ମିରୀନା ମହାନ୍ତି
ମୋ ଅବର୍ତ୍ତମାନରେ
ଖୋଜିବ ନିଶ୍ଚୟ ମୋତେ।
ଅନେକ ଦିନ ହେଲା ପଛ କରିଦେଇଛ,
ଆସ,
ଏଇ ମୁହୂର୍ତ୍ତକୁ ମୁଠାଇ ନିଅ ହାତ ପାପୁଲିରେ। ।
ମନେ ପଡୁଥିବ ମିଠାସ୍ମୃତି ସବୁ
ହୃଦୟ ବି ଭାଙ୍ଗୁଥିବ
ଚୁନା ଚୁନା ହୋଇ
ଦେଖିବାକୁ ମୁଁ ତ ନଥିବି
ଆସ,
ବରଂ ବାଣ୍ଟିନେବା ସ୍ମୃତିସବୁ ହୃଦ ଆକାଶରେ। ।
ଏ ପୃଥିବୀରୁ ନେବାପାଇଁ
ବିହ୍ବଳ ମୁହୂର୍ତ୍ତ କିଛି ବାକି ରହିଗଲା।
ସଫେଦ ଦୁଃଖରେ,ଡାଳରେ ପତ୍ରରେ
ପେନ୍ଥା ପେନ୍ଥା ଫୁଲ ପାଖୁଡାରେ
ଲୁଚାଇ ରଖନା ନିଜକୁ ଆଉ
ଆସ,
ଦୁଃଖ ସବୁ ସାଇତିଦେବା ପଦ୍ମ ପରାଗରେ। ।
ତୁମ ଗୀତ ଶୁଣି ଶୋଇବାର,
ବିତିଗଲାଣି ଯୁଗଟିଏ।
ଯେବେ ପବନରେ କିଛି ବାସ୍ନା ଭାସିଆସେ
ସ୍ପନ୍ଦିତ ହେଉଥାଏ ପ୍ରତିକ୍ଷଣ
ଆସ,
ସ୍ବପ୍ନ ଟିକିଏ ସଜାଇ ନିଅ ଚକ୍ଷୁ ପଲ୍ଲବରେ।
ହୃଦୟର ପକ୍ଷୀ ଗୀତ ଗାଉଥାଏ
ତୁମେ ଥାଅ ଦୂରେ
ଅଭିନ୍ନ ହୋଇ ମୁଁ ପୃଥକ କାହିଁକି,
ନିଜକୁ ଜାଳିବାର ଏ ପଣ ବା କାହିଁକି
ଆସ,
ନୀଳ ମେଘ ହୋଇ ଧୋଇଦେବା
ସମସ୍ତ ବିଷାଦ। ।
Comments are closed.