ମୂଳ ବାଂଲା : ସୈୟଦ ଶାମସୁଲ୍ ହକ
ବାପା, ତୁମ କଥା ଏଠି ଆଉ
କେହିବି କହନ୍ତି ନାହିଁ
ଏବେ ବି ରନ୍ଧାହୁଏ ତୁମର
ପ୍ରିୟ ଓ ପସନ୍ଦର ଭୋଜନ
ଆମ ହାତର ଆଙ୍ଗୁଳିମାନ
ହଳଦୀର ରଙ୍ଗରେ ହୁଏ ରଙ୍ଗୀନ
କିନ୍ତୁ ତୁମ କଥା କେହି ବି କହନ୍ତି ନାହିଁ।
ତୁମ ହାତରେ ଲଗା ହୋଇଥିବା
ଗଛର ପିଜୁଳିମାନ
ଗୋଲାପୀ ରଙ୍ଗର ମାଂସ ପରି ଝୁଲୁଛନ୍ତି
ଆମ ଘର ସାମନା ଗଛକୁ
ଚଢ଼େଇମାନେ ଆସନ୍ତି,
ପିଲାମାନଙ୍କର ଲୋଭ ହୁଏ
କିନ୍ତୁ ଏଠି ଆଉ ପଡ଼େ ନାହିଁ
ତୁମର ଛାୟା। ସେମାନେ ଯାତାୟତ କରନ୍ତି
ବିନା ଦ୍ୱିଧା, ବିନା ଭୟରେ।
ବାହାରକୁ ଯିବାକୁ ତୁମର ସାଇକେଲଟି
ବାପା, ପଡ଼ି ରହିଛି ତୁମ ଅପେକ୍ଷାରେ
ମୋ ଅଫିସ ଘରର ଏକ କୋଣରେ ସମୟ
ଖୋଲି ନେଉଛି ଧୀରେ ଧୀରେ
ତା’ର ନଟ, ବୋଲ୍ଟ, ଚେନ୍
ହାୱା ବାହାରିଯାଇ ଦବି ଯାଇଛି ଚକ
ଏବେ ତୁମ ପରି କେହି
ବାହାରକୁ ଯିବା ପାଇଁ
ତା’ ହ୍ୟାଣ୍ଡେଲରେ ହାତ ରଖନ୍ତି ନାହିଁ।
ତୁମର ପଲଙ୍କଟା ଖୁବ୍ ବଡ଼ ଲାଗେ। ଏ ଘରର ମଣିଷମାନଙ୍କ ପାଇଁ
ସେଠି କେହି ସ୍ୱପ୍ନ ଦେଖିବାକୁ
ପୂର୍ଣ୍ଣିମା ରାତିରେ ଶୋଇ ପଡେ ନାହିଁ
ଚଟାଣଟା ବି ଯାଉଛି ଦବି
ପଲଙ୍କର ଗୋଡ଼ ପାଖରେ
ସିଂହର ପାପୁଲି ପରି ମୂଷାର ଗାତ
ଏବଂ ଖଟ ଉପରେ ଆମର
ବର୍ଜିତ ଦ୍ରବ୍ୟ ମାନଙ୍କର ସ୍ତୁପ।
ବାପା ତୁମ ଚିଠିଗୁଡ଼ିକର ଅକ୍ଷରମାନ
ଏବେ ପ୍ରାୟ ଅସ୍ପଷ୍ଟ ଓ ମଳିନ
ତୁମ ଲେଖା ଗୀତର ଛନ୍ଦ ବି ଲାଗେ ଅପରିଚିତ
ତୁମର ଉପଦେଶମାନ
ଏବେ ଲାଗେ ଅନ୍ୟ କେଉଁ ଗ୍ରହରୁ
ଆସୁଥିବା ପ୍ରବଚନ।
ତୁମ ପୁଅମାନେ ଏବେ ବି
ତୁମ ମୃତ୍ୟୁ ବାର୍ଷିକୀରେ ଏକାଠି ହୁଅନ୍ତି
ସେମାନେ ନିଜ ବିଷୟରେ ଆଲୋଚନା କରନ୍ତି
ଏବଂ ପରସ୍ପର ମୁଣ୍ଡ ବାଳର
ସୁଗନ୍ଧ ଉପଭୋଗ କରନ୍ତି
ବାପା ତାଙ୍କୁ ଜଣା ନାହିଁ
ସେମାନଙ୍କ ପାଦ ତଳେ ମୂଷା ଗାତ ଖୋଳୁଛି,
ତା ବି ବିନା ଶବ୍ଦରେ
ତାଙ୍କୁ ଜଣା ନାହିଁ ତାଙ୍କ ହାତ ଲେଖା
ତାଙ୍କରି ସମୟ କାଳରେ ହିଁ
ଅଚିହ୍ନା ଛନ୍ଦର ଭାଷା ପାଲଟୁଛି
ଏବଂ ତାଙ୍କ ଚାରି ଦିଗରେ ଅନବରତ
ନଟ୍, ବୋଲ୍ଟ ଓ ଚେନ୍ ଖସି ଚାଲିଛି।
ହେ ମୋର ପୂଜ୍ଯ ପିତା
ଗୋଟିଏ ଜୀବନ ଶେଷରେ
ତୁମେ ନେଇଥିଲ ବିଦାୟ
ଆଉ ତୁମର ପୁତ୍ର ମାନେ ତ
ଆଜି ତାଙ୍କ ଜୀବଦ୍ଦଶାରେ ହିଁ
ହରାଉଛନ୍ତି ପରିଚୟ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.