Latest Odisha News

BREAKING NEWS

ରାହୁଲଙ୍କ ଗ୍ୟାରେଣ୍ଟି, ‘ବିଜେପିକୁ ହରାଇଦେଵ କଂଗ୍ରେସ’

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ପ୍ରକାର ସର୍ଭେ ପଦାକୁ ଆସୁଛି। ଏନଡିଏ ନା ଇଣ୍ଡିଆ କିଏ ଜିତିବ ତାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ବାହାରକୁ ଆସୁଛି।

ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ ହରାଇଦେଵ ବୋଲି ଲଦାଖ ଗସ୍ତରେ ଥିବା ରାହୁଲ ଗାନ୍ଧୀ କହିଛନ୍ତି। ଏପରିକି ଗ୍ୟାରେଣ୍ଟିର ସହ ଏହା କହିଛନ୍ତି ରାହୁଲ।

ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଚାରୋଟି ପ୍ରମୁଖ ରାଜ୍ୟର ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ଜିତିବ ବୋଲି ରାହୁଲ ଦୃଢ଼ତାର ସହ କହିଛନ୍ତି।

ଏପରିକି କଂଗ୍ରେସର ପତ୍ତନ ହେଉଛି ବୋଲି କୁହାଯାଉଥିବାବେଳେ ଏହା ସତ ନୁହେଁ ବୋଲି ରାହୁଲ କହିବା ସହ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶରେ କାହାର ପତ୍ତନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ କାହାର ପତ୍ତନ ହେବ ସମସ୍ତେ ଦେଖିବେ ବୋଲି ଲଦାଖରେ ରାହୁଲ କହିଛନ୍ତି। କଂଗ୍ରେସ କେବଳ ଏକ ରାଜନୈତିକ ଦଳ ନୁହେଁ ଏହା ଏକ ବିଚାରଧାରା ଓ ଭାବନା ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନର କୋଟି କୋଟି ଲୋକଙ୍କ ହୃଦୟରେ ଏହା ରହିଛି ବୋଲି ରାହୁଲ କହିଛନ୍ତି। ଗଣତନ୍ତ୍ରରେ ଗୋଟିଏ ଦଳ ଆଉ ଗୋଟିଏ ଦଳ ସହ ଲଢ଼େ। କିନ୍ତୁ ଏବେ ଲୋକତନ୍ତ୍ରରେ ଏହା ହେଉ ନାହିଁ। ବିଜେପି ଦେଶର ସମସ୍ତ ସଂସ୍ଥା ଉପରେ ନିୟନ୍ତ୍ରଣ କରୁଛି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଗୋଟିଏ ପଟେ ସ୍ୱାଧୀନତା ଦିବସ ଦିନ ଲାଲକିଲ୍ଲା ଉପରୁ ପ୍ରଧାନମନ୍ତ୍ରୀ ୨୦୨୪ ନିର୍ବାଚନରେ ଜିତିବା ନେଇ ସ୍ପଷ୍ଟ କରିଥିବା ବେଳେ ଆଉ ଗୋଟିଏ ପଟେ ରାହୁଲ ବିଜେପିକୁ କଂଗ୍ରେସ ହରାଇଦେଵ ବୋଲି ଗ୍ୟାରେଣ୍ଟି ଦେଇ କହିବା ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ତେଣୁ ଉଭୟଙ୍କର ମନ୍ତବ୍ୟ କେବଳ ରାଜନୈତିକ ନା ଏଥିରେ କିଛି ଆଧାର ଅଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Comments are closed.