Latest Odisha News

BREAKING NEWS

ଭୁବନେଶ୍ୱରରୁ ଉତକେଲା ବିମାନ ବନ୍ଦର ପରୀକ୍ଷାମୂଳକ ଉଡାଣ ସଫଳ, ୩୧ରେ ଉଦଘାଟନ

କଳାହାଣ୍ଡି: କଳାହାଣ୍ଡିର ଉତକେଲା ବିମାନ ବନ୍ଦରକୁ ଡିଜିସିଏର ମଞ୍ଜୁରୀ ମିଳିବା ପରେ ଆସନ୍ତା ଅଗଷ୍ଟ ୩୧ ତାରିଖରେ ଭୁବନେଶ୍ୱର-କଳାହାଣ୍ଡି ସେକ୍ଟରରୁ ଉଡ଼ାଣ ଭରିବା ପୂର୍ବରୁ ମଙ୍ଗଳବାର ଇଣ୍ଡିଆଓ୍ୱାନ (IndiaOne) ଏୟାରକ୍ରାଫ୍ଟ ପରୀକ୍ଷାମୂଳକ ଭାବେ ଉଡ଼ାଣ ଭରିଛି।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସକାଳ ୭ଟା ୧୫ରେ ଉଡ଼ାଣ ଆରମ୍ଭ କରି ୮ଟା ୨୫ରେ ଉତକେଲା ଏୟାରଫିଲ୍ଡରେ ପହଞ୍ଚିବ। ଫେରିବା ସମୟରେ ସେହି ବିମାନଟି ସକାଳ ୮ଟା ୫୦ରେ ଉତକେଲାରୁ ବାହାରି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବ।

ଏହାର ଉଦଘାଟନୀ ବିମାନକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଗଷ୍ଟ ୩୧ରେ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିବେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗଦେବେ।

ଏହି ପରୀକ୍ଷଣ ସମ୍ପର୍କରେ ବିପିଆଇଏ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି,ବିମାନର ପରୀକ୍ଷଣ ସଫଳ ହୋଇଛି। ଭୁବନେଶ୍ୱର-ଉତକେଲା ବିମାନରେ ଯାତ୍ରୀଙ୍କ ପାଇଁ ପ୍ରାରମ୍ଭିକ ଭଡ଼ା ୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଇଣ୍ଡିଆଓ୍ୱାନ ଏୟାରରୁ ଏକ ନଅ ସିଟ୍ ବିଶିଷ୍ଟ ବିମାନ ଏହି କ୍ଷେତ୍ରରେ ସେବା ପ୍ରଦାନ କରିବ।

ଅଗଷ୍ଟ ୭ ତାରିଖରେ ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ଡିଜିସିଏ ଅନୁମତି ମିଳିଥିଲା। ଭବାନୀପାଟଣା ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଥିବା ଉତକେଲାଠାରେ ୧୯୬୨ ମସିହାରେ ନିର୍ମିତ ହୋଇଥିଲା ଏହି ଏୟାରଷ୍ଟ୍ରିପ୍।

Comments are closed.