ଝାରସୁଗୁଡା: ଖରାପ ପାଗ ଯୋଗୁଁ ଝାରସୁଗୁଡାରେ ଜରୁରୀ ଅବତରଣ କରିପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ। ଏଥିପାଇଁ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ବିମାନବନ୍ଦରରେ ପୋଲିସ ଓ ସେନା କର୍ମଚାରୀ ଘେରି ରହିଥିବା ବେଳେ ସନ୍ଧାନୀ କୁକୁର ଦ୍ୱାରା ଯାଞ୍ଚ କରାଯାଇଛି।
ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଏବେ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୋଦି। ଏହାପରେ ଛତିଶଗଡ଼ ଆସିବେ। କିନ୍ତୁ ଆଜି ଓଡ଼ିଶା ଓ ଛତିଶଗଡରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ପାଗ ଅତ୍ୟନ୍ତ ଖରାପ ରହିଛି। ତେଣୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ମୋଦୀଙ୍କ ବିମାନ ଜରୁରୀକାଳିନ ଅବତରଣ କରିବାର ସମ୍ଭାବନା ରହିଛି।
ସୂଚନାନୁସାରେ, ବିମାନବନ୍ଦରରେ ପୋଲିସ ଫୋର୍ସ ସହିତ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ, ଏସ୍ପି ଓ ଅନ୍ୟ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ସେନାର ୩ଟି ହେଲିକପ୍ଟର ବି ପହଞ୍ଚି ସାରିଛି । ଛତିଶଗଡ଼ ଆସିବା ସମୟରେ ଯଦି କୌଣସି ପ୍ରତିକୂଳ ପାଗ ଥାଏ, ତେବେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ ହୋଇପାରେ ବୋଲି କୁହାଯାଉଛି।
ସୂଚନା ଥାଉକି ମୋଦୀ ଗୁରୁବାର ମଧ୍ୟପ୍ରଦେଶରେ ପହଞ୍ଚି ରାଜ୍ୟରେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟକୁ ୬୦,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବଡ ଉପହାର ଦେବାକୁ ଯାଉଛନ୍ତି। ସେ ବିନା ରିଫାଇନାରୀରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସମେତ ୫୦,୭୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି।
Comments are closed.