ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଥିବା ଲାଲ ଦରୱାଜା ବା ଖୁନୀ ଦରୱାଜା କାହାଣୀ ଏବେ ବି ମନରେ ଭୟ ସୃଷ୍ଟି କରାଉଛି । ସନ୍ଧ୍ୟା ପରେ ଏଠାକୁ ଲୋକମାନେ ଆସିବାକୁ ଭୟ କରିଥାନ୍ତି । ଇତିହାସର ଅନେକ ରକ୍ତ ଜୁଡୁବୁଡୁ କାହାଣୀ ଏଥିସହ ଜଡିତ । ମୋଗଲ ସାମ୍ରାଜ୍ୟର ସବୁଠାରୁ କ୍ରୁର ଶାସକ ଔରଙ୍ଗଜେବ କ୍ଷମତା ଲୋଭରେ ନିଜ ବଡ ଭାଇ ଦାରା ଶିକୋହଙ୍କ ମୁଣ୍ଡ କାଟି ଏଠାରେ ଝୁଲାଇଥିଲେ । ମୋଗଲ-ଆଫଗାନୀ ଶୈଳୀରେ ନିର୍ମିତ ଏହି ଅଟ୍ଟାଳିକା ଦିଲ୍ଲୀର ୧୩ ଐତିହାସିକ ଦରୱାଜା ମଧ୍ୟରେ ଅନ୍ୟତମ ।
ଏଠାରେ ବାହାଦୂର ଶାହ ଜାଫରଙ୍କ ଝିଅ ମିର୍ଜା ମୁଗଲ, କିଜ ସୁଲତାନ ଓ ନାତି ଅବୁ ବକରଙ୍କୁ ବ୍ରିଟିଶ ଜେନେରାଲ ୱିିଲିୟମ ହ୍ୟାଣ୍ଡସନ ଆତ୍ମ ସମର୍ପଣ କରିବା ପାଇଁ କହିଥିଲେ । ସେମାନେ ଖସି ପଳାଉଥିବା ବେଳେ ଧରା ପଡିଥିଲେ । ବ୍ରିଟିଶ ଶାସକ ଏହି ୩ଜଣଙ୍କୁ ଏଠାରେ ନଗ୍ନ କରି ହତ୍ୟା କରିଥିଲେ । ସେମାନଙ୍କ ଶବ ଏଠାରେ ଝୁଲେଇ ରଖା ଯାଇଥିଲା । ଆଉ ଏକ କାହାଣୀରେ ଆକବରଙ୍କ ନବରତ୍ନ ଜାହାଙ୍ଗୀରଙ୍କୁ ବାଦଶାହା ହେବା ସପକ୍ଷରେ ନ ଥିଲେ । ସେମାନଙ୍କ ମଧ୍ୟରୁ ଅବଦୁଲ ରହୀମ ଖାନଖାନଙ୍କ ୨ ଝିଅଙ୍କୁ ହତ୍ୟା କରି ଏଠାରେ ଟଙ୍ଗା ଯାଇଥିଲା । ୧୭୩୯ରେ ପାରସ ରାଜା ନାଦୀର ଶାହ ଏଠାରେ ରଚିଥିଲେ ନାରକୀୟ କାଣ୍ଡ । ଏହି ଅଂଚଳ ରକ୍ତରେ ଜୁଡୁବୁଡୁ ହୋଇ ଯାଇଥିଲା ।
୧୯୪୭ ବିଭାଜନ ସମୟରେ ଶହ ଶହ ଶରଣାର୍ଥୀଙ୍କୁ ଏଠାରେ ହତ୍ୟା କରାଯାଇଥିଲା । ୨୦୦୨ ପରଠାରୁ ଏହି ଦରୱାଜା ବନ୍ଦ କରି ଦିଆଯାଇଛି । ସେହି ପାଖାପାଖି ଅଂଚଳରେ ରହୁଥିବା ଲୋକଙ୍କ ମତରେ ଏଠାରେ ଏବେ ବି ରାତିରେ ଭୟଙ୍କର ଚିତ୍କାର ଶୁଭୁଛି । ବର୍ଷା ଦିନେ ଛାତରୁ ରକ୍ତ ପଡୁଥିବା ମଧ୍ୟ କୁହାଯାଉଛି । ଏହା ନବଭାରତ ଟାଇମ୍ସରେ ପ୍ରକାଶିତ ଏକ ଖବରର ଅନୁବାଦ । ଏହାର ସତ୍ୟତ ସମ୍ପର୍କରେ ଓଡିଶା ସମ୍ବାଦ କୌଣସି ପୃଷ୍ଟି କରୁ ନାହିଁ ।
Comments are closed.