Latest Odisha News

BREAKING NEWS

ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ହାଇକୋର୍ଟଙ୍କ ରାୟ: କାର୍ଯ୍ୟକାରିତା ଓ ସ୍ବଚ୍ଛତାକୁ ନେଇ ତଥାପି ରହିଛି ପ୍ରଶ୍ନ

ପୁରୀ: ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ଆଜି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ  । ହାଇ ପାଓ୍ବାର କମିଟି ଗଠନ କରିବା ଲାଗି ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବି ରାଜ୍ୟ ସରକାର ଏହାକୁ ଅନୁପାଳନ କରିନଥିଲେ  । ତେଣୁ ଆଜିର ରାୟକୁ ନେଇ ସବୁ ମହଲରେ ସ୍ବାଗତ କରାଯାଇଥିବା ବେଳେ ଏହାର କାର୍ଯ୍ୟକାରୀତା ଓ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବାରମ୍ବାର ରତ୍ନଭଣ୍ଡାର ଖୋଲିବା, ମରାମତି କରିବା ଓ ସୁନା ଅଳଙ୍କାରର ଗଣତି କରିବାକୁ ବିଭିନ୍ନ ମହଲରୁ ଦାବି ଉଠିଥିବା ବେଳେ କଥା ଯାଇ ଅଦାଲତରେ ପହଞ୍ଚିଥିଲା। ବାରମ୍ବାର ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ସମୟ ପରେ ସମୟ ମଧ୍ୟ ଗଡାଉଥିଲେ। ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ଅନୁମତି ପରେ ୨୦୧୮ଏପ୍ରିଲ ୪ ତାରିଖରେ ୧୭  ଜଣିଆ ଟିମ୍ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ ମଧ୍ୟ ଚାବି ହଜିବା ନାଟକ ରଚିଥିଲେ। ଚାବି ହଜିବା କଥା ତତ୍କାଳୀନ ଜିଲ୍ଲାପାଳ କହିବା ପରେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଅନେକ ଆନ୍ଦୋଳନ ମଧ୍ୟ ଦାନା ବାନ୍ଧିଥିଲା।

ସେବେଠାରୁ ବାରମ୍ବାର ରତ୍ନଭଣ୍ଡାର ଖୋଲିବା ଦାବି ଜୋର୍ ଧରିଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ତେବେ ଆଜି ସମୀର ମହାନ୍ତିଙ୍କ ମାମଲାକୁ ବିଚାରକୁ ନେଇ ଗତ ମଙ୍ଗଳବାର ଦିନ ହାଇକୋର୍ଟ ମାମଲାର ରାୟକୁ ସଂରକ୍ଷିତ କରିଥିଲେ। ଆଜି ମାନ୍ୟବର ହାଇକୋର୍ଟ ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ଆସନ୍ତା ଦୁଇମାସ ମଧ୍ୟରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ସେନେଇ ଭକ୍ତ, ଆଇନଜୀବୀ ଓ ସ୍ଥାନୀୟ ବାସୀନ୍ଦା ପ୍ରଶ୍ନ ଉଠାଇଛନ୍ତି ।

Comments are closed.