମ ଦ୍ବାରା ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ସଫେଇ କର୍ମଚାରୀ ଭଉଣୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଚାରିଆଡ଼େ ବିଶେଷ କରି ରାସ୍ତା ସାରା ଗୁଟଖା ପାଉଚ୍ ବହୁତ୍ ମାତ୍ରାରେ ଦେଖିବାକୁ ମିଳୁଛି। ଏହା ରାସ୍ତାକୁ ଅପରିଷ୍କାର କରିବା ସହିତ ଡ୍ରେନକୁ ମଧ୍ୟ ଜାମ କରୁଛି। ଏହା ଦ୍ବାରା ପରିବେଶ ମଧ୍ୟ ପ୍ରଦୂଷିତ ହୋଇଥାଏ। ସେହିପରି, ଶହ ଶହ ବିଷାକ୍ତ ରାସାୟନିକ ପଦାର୍ଥକୁ ଛେପ ଜରିଆରେ ମାଟିରେ ଛାଡି ଦିଆଯାଏ ।ଏହି ଛେପପକା ଅଭ୍ୟାସ ମଧ୍ୟ ସଂକ୍ରାମକ ରୋଗର ବିସ୍ତାରରେ ସହଯୋଗ କରିଥାଏ |

କୋଭିଡ ୧୯ ସମୟରେ, ସର୍ବସାଧାରଣରେ ଛେପ ପକାଇବା କାର୍ଯ୍ୟକଳାପ ବିରୁଦ୍ଧରେ କଡା ନିର୍ଦ୍ଦେଶନାମା ଥିଲା ।ପୁନଶ୍ଚ ଟିକସଦାତାଙ୍କ ଟଙ୍କା ସର୍ବସାଧାରଣ ସ୍ଥାନ ସଫା କରିବା ପାଇଁ ଖର୍ଚ୍ଚ ହୋଇଥାଏ ।ତାହା ହେଉଛି ଆଉ ଏକ ଅନାବଶ୍ୟକ ଖର୍ଚ୍ଚ । ଏହି ପରି, ତମାଖୁ ଆମ ପରିବେଶକୁ ଏକାଧିକ ଦିଗରୁ କ୍ଷତି ପହଞ୍ଚାଏ । ଏହା ଜଙ୍ଗଲ, ଜଳ, ମାଟି ଏବଂ ବାୟୁ ପ୍ରତି ବିପଦ ସୃଷ୍ଟି କରେ । ତେଣୁ, ତମାଖୁ କେବଳ ଆମର ସ୍ୱାସ୍ଥ୍ୟକୁ ଚ୍ୟାଲେଞ୍ଜ କରେ ନାହିଁ ବରଂ ଆମ ପରିବେଶକୁ ମଧ୍ଯ ଚ୍ୟାଲେଞ୍ଜ କରିଥାଏ । ଆମର
ସୁନେଲି ଭବିଷ୍ୟତ ପାଇଁ ଆମେ ତମାଖୁ ବର୍ଜନ କରିବା ଆବଶ୍ୟକ ।

ମୋବାଇଲ୍ :୯୪୩୮୭୪୭୩୨୦

Comments are closed.