Latest Odisha News

BREAKING NEWS

‘ସନାତନ ଧର୍ମର ଉଚ୍ଛେଦ’ ବୟାନକୁ ଦୋହରାଇବା ସହ କ୍ଷମା ମାଗିବେନି କହିଲେ ଷ୍ଟାଲିନଙ୍କ ପୁଅ

ନୂଆଦିଲ୍ଲୀ: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ରାଜନୈତିକ ବିବାଦ ସୋମବାର ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି। ବିଜେପି ନେତାମାନେ ଇଣ୍ଡିଆ ମେଣ୍ଟ ଉପରେ ଜୋରଦାର ଆକ୍ରମଣ କରିବା ସହ କଂଗ୍ରେସକୁ କ୍ଷମା ମାଗିବାକୁ ଦାବି କରିଛନ୍ତି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଶନିବାର ସନାତନ ଧର୍ମକୁ ମଶା, ଡେଙ୍ଗୁ, ମ୍ୟାଲେରିଆ, ଜ୍ୱର ଏବଂ କରୋନା ସହ ତୁଳନା କରି କହିଛନ୍ତି ଯେ ଏହି ରୋଗ ଭଳି ସନତାନ ଧର୍ମର ଉଚ୍ଛେଦ ହେବା ଉଚିତ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବିଜେପି ନେତାମାନେ ଉଦୟନିଧିଙ୍କ ବିରୋଧରେ ହିନ୍ଦୁ ଧର୍ମର ଅପମାନ ଅଭିଯୋଗ ଆଣିବା ସହ ସେ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

ଇଣ୍ଡିଆ ଗୋଷ୍ଠୀର ଏକ ଅଂଶ ଡିଏମକେ ସନାତନ ଧର୍ମକୁ ଆଘାତ ଦେଇଛି ବୋଲି କହିବା ସହ ଏହି ପ୍ରସଙ୍ଗରେ କଂଗ୍ରେସ ନେତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜନାଥ ସିଂହ। “ସନାତନ ଧର୍ମର ଅପମାନ ପାଇଁ ଇଣ୍ଡିଆ ଗୋଷ୍ଠୀର ସଦସ୍ୟମାନେ କ୍ଷମା ମାଗନ୍ତୁ ନଚେତ ଦେଶ ସେମାନଙ୍କୁ କ୍ଷମା କରିବ ନାହିଁ” ବୋଲି ସେ କହିଛନ୍ତି। ଉଦୟନିଧିଙ୍କ ମନ୍ତବ୍ୟ ଅତ୍ୟନ୍ତ ଲଜ୍ଜାଜନକ ଓ ଅଶୋଭନୀୟ ବୋଲି କହିଛନ୍ତି ଅମିତ ଶାହ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ତାଙ୍କ ମନ୍ତବ୍ୟକୁ ବିବାଦ ପରେ ପୁଣିଥରେ ଦୋହରାଇଛନ୍ତି। ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ, ନୀତିଶ କୁମାର, ମମତା ବାନାର୍ଜୀଙ୍କ ଭଳି ବିରୋଧୀ ନେତା କାହିଁକି ଚୁପ୍ ବସିଛନ୍ତି? ଭୋଟ୍ ପାଇଁ ହିନ୍ଦୁ ଭାବାବେଗ ସହ ଖେଳୁଛନ୍ତି କି? ସେମାନେ ଜାଣିବା ଉଚିତ ଯେ ଶହ ଶହ ବର୍ଷର ଇସଲାମିକ ଶାସନ ସନାତନ ଧର୍ମକୁ ବିନାଶ କରିପାରିଲା ନାହିଁ ଏବଂ ବ୍ରିଟିଶ ସାମ୍ରାଜ୍ୟବାଦ ଏହାକୁ ଦୁର୍ବଳ କରିପାରିଲା ନାହିଁ ବୋଲି ରବିଶଙ୍କର ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି।

ତେବେ ଟିଏମସି ଓ କଂଗ୍ରେସ ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ଷ୍ଟାଲିନଙ୍କ ପୁଅଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅନେକ କଂଗ୍ରେସ ନେତା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। କିଛି ନେତା ଏହି ବୟାନକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଆଉ କିଛି ନରମ ଆଭିମୁଖ୍ୟ ରଖିଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ କହିଛନ୍ତି, କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ଥିବାବେଳେ ଅନ୍ୟ ସବୁ ରାଜନୈତିକ ଦଳକୁ ନିଜ ମତ ରଖିବାର ସ୍ୱାଧୀନତା ରହିଛି।

ପ୍ରକୃତରେ ଆମର ମତ ବହୁତ ସ୍ପଷ୍ଟ- ‘ସର୍ବଧର୍ମ ସମଭାବ’ ହେଉଛି କଂଗ୍ରେସର ବିଚାରଧାରା। କିନ୍ତୁ ଆପଣମାନଙ୍କୁ ବୁଝିବାକୁ ହେବ ଯେ ପ୍ରତ୍ୟେକ ରାଜନୈତିକ ଦଳର ନିଜସ୍ୱ ମତ ରଖିବାର ସ୍ୱାଧୀନତା ରହିଛି ବୋଲି ସେ କହିଛନ୍ତି। ଆମେ ସମସ୍ତଙ୍କ ବିଶ୍ୱାସକୁ ସମ୍ମାନ ଦେଉଛୁ ବୋଲି କଂଗ୍ରେସ ନେତା କହିଛନ୍ତି।

ତେବେ କଂଗ୍ରେସ ନେତା କରଣ ସିଂହ ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରିବା ସହ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। କରଣ ସିଂହ କହିଛନ୍ତି ଯେ, ଭାରତରେ କୋଟି କୋଟି ଲୋକ ସନାତନ ଧର୍ମକୁ ଅନୁସରଣ କରୁଛନ୍ତି।

ଜଣେ ଦାୟିତ୍ୱବାନ ରାଜନେତା ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ନିନ୍ଦନୀୟ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚମତ୍କାର ତାମିଲ ସଂସ୍କୃତି ପ୍ରତି ମୋର ସମ୍ମାନ ରହିଛି କିନ୍ତୁ ଥିରୁ ଉଦୟନିଧିଙ୍କ ବୟାନକୁ ମୁଁ ତୀବ୍ର ବିରୋଧ କରୁଛି।

ଟିଏମସି ଏହି ମନ୍ତବ୍ୟକୁ “ଦୁର୍ଭାଗ୍ୟଜନକ” ବୋଲି ଅଭିହିତ କରି କହିଛି ଯେ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେବା ଆବଶ୍ୟକ। ପ୍ରତ୍ୟେକ ଧର୍ମର ଭିନ୍ନ ଭିନ୍ନ ଭାବନା ରହିଛି। ଭାରତ ‘ବିବିଧତା ମଧ୍ୟରେ ଏକତା’ର ବିଷୟ ଯାହା ଆମର ମୂଳ ଅଟେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଆମେ ଏଭଳି କୌଣସି ମାମଲାରେ ସମ୍ପୃକ୍ତ ହେବା ଉଚିତ ନୁହେଁ, ଯାହା ଲୋକଙ୍କର ଏକ ଅଂଶକୁ ଆଘାତ ଦେଇପାରେ। ତେବେ ଦଳର ଅନ୍ୟତମ ନେତା କୁନାଲ ଘୋଷ କହିଛନ୍ତି ଯେ ଏହି ମନ୍ତବ୍ୟ ଭାରତ ମେଣ୍ଟ ସହ ଜଡିତ ନୁହେଁ।

ତେବେ ବିଭିନ୍ନ ମହଲରୁ ହେଉଥିବା ସମାଲୋଚନା ପରେ ଉଦୟନିଧି ସୋମବାର କହିଛନ୍ତି ଯେ ସେ ଦେଇଥିବା ବୟାନକୁ ଆବଶ୍ୟକ ପଡ଼ିଲେ ବାରମ୍ବାର ଦୋହରାଇବେ। ଗତକାଲି ମୁଁ ଯାହା କହିଥିଲି, ସେହି କଥାକୁ ବାରମ୍ବାର ଦୋହରାଇବି। ମୁଁ ସବୁ ଧର୍ମକୁ ସାମିଲ କରିଥିଲି, କେବଳ ହିନ୍ଦୁଙ୍କୁ ନୁହେଁ। ମୁଁ ଜାତି ଭେଦକୁ ନିନ୍ଦା କରିଛି ବୋଲି ଉଦୟନିଧି ଷ୍ଟାଲିନ୍ କହିଛନ୍ତି।

Comments are closed.