ନୂଆଦିଲ୍ଲୀ: ମଧ୍ୟ ରାତ୍ରରେ ଆମାଜନ ମ୍ୟାନେଜର ହରପ୍ରୀତ ଗିଲଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଜଣେ ୧୮ ବର୍ଷର କିଶୋର । ବିଶ୍ୱାସ ନହେଲେ ବି କଥାଟା ସତ । ଖାଲି ସେତିକି ନୁହେଁ, ତାଙ୍କ ବିରୋଧରେ ୪ଟି ହତ୍ୟା ମାମଲା ରହିଛି । ତାଙ୍କ ଅଧିନରେ ଡଜନରୁ ଅଧିକ ଗ୍ୟାଙ୍ଗ ମେମ୍ବର କାମ କରୁଛନ୍ତି ।
ତାଙ୍କର ଇନଷ୍ଟା ପ୍ରୋଫାଇଲ କିଙ୍ଗପମାୟାପ୩୦୨ ନାମରେ ରହିଛି । ତାଙ୍କର ୨ହଜାର ଫଲୋଅର ବି ଅଛନ୍ତି । ଏଥିରେ ଲେଖାଅଛି ‘ମୁଁ ଜଣେ ବଦନାମ ମଣିଷ, ଶ୍ମଶାନ ମୋ ଠିକଣା । ମୋ ବୟସ ବଞ୍ଚିବାର କିନ୍ତୁ ମୁଁ ମରିବାକୁ ଚାହୁଁଛି ।’
ଆମାଜନ ସିନିଅର ମ୍ୟାନେଜରଙ୍କ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରୁ ଜଣେ ୧୮୮ ବର୍ଷର ବାଳକ ସମୀର ଓରଫ ମାୟା । ଏହି ମାୟା ଏକ ଅପରାଧିକ ଗ୍ୟାଙ୍ଗର ଲିଡର । ତା ଗ୍ୟାଙ୍ଗରେ ଉତ୍ତର ପୂର୍ବ ଦିଲ୍ଲୀର ଡଜନ ଡଜନ ଯୁବକ ସାମିଲ ଅଛନ୍ତି ।
ମାୟା ନାବାଳକ ଥିବାବେଳେ ଅତିକମରେ ୪ଟି ହତ୍ୟା ମାମଲାରେ ସଂପୃ୍କ୍ତ ଅଛି । ସେ ମୁଭି ଶୁଟ ଆଉଟ ଏବଂ ଲୋଖଣ୍ଡବାଲା ଦ୍ୱାରା ଖୁବ ପ୍ରଭାବିତ ।
ଗିରଫ ଅନ୍ୟଜଣେ ଯୁବକ ହେଲେ ବିଲାଲ ଗାନି । ତାଙ୍କର ବୟସ ମଧ୍ୟ ୧୮ ବର୍ଷ । ଏହି ଘଟଣାରେ ସମୁଦାୟ ୫ ଯୁବକ ସମ୍ପୃକ୍ତ ଥିବା ବେଳେ ଆଉ ୪ ଜଣଙ୍କୁ ଖୋଜୁଛି ପୁଲିସ୍ । ପୋଲିସ ସୂଚନା ଅନୁସାରେ, ସାମାନ୍ୟ ବଚସାରୁ ଯୁବକମାନେ ଏପରି ବୀଭତ୍ସ କାଣ୍ଡ ଘଟାଇଛନ୍ତି ।
ସୂଚନାଥାଉ କି, ଗତ ମଙ୍ଗଳବାର ରାତିରେ ହରପ୍ରୀତ ଗିଲ୍ ନିଜ ସାଥୀ ଗୋବିନ୍ଦଙ୍କ ସହ କାମ ସାରି ଘରକୁ ଫେରୁଥିଲେ। ଭଜନପୁରା ଗଳି ଛୋଟ ଥିବା ବେଳେ ଅପର ପାର୍ଶ୍ୱରୁ ଗୋବିନ୍ଦଙ୍କ ସହ ଆସୁଥିବା ହରପ୍ରୀତ ଗିଲ୍ଙ୍କ ସହ ଅପରାଧୀଙ୍କର ଧକ୍କା ହୋଇଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ସମୟରେ ହରିପ୍ରୀତ ଓ ଗୋବିନ୍ଦଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ସେଥି ମଧ୍ୟରୁ ଗୋଟିଏ ଗୁଳି ହରପ୍ରୀତଙ୍କ ମୁଣ୍ଡର ଆରପାର୍ ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ଗୋବିନ୍ଦଙ୍କ ଡାହାଣ ପଟ କାନ ନିକଟରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।
Comments are closed.