Latest Odisha News

ଜାଲ ନୋଟ ଜବତ ଘଟଣା: ଅଭିଯୁକ୍ତଙ୍କ ଘରେ ଏସଟିଏଫ ଟିମ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ନୂଆବସ୍ତିରୁ ଜାଲ ନୋଟ ଜବତ ଘଟଣା । ଅଭିଯୁକ୍ତଙ୍କ ଘରେ ଆଜି ପୁଣି ପହଞ୍ଚିଛି କ୍ରାଇମ ବ୍ରାଞ୍ଚର ଏସଟିଏଫ ଟିମ । ଟିମ ଅଭିଯୁକ୍ତଙ୍କ ଘରେ  ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି କ୍ରାଇମବ୍ରାଞ୍ଚର ଡ଼ିଏସପିଙ୍କ ନେତୃତ୍ୱରେ ଏକ ଟିମ ମାଟିଖାଇ ନୁଆବସ୍ତିରେ ପହଞ୍ଚି ଜାଲ ନୋଟ କାରବାରରେ  ଗିରଫ ହୋଇଥିବା ଅଭିଯୁକ୍ତ ଦୀପକ ମେହେରଙ୍କ ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଫେରିଥିବା ଜଣାପଡିଛି । ଯାଞ୍ଚ ସମୟରର ଆଧାରକାର୍ଡ଼, ଭୋଟରକାର୍ଡ଼, ଚେକ ବହି, ଏବଂ ମୋବାଇଲ  ସମେତ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଥିବା ଜଣାପଡିଛି । କ୍ରାଇମ ବ୍ରାଞ୍ଚ ଏସଟିଏଫର ଯାଞ୍ଚ ସମୟରେ ଉଲୁଣ୍ଡା ଥାନାର ଏସଆଇ ସରୋଜ ପାଣିଗ୍ରାହୀ ଏବଂ ସ୍ମିତା ଦାସ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇରେ ଏକ ଭଡ଼ା ଘରେ ୫୦୦ ଟଙ୍କିଆ ଜାଲ୍‌ ନୋଟ ଛପାଯାଇ ସୁବର୍ଣ୍ଣପୁର ସମେତ ରାଜ୍ୟର ବିଭିନ୍ନ ସହରକୁ ପଠାଯାଉଥିଲା  । ବିଶେଷକରି ସୁବର୍ଣ୍ଣପୁର ମାର୍କେଟକୁ ଅଧିକ ପରିମାଣର ଜାଲ୍‌ ନୋଟ୍‌ ଛଡ଼ା ଯାଉଥିଲା । ୨୫ ହଜାର ଟଙ୍କାର ଅସଲି ନୋଟ୍‌ ବଦଳରେ ୧ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଯୋଗାଇ ଦେଉଥିଲେ ଅଭିଯୁକ୍ତ । ବିଶେଷ ସୂତ୍ରରୁ ଖବରପାଇ ଏସଟିଏଫର ଏକ ଟିମ୍‌ ଉକ୍ତ ଭଡ଼ା ଘରେ ଚଢ଼ଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲେ । ଏହି ଜାଲ୍‌ ନୋଟ କାରବାର ରାକେଟ୍‌ରେ କେତେ ଜଣ ସାମିଲ୍‌ ଅଛନ୍ତି? ଜାଲ୍‌ ନୋଟ ନେଟୱର୍କ କେତେବାଟ ଲମ୍ବିଛି? କେଉଁକେଉଁ ଜିଲ୍ଲାକୁ ଏହାର କାରବାର ବ୍ୟାପିଛି? ସେନେଇ ଏସ୍‌ଟିଏଫ୍‌ ଛାନଭିନ୍ କରୁଛି ।  ତେବେ ଜବତ ନୋଟଗୁଡିକ ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ସୂଚନା ମିଳିଛି ।

Comments are closed.