ବ୍ୟୁରୋ: ଲଦାଖରେ ୧୩ହଜାର ୬୨୯ ଫୁଟ ଉଚ୍ଚତାରେ ଭାରତୀୟ ବାୟୂସେନାର ଐତିହାସିକ ଅବତରଣ । ଲଦାଖର ନିଓମା ଏୟାରଫିଲ୍ଡରେ ବାୟୁସେନାର IL-76MD ଭାରୀ ପରିବହନକାରୀ ବିମାନ ସଫଳତାର ସହ ଅବତରଣ କରି ବିମାନ ଚଳାଚଳ ଇତିହାସରେ ନୂଆ କିର୍ତ୍ତୀମାନ ସ୍ଥାପନ କରିଛି । ନିଓମା ଏୟାରଫିଲ୍ଡ ସମୁଦ୍ରପତ୍ତନ ଠାରୁ ୧୩ହଜାର ୬୨୯ ଫୁଟ ଉଚ୍ଚରେ ଅବସ୍ଥିତ । ସେଠାରେ ବାୟୁସେନା ବିମାନ ସଫଳତାର ସହ ଅବତରଣ କରିବା ଗର୍ବର ବିଷୟ । ଏନେଇ ବାୟୁସେନାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଘୋଷଣା କରାଯିବା ସହ ଉଚ୍ଚ ପର୍ବତୀୟ ଅଂଚଳରେ ଥିବା ବିମାନର କିଛି ଫଟୋ ଓ ଭିଡିଓ ସେୟାର କରାଯାଇଛି । ବିଶ୍ୱର ଯେକୌଣସି ସ୍ଥାନରେ ଏହି ବିମାନ ଦ୍ୱାରା ହାସଲ କରାଯାଇଥିବା ଏହା ସର୍ବାଧିକ ଉଚ୍ଚତାର ଅବତରଣ ବୋଲି ଉଲ୍ଲେଖ କରାଯାଇଛି । ୧୩ହଜାର ୬୨୯ ଫୁଟ୍ ବିମାନ ଚାଳନା ଇତିହାସରେ ଏହା ନୂଆ ଉଚ୍ଚତା ବୋଲି ବାୟୁସେନା ପକ୍ଷରୁ ପୋଷ୍ଟ କରାଯାଇଛି । ଏହି ଅବତରଣକୁ ବିମାନ କ୍ଷମତା ଓ ଏହାର କର୍ମଚାରୀଙ୍କ ଦକ୍ଷତାର ଏକ ଉଲ୍ଲେଖନୀୟ ପ୍ରଦର୍ଶନ ବୋଲି ବର୍ଣ୍ଣନା କରାଯାଇଛି । ଏହି ବାହିନୀ ଅପରେସନରେ ସାମିଲ କର୍ମଚାରୀଙ୍କ ଦକ୍ଷତା , ସଠିକତା ଓ ବୃତ୍ତିଗତତାକୁ ମଧ୍ୟ ପ୍ରଶଂସା କରିଛି । ଏହି ମାଇଲଖୁଂଟ ଭାରତର ରଣନୈତିକ ବିମାନ ପରିବହନ କ୍ଷମତାକୁ ଆହୁରି ସୁଦୃଢ କରିଥାଏ । ଏହା ଯତ୍ନବାନ ଯୋଜନା ଓ ସଠିକ କାର୍ଯ୍ୟାନ୍ୱୟନକୁ ଦର୍ଶାଉଛି । ଭାରି ପରିବହନ ବିମାନ ପରିଚାଳନା ସହ ଜଡିତ ଦାବିପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଫଳ ଅବତରଣ ଗୁରୁତ୍ୱପୂର୍ଣ୍ଣ । ଏପରି ଉଚ୍ଚତାରେ ପତଳା ବାୟୂ ଲିଫ୍ଟ ଜେନେରେସନ ଏବଂ ଇଂଜିନ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ । ଯାହା ଉଡାଣ ଏବଂ ଅବତରଣକୁ ଅଧିକ ଚାଲେଂଜି କରେ ।
IL-76MD ହେଉଛି ଋଷିଆର ଉତ୍ପାଦିତ ଏକ ୪ଇଂଜିନ ଭାରୀ ପରିବହନ ବିମାନ । ସୈନ୍ୟ ଉପକରଣ ଓ ମାଲ୍ ପରିବହନ ପାଇଁ ଡିଜାଇନ ହୋଇଛି । ଏହା ଭାରତୀୟ ବାୟୁସେନାର ଦୂରବର୍ତ୍ତୀ ଏବଂ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କର୍ମଚାରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବାର କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଏହି ସଫଳତା ବିମାନ କାର୍ଯ୍ୟକ୍ଷମତା ସହ ଆଇଏଏଫ୍ କର୍ମଚାରୀଙ୍କ ତାଲିମ୍ ଏବଂ ବିଶେଷଜ୍ଞତାକୁ ଉଜାଗର କରେ । ସୀମାକୁ ଅତିକ୍ରମ କରିବା, ସୀମାର ନୂଆ ସଂଜ୍ଞା ତିଆରି କରିବା ଇତିହାସ ସୃଷ୍ଟି କରିବା ଏହି ଐତିହାସିକ ଅବତରଣକୁ ଉତ୍ସାହର ସହ ଉଲ୍ଲେଖ କରି ଭାରତୀୟ ବାୟୁସେନା ଗର୍ବରେ କହିଛି ।
