ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ପୁଣି ଉତ୍ତେଜନା । ପିଜି ନାମଲେଖାର ଏକ ମାସ ବିତିଯାଇଛି । ହେଲେ ହଷ୍ଟେଲ ପାଇଁ ଆଲର୍ଟମେଣ୍ଟ ହୋଇପାରିଲାନାହିଁ । ଯାହାକୁ ନେଇ ତାତିଛନ୍ତି ଛାତ୍ର । ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଶତାଧିକ ଛାତ୍ର ଧାରଣା ଦେବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଛି । ପିଜି ନାମଲେଖା ପରେ ପାଠପଢା ଆରମ୍ଭ ହୋଇଛି । ହେଲେ ରହିବା ପାଇଁ ପିଲାଙ୍କୁ ହଷ୍ଟେଲ ମିଳିନି । ଯାହାଫଳରେ ଏକା ମାସ ଧରି ପିଲାମାନେ ନାନା ସମସ୍ୟା ଭୋଗୁଛନ୍ତି । ନା ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସମାଧାନ କରୁଛନ୍ତି ନା ଛାତ୍ର ମାନଙ୍କୁ ହଷ୍ଟେଲରେ ରହିବାକୁ ସୁଯୋଗ ଦେଉଛନ୍ତି । ଏ ନେଇ କର୍ତ୍ତୃପକ୍ଷଙ୍କ ମନମୁଖୀ ନୀତି ବିରୋଧରେ ଛାତ୍ରମାନେ ନାରାବାଜି ସହ ଧାରଣା ଦେଇଛନ୍ତି ।
ପାଖାପାଖି ୩୦୦ରୁ ୪୦୦ ଛାତ୍ର ଉଭୟ ପିଜି ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ପ୍ରଥମ ବର୍ଷର ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଆଲର୍ଟମେଣ୍ଟ କରାଯାଉ ଏବଂ ଦ୍ବିତୀୟ ବର୍ଷର ଛାତ୍ର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ବୋଲି ଅନ୍ତେବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ହଷ୍ଟେଲ ଓ୍ବାର୍ଡେନ ଜାଣିବା ପରେ ଆସନ୍ତାକାଲି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି । ତେଣୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଛାତ୍ର ମାନଙ୍କୁ ଅପେକ୍ଷା କରିବା ସହ ଧାରଣାରୁ ଉଠିବା ପାଇଁ ଅନୁରୋଧ କରିଛନ୍ତି ।
Comments are closed.