ଭଦ୍ରକ: ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ କରଞ୍ଜିଆରେ ପିଡିଏସ୍ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗରେ ଉତ୍ତେଜନା ପ୍ରକାଶ କରି ଶତାଧିକ ମହିଳା ହିତାଧିକାରୀ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ଓ ଯୋଗାଣ ନିରୀକ୍ଷକଙ୍କୁ ଘେରାଉ କରିଥିଲେ।
ଦୁଇ ମାସ ହେବ ପିଡିଏସ୍ ଚାଉଳ କୋଟା ପାଇନଥିବା ଅଭିଯୋଗ କରିଛନ୍ତି ଉତ୍ୟକ୍ତ ମହିଳା। ପୂର୍ବରୁ ଏହି ସମସ୍ୟା ନେଇ ବିଡିଓ ସତ୍ୟଜିତ ରାଉତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସୋମବାର ଏହି ମହିଳାମାନେ ଏକ ପ୍ରତିବାଦ ସଭାର ଆୟୋଜନ କରି ବ୍ଲକ ଅଫିସ ପରିସର ମଧ୍ୟରେ ବିଡିଓଙ୍କୁ ଘେରିଥିଲେ।
ଅନ୍ୟପଟେ କିଛି ହିତାଧିକାରୀ ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସଙ୍କୁ ରାସ୍ତା ଉପରକୁ ଟାଣି ନେଉଥିବା ଦେଖିବାକୁ ମିଳିଥିଲା। ଯୋଗାଣ ନିରୀକ୍ଷକଙ୍କୁ ଅଧିକାରୀମାନେ ଉଦ୍ଧାର କରିବାକୁ ଉଦ୍ୟମ କରିବାରୁ ପୁଲିସ ଓ ମହିଳା ହିତାଧିକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଁଚିଥିଲା। ଆଉ ପୋଲିସ ଯୋଗାଣ ଅଧିକାରୀଙ୍କୁ ଉଦ୍ଧାର କରିବା ବେଳେ ଉତ୍ୟକ୍ତ ମହିଳାଙ୍କ ସହ ଟଣାଓଟରା ହୋଇଥିଲା। ଏହା ପରେ ପୁଲିସ ଦୁଇ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଓ୍ୱାର୍ଡ ମେମ୍ବର ରଞ୍ଜିତା ମହନ୍ତ ପ୍ରକାଶ କରିଛନ୍ତି, ଆମେ ପାଞ୍ଚ ମାସ ଚାଉଳ ପାଇବାକୁ ହକଦାର। ଡିଲର ମାତ୍ର ତିନି ମାସର ଚାଉଳ ଯୋଗାଇ ଦେଇଛନ୍ତି, ବାକି ଦୁଇ ମାସର କୋଟାକୁ ଆମେ ଅପେକ୍ଷା କରିଛୁ। ଏନେଇ ଗତ ଅଗଷ୍ଟ ମାସରେ ଅଭିଯୋଗ କରିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ।
ଅନ୍ୟପକ୍ଷରେ ବିଡିଓ ପ୍ରତିକ୍ରିୟାରେ କହିଛନ୍ତି, ଅଗଷ୍ଟ ମାସରେ ହିତାଧିକାରୀମାନେ ସେମାନଙ୍କ ଚିନ୍ତା ପ୍ରକଟ କରିଥିଲେ। ମାସକ ମଧ୍ୟରେ ଚାଉଳ ବଣ୍ଟନ କରାଯିବ ବୋଲି ଡିଲର ପ୍ରତିଶ୍ରୁତି ଦେଇଥିଲେ। ଚାଉଳ ନ ମିଳିଲେ ହିତାଧିକାରୀଙ୍କୁ ଖବର ଦେବାକୁ ଆମେ ପରାମର୍ଶ ଦେଇଥିଲୁ। ବର୍ତ୍ତମାନ ଆମେ ସ୍ଥିତିର ଅନୁଧ୍ୟାନ କରୁଛୁ।
Comments are closed.