Latest Odisha News

BREAKING NEWS

ବ୍ରିଜ ତଳୁ ରକ୍ତାକ୍ତ ମୃତଦେହ ଠାବ ଘଟଣା, ମିଳିଲା ମହିଳାଙ୍କ ପରିଚୟ

ବରଗଡ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ଭଟଲି ଥାନା ପୋଲିସ। ଭଟଲି ବ୍ଲକ ଅନ୍ତର୍ଗତ ଭଡିଗାଁ ଜିରା ନଦୀ ବ୍ରିଜ ତଳୁ ଆଜି ସକାଳ ଭୋର ସମୟରେ ଜଣେ ୪୫ ବର୍ଷୀୟା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଛୁରୀରେ ତଣ୍ଟି କାଟି ହତ୍ୟା କରି ବ୍ରିଜ ଉପରୁ ନଦୀ ଗର୍ଭକୁ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି।

ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ବ୍ରିଜ ଉପରେ ବହୁତ ରକ୍ତ ଜମା ହୋଇ ରହିଥିବା ଦେଖିବାକୁ ମିଳିଛି। ମୃତ ମହିଳାଙ୍କ ଘର ବୁର୍ଲା ଅଞ୍ଚଳର ଓ ତାଙ୍କ ନାମ ସିଲା ବେହେରା ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ ମୃତ ମହିଳାଙ୍କ ଘର ଲୋକଙ୍କୁ ଖବର ଦେବା ପରେ ମୃତକଙ୍କ ବାପା ଓ ବଡ ଭଉଣୀଙ୍କ ପୁଅ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ମୃତ ସିଲା ବେହେରାଙ୍କ ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ଅନ୍ୟ ଜଣେ ପୁରୁଷଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇଥିଲା ବୋଲି ତାଙ୍କ ବଡ ଭଉଣୀଙ୍କ ପୁଅ ଆନନ୍ଦ ବେହେରା ପ୍ରକାଶ କରିଛନ୍ତି। ସମ୍ବଲପୁରରୁ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଭଟଲି ଥାନା ଅଧିକାରୀ ପି.କେ. ଦଳାଇ ତଦନ୍ତ ଜାରି ରଖିଛନ୍ତି। ଏହାସହ ହତ୍ୟାକାରୀକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

Comments are closed.