ଭୁବନେଶ୍ୱର: ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଶନିବାର ଭୁବନେଶ୍ୱରରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମାଧବ ଚରଣ ସେଠୀ। ସେ ଉତ୍କଳ ବିଶ୍ବବିଦ୍ୟାଳୟର ଡିଡିସିଇର ଏକାଡେମିକ୍ କୋ-ଅର୍ଡିନେଟର।
ବସନ୍ତ କୁମାର ଦାସ ନାମକ ଜଣେ ବ୍ୟକ୍ତି ସହିଦ ନଗର ଥାନାରେ ମାଧବ ସେଠୀଙ୍କ ବିରୋଧରେ କରିଥିବା ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ପୋଲିସ ମାଧବଙ୍କୁ ଗିରଫ କରିଛି। ବସନ୍ତ ଦାସ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମାଧବ ସେଠୀ ତାଙ୍କୁ ୧୨ ଲକ୍ଷ ଟଙ୍କା ବଦଳରେ ଓଡ଼ିଶା ସଚିବାଳୟରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ଚାକିରିର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ବସନ୍ତ ଦାସ ମାଧବ ସେଠୀଙ୍କୁ ଏଥିପାଇଁ ୨ ଲକ୍ଷ ଟଙ୍କା ଅଗ୍ରୀମ ପ୍ରଦାନ କରିଥିଲେ ମଧ୍ୟ ତାଙ୍କ ପାଇଁ ଏଏସ୍ଓ ଚାକିରିର ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ। ଅଭିଯୁକ୍ତମାନେ ଟଙ୍କା ନ ଫେରାଇବାରୁ ବସନ୍ତ ଦାସ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ମାଧବ ସେଠୀଙ୍କ ବିରୋଧରେ ଆଇପିସି ଧାରା ୪୨୦ ଓ ୫୦୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତଦନ୍ତ ବେଳେ ତାଙ୍କ ବିରୋଧରେ ମିଳିଥିବା ପ୍ରମାଣ ଆଧାରରେ ଆଜି ତାଙ୍କୁ ଗିରଫ କରାଯାଇଛି। ମାଧବ ସେଠୀ ପ୍ରାୟ ୪୦ ଜଣ ଯୁବକଙ୍କୁ ସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ପୁଲିସ କହିଛି।
ବିଶ୍ବବିଦ୍ୟାଳୟରେ ଡିଡିସିଇରେ ଏକାଡେମିକ୍ କୋ-ଅର୍ଡିନେଟର ଭାବେ କାମ କରୁଥିବାରୁ ମାଧବ ସେଠୀ ଅନେକ ଛାତ୍ରଛାତ୍ରୀଙ୍କ ନିକଟରେ ପରିଚିତ ଥିଲେ। ଅନେକ ଚାକିରି ଆଶାୟୀଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଥିଲେ। ଏହି ଠକେଇର ଶିକାର ହୋଇଥିବା ଯୁବକମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ବୋଲି ପୁଲିସ କହିଛି।
Comments are closed.