Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସେବକ ଶୁଦ୍ଧି (୨)

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜା ବିଧି ବିଧାନ ପୂର୍ବରୁ ପୂଜକ ନିଜକୁ ଶୁଦ୍ଧପୂତ କରି ଆରାଧ୍ୟ ଦେବତାଙ୍କ ସମ୍ମୁଖରେ ବା ସମୀପରେ ଆସନ ପକାଇ ଉପବେଶନ କରିବେ। ଅତି କମରେ ଗୋଟିଏ କୁଶକୁ ମଧ୍ଯ ଆସନ ଭାବରେ ଗ୍ରହଣ କରାଯାଇପାରେ । ଏହାପରେ ନିଜ ଚତୃପାର୍ଶ୍ଵର ବିଘ୍ନ ନାଶ କରିବେ। ଯଥା:- ହାତରେ ଫୁଲ ଅରୁଆ ଚାଉଳ ଧରି “ଓଁ ହ୍ର ଅସ୍ତ୍ରlୟ ଫଟ “କହି ନାରାଚ ମୁଦ୍ରାରେ ଆଗକୁ ପକାଇବେ ଓ ପରେ ବାମ ଅଙ୍ଗକୁ ସଙ୍କୋଚ କରି ବିଘ୍ନ ଗୁଡିକୁ ସେହିବାଟେ ତଡିବେ। ପୁଣି ଅସ୍ତ୍ର ମନ୍ତ୍ର ପଢି ବାମ ଗୋଇଠିରେ ଭୂମିକୁ ତିନିଥର ଆଘାତ କରି ଭୂମି ସ୍ଥିତ ବିଘ୍ନକୁ ତଡିବେ। ପୁନଃ ଅସ୍ତ୍ର ମନ୍ତ୍ର ପଢି ତିନୋଟି ତାଳି ମାରି ଆନ୍ତରିକ୍ଷର ବିଘ୍ନକୁ ତଡିବେ। ଦ୍ୟୁଲୋକ ସ୍ଥିତ ବିଘ୍ନ ନଷ୍ଟ ପାଇଁ ପୁନଃ ଅସ୍ତ୍ର ମନ୍ତ୍ର ପାଠ କରି ଅନାମିକା ଓ ବୃଦ୍ଧ ଆଙ୍ଗୁଳିରେ ଦୁଇ ଚକ୍ଷୁକୁ ସ୍ପର୍ଶ କରି ଉର୍ଦ୍ଧ୍ଵକୁ ଚାହିଁବେ। ସର୍ବ ବିଘ୍ନ ଦୂର ହେବା ଅନୁଭବ କରି ଘଣ୍ଟି ବଜାଇ ସ୍ୱତନ୍ତ୍ର ମନ୍ତ୍ର ପାଠ ଦ୍ୱାରା ପୂର୍ବରୁ ବର୍ଣ୍ଣିତ ଶୁଦ୍ଧିକ୍ରିୟା କରିବେ। ଯଥା :- ଆସନ ଶୁଦ୍ଧି, ଭୁତ ଶୁଦ୍ଧି ଇତ୍ୟାଦି ପ୍ରକାର ଶୁଦ୍ଧି ଓ କ୍ରିୟା କରିବେ। ଶେଷରେ ଦେବତାଙ୍କ ନ୍ୟାସ କରିବେ ଏହି ଦେବତା ନ୍ୟାସରେ ପ୍ରକୃତି ଓ ପୁରୁଷଙ୍କ ସମନ୍ୱୟ ର ଚିନ୍ତା ହୋଇଥାଏ। ଶ୍ରୀଜଗନ୍ନାଥଙ୍କ କେଶବାଦି ନ୍ୟାସ (ଲଷ୍ମୀ ନାରାୟଣ ଦେବପାସନା ), ଶ୍ରୀ ବଲଭଦ୍ରଙ୍କର ଶ୍ରୀକଣ୍ଠାଦି ନ୍ୟାସ, (ଅର୍ଦ୍ଧନାରୀଶ୍ୱର ଦେବତା ଉପାସନା)ଏବଂ ଦେବୀ ସୁଭଦ୍ରିକାଙ୍କୁ କଳା ନ୍ୟାସ (ଦେବୀ ଉପାସନା )କରାଯାଏ। ତତ୍ପରେ ସମ୍ପୂର୍ଣ୍ଣ ପୂଜା ପାଇଁ ଅର୍ଘ୍ୟ ସଂସ୍କାରଠାରୁ ଆରମ୍ଭ କରି ବିଭିନ୍ନ ସଂସ୍କାରଗୁଡ଼ିକ ଅତ୍ୟନ୍ତ ଧ୍ୟାନ ସହକାରେ କରିବା ଆବଶ୍ୟକ। ଆଗାମୀ ଅଧ୍ୟାୟରେ କିଛି ମନ୍ତ୍ର ସହ ସମସ୍ତ ପ୍ରକ୍ରିୟାର ଆଲୋଚନା ଜାରି ରଖିବା। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ଯେ ଦେଶ କାଳ ପାତ୍ର ମତେ
ଯା ମିଳେ କର୍ମ ର ଆୟତେ।
ସେ ଭାବେ ପୋଷିବ ଜୀବନ
ଦେଖିବ ସକଳ ସମାନ

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.