ଭୁବନେଶ୍ୱର: ଆଗକୁ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ସାଧାରଣ ନିର୍ବାଚନ ରହିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଉଜ୍ଜଳା ଯୋଜନାରେ ଏଲପିଜି ସବସିଡି ଘୋଷଣା କରିଛି। ଯଦିଓ ଏହାକୁ ରାକ୍ଷୀ ଉପହାର ବୋଲି କେନ୍ଦ୍ର ସରକାର କହିଛନ୍ତି କିନ୍ତୁ ଏହାଦ୍ୱାରା ହାଣ୍ଡିଶାଳ ବୁଝୁଥିବା ଗୃହିଣୀ କେତେ ଉପକୃତ ହେବେ ତାହା ଏବେ ଗୁରୁତ୍ୱ।
ବର୍ତମାନ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୧୧୦୦ ଟଙ୍କା ପରିବର୍ତ୍ତେ ୯୦୦ ଟଙ୍କା ଦେବାକୁ ପଡିବ । ସେହିପରି ଉଜ୍ଜ୍ୱଳା ହିତାଧିକାରୀମାନେ ଗତ ମାର୍ଚ୍ଚ ମାସରେ ୨୦୦ ଟଙ୍କାର ସବସିଡି ପାଇ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୧୧୦୦ ରୁ ୯୦୦ଟଙ୍କା ଦେଉଥିଲେ ଏବଂ ଏବେ ସେମାନେ ୭୦୦ ଟଙ୍କାରେ ପାଇବେ ।
କର୍ଣ୍ଣାଟକରେ କଂଗ୍ରେସ ବିଧାନସଭା ନିର୍ବାଚନ ବେଳେ କ୍ଷମତାକୁ ଫେରିଲେ ରୋଷେଇ ଗ୍ୟାସରେ ସବସିଡି ଦେବ ବୋଲି କହିଥିଲା। ଯାହାର ପରିଣାମସ୍ବରୂପ ଏହା ଲାଭବାନ ହୋଇଛି। ଆଉ ସମାନ ଫର୍ମୁଲା ଏବେ ହିନ୍ଦୀ ହାର୍ଟବେଲ୍ଟରେ ଆପଣାଇ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟ ଦରଦାମ ବୃଦ୍ଧିକୁ ନିର୍ବାଚନୀ ଅସ୍ତ୍ର କରିବାକୁ ଯୋଜନା କରୁଥିବା ବେଳେ କେନ୍ଦ୍ର ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।
ଏହାକୁ ନେଇ ରାଜଧାନୀର ବାସିନ୍ଦା ସୌମ୍ୟା ପରିଡା କହିଛନ୍ତି, ରୋଷେଇ ଗ୍ୟାସ ସବସିଡି ମିଳିଛି। ୨୦୦ ଟଙ୍କା କମରେ ମିଳିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ସରକାର ଗୋଟିଏ ପଟେ କମେଇଲେ ଆଉ ଗୋଟିଏ ପଟେ ନେଉଛନ୍ତି। ଯେମିତିକି ଡାଲି ଦର ବଢିବା। ମାସକ ତଳେ ବିଲାତି ଦର ଅଧିକ ଥିଲା ଏହାପରେ ପିଆଜ ଦର ଏବେ ବଢିଥିବା ବେଳେ ଡାଲି ଦର ମଧ୍ୟ ବଢିଛି। ସେହିପରି ଚାଉଳ ଦର ମଧ୍ୟ ଆକାଶଛୁଆଁ ହୋଇଛି। ତେଣୁ ସରକାରଙ୍କ ଏହି ପଦକ୍ଷେପ ସେଭଳି କୌଣସି ଘରର ବଜେଟ ଉପରେ ପ୍ରଭାବ ପକାଇବ ନାହିଁ।
ସେହିପରି ଅର୍ଥ ବିଶାରଦ କହିଛନ୍ତି, ଦର କମ୍ ବେଶୀ ହେବା ସରକାରଙ୍କ ଉପରେ ନିର୍ଭର କରେ। ସ୍ଥିତି ଦେଖି ସରକାର ନିଷ୍ପତ୍ତି ନିଅନ୍ତି। ନିର୍ବାଚନର ଛଅ ମାସ ପୂର୍ବରୁ ଏବଂ ବର୍ଷେ ଯାଏ ଦରକୁ ସରକାର ନିୟନ୍ତ୍ରଣ କରନ୍ତି। ଆଉ ୫ ବର୍ଷର ସରକାରରେ ଦ୍ବିତୀୟ ବର୍ଷରୁ ୪ ବର୍ଷ ଦର ଅଧିକ ସାଧାରଣତଃ ରହିଥାଏ। ଆଉ ଏହି ଦର ସହିତ ଲୋକ ଅଭ୍ୟସ୍ତ ହୋଇଯାଆନ୍ତି। ପରବର୍ତ୍ତୀ ସମୟରେ ଦର ଟିକିଏ କମିଲେ ସାଧାରଣରେ ଗୋଟିଏ ବାର୍ତ୍ତା ଯାଏ ଯେ ସରକାର ଦର କମାଇଲେ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବହୁ ଶୀଘ୍ର ଆହୁରି ୭୫ ଲକ୍ଷ ନୂତନ ହିତାଧିକାରୀଙ୍କୁ ପିଏମ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ। ଏବେ ୧୦.୩୫ କୋଟି ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ଅଛନ୍ତି ଏବଂ ସେଥିମଧ୍ୟରୁ ଓଡିଶାରେ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ରହିଛନ୍ତି । ସରକାରଙ୍କ ଏହି ନିଷ୍ପତି ଫଳରେ ଦେଶର ୩୩ କୋଟି ରୋଷେଇ ଗ୍ୟାସ ହିତାଧିକାରୀ ଲାଭାନ୍ୱିତ ହେବେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶରେ ଥିବା ୩୩ କୋଟି ଏଲପିଜି ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ୍ କରିବା ସଂକ୍ରାନ୍ତୀୟ ନିଷ୍ପତିକୁ ପ୍ରଧାନମନ୍ତ୍ରୀ କ୍ୟାବିନେଟରେ ମଞ୍ଜୁରୀ ଦେଇଛନ୍ତି । ସେହିପରି ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବାର ଆଉ ଏକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି ।
ପୂର୍ବ ସରକାରରେ ୨୦୧୪ ସୁଦ୍ଧା ଦେଶରେ ବାସ୍ତବିକ ୧୪ କୋଟି ଏଲପିଜି ହିତାଧିକାରୀ ଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ଏହି ସଂଖ୍ୟା ବୃଦ୍ଧି ପାଇଁ ୩୩ କୋଟିରେ ପହଞ୍ଚିଛି । ଦେଶରେ ୯ କୋଟି ୬୦ ଲକ୍ଷ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀ ଥିବାବେଳେ ଆଜିର କ୍ୟାବିନେଟ୍ ନିଷ୍ପତି ଦ୍ୱାରା ଉଜ୍ଜ୍ୱଳା ହିତାଧିକାରୀଙ୍କ ସଂଖ୍ୟା ୧୦ କୋଟି ୩୫ ଲକ୍ଷରେ ପହଞ୍ଚିବ । ସାଢେ ୪ ହଜାର କୋଟି ଟଙ୍କା ଭାରତ ସରକାର ଦାୟିତ୍ୱ ନେବେ ।
ଦେଶର ମାତୃଶକ୍ତିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ । କରୋନା ସମୟରେ ମହିଳାଙ୍କୁ ଜନଧନରେ ୧୫୦୦ ଟଙ୍କା ହେଉ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ, ସ୍ୱଚ୍ଛ ଭାରତ ଯୋଜନାରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହେଉ କିମ୍ବା ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ନିଷ୍ପତି ହେଉ, ମହିଳାଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧ । ମହିଳା ସଶକ୍ତ ହେଲେ ଦେଶର ଅର୍ଥନୀତି ସଶକ୍ତ ହେବ ଏବଂ ଭାରତର ସମାଜ ସଶକ୍ତ ହେବ।
Comments are closed.