Latest Odisha News

BREAKING NEWS

୧ ମିନିଟରେ ସର୍ବାଧିକ ଆଲିଙ୍ଗନ କରି ବିଶ୍ୱ ରେକର୍ଡ଼ କଲେ ଦୁଇ ଯୁବକ, ପୂର୍ବରୁ କରିଛନ୍ତି ଅନେକ ରେକର୍ଡ଼

ନ୍ୟୁୟର୍କ : ଦୁନିଆର ଅନେକ ଲୋକ ଅଛନ୍ତି, ବିଭିନ୍ନ କୌଶଳ ହେଉ ବା କିଛି ସ୍ୱତନ୍ତ୍ର କାରନାମା କରି ବିଶ୍ୱ ରେକର୍ଡ଼ କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଅଜବ ଜିନିଷ କରି ରେକର୍ଡ ସୃଷ୍ଟି କରିବାରେ ସକ୍ଷମ ହୋଇଥାନ୍ତି । ଏବେ ଦୁଇ ଜଣ ଯୁବକ କିଛି ନିଆରା କରି ରେକର୍ଡ଼ କରିଛନ୍ତି । ସେମାନେ ୧ ମିନିଟ୍‌ରେ ପରସ୍ପରକୁ ସର୍ବାଧିକ ଆଲିଙ୍ଗନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିିଛନ୍ତି । କେବଳ ଏତିକି ନୁହେଁ, ଏହି ଦୁଇ ଯୁବକ ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ମୋଟ ୩୦୦ ରେକର୍ଡ଼ କରି ଚର୍ଚ୍ଚାକୁ ଆସିଛନ୍ତି ।

ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଆମେରିକାର ଇଡାହୋରେ ରୁହନ୍ତି ଡେଭିଡ ରୁଷ ଏବଂ ଯୋଶ ହର୍ଟନ । ଏହି ଦୁଇଜଣ ବିଭିନ୍ନ କ୍ଷେତ୍ରରେ ମୋଟ ୩୦୦ ଥର ବିଶ୍ୱ ରେକର୍ଡ କରିିଛନ୍ତି । ନିକଟରେ ସେମାନେ ୧ ମିନିଟ୍‌ରେ ସର୍ବାଧିକ ଥର ଆଲିଙ୍ଗନ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୧୯ ମସିହାରେ ଅନ୍ଥୋନୀ ଆଣ୍ଡରସନ ଓ ଡ଼ାରିୟସ ରକର ୧ ମିନିଟରେ ସର୍ବାଧିକ ଆଲିଙ୍ଗନ କରି ବିଶ୍ୱ ରେକର୍ଡ କରିଥିଲେ । ସେମାନେ ୧ ମିନିଟରେ ୧୩୮ ଥର ଆଲିଙ୍ଗନ କରି ରେକର୍ଡ କରିଥିଲେ । ଏବେ ଡ଼େଭିଡ଼ ଓ ଯୋଶ ଏହି ରେକର୍ଡ଼କୁ ଭାଙ୍ଗିଛନ୍ତି । ଏମାନେ ୧ ମିନିଟରେ ୧୫୩ ଥର ଆଲିଙ୍ଗନ କରି ଏହି ରେକର୍ଡ ଭାଙ୍ଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ଡ଼େଭିଡ଼ ଓ ଯୋଶ୍ ପ୍ରଥମେ ଆମେରିକାର ଟିଭି ଶୋ’ ଗଟ୍ ଟ୍ୟାଲେଣ୍ଟରେ ନିଜର ବିଭିନ୍ନ କୌଶଳ ଦେଖାଇ ଚର୍ଚ୍ଚାକୁ ଆସିଥିଲେ । ପରେ ୟୁଟ୍ୟୁବ୍ ଦୁନିଆରେ ପ୍ରବେଶ କରିଥିଲେ । ସେମାନଙ୍କ ନାମରେ ଅନେକ ବିଶ୍ୱ ରେକର୍ଡ଼ ମଧ୍ୟ ରହିଛି । ଯେମିତି କି ୧ ମିନିଟରେ ଛୁରୀ ଫିଙ୍ଗି ସର୍ବାଧିକ ଥର ଆପଲ୍ କାଟି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ ।

Comments are closed.