Latest Odisha News

ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ

ଭୁବନେଶ୍ୱର: ଆଜି ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟିର ସଚିବ ସଞ୍ଜୟ ମିତ୍ତଲ ଓଡ଼ିଶା ରାଜ୍ୟ  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଓଡ଼ିଶା ପରିବହନ କମିଶନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ରାଜ୍ୟରେ ସଡକ ସୁରକ୍ଷା ସଂକ୍ରାନ୍ତୀୟ ଆଲୋଚନା ହୋଇଥିଲା।  ସଡ଼କ ସୁରକ୍ଷା ଦିଗରେ ଓଡ଼ିଶା ସରକାର ଗ୍ରହଣ କରୁଥିବା ପଦକ୍ଷେପକୁ ନେଇ ସଡ଼କ ସୁରକ୍ଷା ସଂକ୍ରାନ୍ତ ସୁପ୍ରିମ୍ କୋର୍ଟ କମିଟି ସଚିବ ଶ୍ରୀ ମିତ୍ତଲ ସନ୍ତୋଷ ପ୍ରକାଶ କରିଛନ୍ତି।

ସଡ଼କ ସୁରକ୍ଷା ଦିଗରେ ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ ରହିଛି ବୋଲି  ପ୍ରକାଶ କରିଛନ୍ତି । ହେଲେ ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନଏଚଏଆଇ)ର କେତେକ କ୍ଷେତ୍ରରେ  ଉଦାସୀନ ମନୋଭାବକୁ ସଚିବ ଶ୍ରୀ ମିତ୍ତଲ  ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏ ଦିଗରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ପରିବହନ କମିଶନରଙ୍କୁ ପରାମର୍ଶ ଦେଇ ଏକ ଅଭିଜ୍ଞ ଟିମ୍ ଦ୍ୱାରା ବ୍ଲକସ୍ତରରୁ ସହରାଞ୍ଚଳ ପର୍ଯ୍ୟନ୍ତ ରୋଡ ଇଞ୍ଜିନିୟରିଂ ଉପରେ ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି ।  ଅଟୋ ଚାଳକମାନଙ୍କୁ ସଚେତନ କରିବା ଏବଂ ଭୁବନେଶ୍ୱରରେ ଅଟୋ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉପରେ ସେ କହିଛନ୍ତି । ସେହିପରି ଅଭିଭାବକ-ଶିକ୍ଷକ ଦିବସରେ ବିଶେଷଜ୍ଞଙ୍କ ଦ୍ୱାରା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଡକ ସୁରକ୍ଷା ସଂବନ୍ଧୀୟ ସଚେତନତା ଉପରେ ସେ ଗୁରୁତ୍ୱ  ଦେଇଥିଲେ।

ରାସ୍ତା ପାର୍ଶ୍ୱ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟ୍ରାଫିକ୍ ନିୟନ୍ତ୍ରଣ କେନ୍ଦ୍ର  ସଂପର୍କରେ ପ୍ରଶିକ୍ଷଣ ଦିଆଯିବ। ସଡ଼କ ପାର୍ଶ୍ୱରେ ଥିବା ଗ୍ରାମର ଅତି କମରେ ୧୦ ଜଣ ଯୁବକ ଯୁବତୀମାନଙ୍କୁ ରେଡକ୍ରସ/ସେଣ୍ଟ ଜନ୍ ପ୍ରାଥମିକ ଚିକିତ୍ସା ଦଳ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ, ଯାହା ଦ୍ୱାରା ଦୁର୍ଘଟଣାରେ ପୀଡିତମାନଙ୍କର ଉପଯୁକ୍ତ ଯତ୍ନ ନିଆଯିବ। ଉତ୍ସାହିତ କରିବା ପାଇଁ ସଡ଼କ ସୁରକ୍ଷା ସ୍ୱେଚ୍ଛାସେବୀମାନଙ୍କର ବାର୍ଷିକ ସମ୍ମିଳନୀ କରାଯିବା ସହ ସଚେତନତା ସୃଷ୍ଟି କରାଯିବା ସଂପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

Comments are closed.