ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ତାଙ୍କ ଅଭିଭାଷଣରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ ପ୍ରମୁଖ ବିଷୟ ଉପରେ ଆଲୋକପାତ କରିଛନ୍ତି।
ମେଣ୍ଟ ମଧ୍ୟରେ ଆସନ ଭାଗବଣ୍ଟା ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିବା ଏବଂ ଦଳ ଦଳ ମଧ୍ୟରେ ତାଳମେଳ ରଖିବାକୁ ଏକ ସମନ୍ବୟ କମିଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ସେଥିମଧ୍ୟରୁ ଚୀନ ସହ ସୀମା ବିବାଦ ଅନ୍ୟତମ। ଲଦାଖରେ ଚୀନ୍ ସେନା ଭାରତୀୟ ଅଞ୍ଚଳ ଦଖଲ କରିଥିବା କଥାକୁ ସେ ଜାତୀୟ ସୁରକ୍ଷାର ବିଷୟ ବୋଲି କହିଛନ୍ତି।
ମେଣ୍ଟର ରଣନୀତି ସମ୍ପର୍କରେ ସୂଚନା ଦେଇ ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି (ବିଜେପି)କୁ ହରାଇବା ପାଇଁ ମିଳିତ ଭାବେ କାମ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦେଶର ପ୍ରଗତିରେ ଗରିବ ନାଗରିକଙ୍କୁ ସାମିଲ କରିବା ଲାଗି ଏକ ସ୍ପଷ୍ଟ ବିକାଶ ପଥ ପ୍ରସ୍ତୁତ କରିବାକୁ ମେଣ୍ଟ ସଙ୍କଳ୍ପ ନେଇଛି ବୋଲି କହିଛନ୍ତି। ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ମଧ୍ୟ ଆସନ ଭାଗବଣ୍ଟା ନେଇ ରାହୁଲ ଗାନ୍ଧୀଙ୍କ ମତକୁ ସମର୍ଥନ କରିଛନ୍ତି।
ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୌତମ ଆଦାନୀଙ୍କ ମଧ୍ୟରେ ଏକ ସମ୍ପର୍କ ରହିଛି। ଯାହା ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଦୁର୍ନୀତିକୁ ସୂଚାଉଛି। ଗିରବଙ୍କ ପଇସା ନେଇ ମୋଦୀ ଏକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଦେଉଛନ୍ତି। ସେ କହିଛନ୍ତି ଯେ ଏହି କଥିତ ଦୁର୍ନୀତିକୁ ଉନ୍ମୋଚନ କରିବା ଇଣ୍ଡିଆ ମେଣ୍ଟର ପ୍ରାଥମିକ ଲକ୍ଷ୍ୟ ହେବ।
ଯଦି ବିରୋଧୀ ଏକଜୁଟ ହୁଅନ୍ତି ତେବେ ବିଜେପି ପାଇଁ ନିର୍ବାଚନ ଜିତିବା ପ୍ରାୟ ଅସମ୍ଭବ ହୋଇପଡ଼ିବ। ସେ କହିଛନ୍ତି ଯେ ଏହି ମେଣ୍ଟ ଭାରତୀୟ ଜନସଂଖ୍ୟାର ୬୦ ପ୍ରତିଶତକୁ ପ୍ରତିନିଧିତ୍ୱ କରୁଛି ଏବଂ ଏହି ମେଣ୍ଟର ସମ୍ଭାବ୍ୟ ପ୍ରଭାବ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
Comments are closed.