ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାରାଷ୍ଟ୍ର ରାଜନୀତି ପୁଣିଥରେ ଚଳଚଂଚଳ ହୋଇଉଠିଛି। ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ନିଜର ଶକ୍ତି ବୃଦ୍ଧିରେ ଲାଗି ପଡିଛନ୍ତି।
ମୁମ୍ବାଇର ୪୦ ଜଣ ପୂର୍ବତନ କର୍ପୋରେଟର ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ସାମିଲ ହୋଇଛନ୍ତି। ୨୦୨୨ ମସିହାରେ ସିନ୍ଦେ ଉଦ୍ଧବ ଠାକରେ ଗୋଷ୍ଠୀରୁ ବାହାରି ନିଜ ସମର୍ଥକମାନଙ୍କ ସହ ବିଜେପି ସହ ମିଶି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ହାତେଇଥିଲେ।
ପରେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନାର ପରିଚୟ ଦେବା ସହ ଦଳୀୟ ଚିହ୍ନ ଓ ନାଁ ଦେଇଛନ୍ତି। ସେପଟେ ମୁମ୍ବାଇର ମୁନିସିପାଲ କର୍ପୋରେସନ ବା ବ୍ରିହନ ମୁମ୍ବାଇ ମୁନିସିପାଲ କର୍ପୋରେସନ କାର୍ଯ୍ୟକାଳ ଗତ ବର୍ଷ ଶେଷ ହୋଇଛି। ରାଜ୍ୟ ସରକାର ଏହି ନିର୍ବାଚନ କରାଉ ନାହାନ୍ତି। ଯାହାକୁ ନେଇ ରାଜନୀତି ତୀଵ୍ର ହେଉଛି।
ଏଭଳି ସ୍ଥିତିରେ ସିନ୍ଦେ ଗୋଷ୍ଠୀରେ ୪୦ ଜଣ ପୂର୍ବତନ କର୍ପୋରେଟର ଯୋଗ ଦେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଯେଉଁମାନଙ୍କ ମଧ୍ୟରୁ ଅନେକ ଉଦ୍ଧବ ଠାକରେଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଉଛି।
ଲୋକମାନେ ବିକାଶ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ ସେଭଳି କାର୍ଯ୍ୟ କରୁଛନ୍ତି ତେଣୁ ସେମାନେ ସିନ୍ଦେଙ୍କ ସହ ସାମିଲ ହେଲେ ବୋଲି କର୍ପୋରେଟରମାନେ କହିଛନ୍ତି।
ଆହୁରି ୨୫ ରୁ ଅଧିକ କର୍ପୋରେଟର ସିନ୍ଦେ ଗୋଷ୍ଠୀରେ ସାମିଲ ହେବେ ବୋଲି ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଥିବା ପୂର୍ବତନ କର୍ପୋରେଟର ମହାତ୍ରେ କହିଛନ୍ତି। ସେପଟେ ଏହି ଘଟଣାକୁ ଉଦ୍ଧବ ଗୋଷ୍ଠୀ ହାଲକା ଭାବେ ନେଇଛି।
ଉଦ୍ଧବ ଗୋଷ୍ଠୀ ଏମଏଲସି ସୁନୀଲ ସିନ୍ଦେ କହିଛନ୍ତି ଏହାର କିଛି ପ୍ରଭାବ ପଡିବନି। ବିଧାୟକ ମାନେ ଛାଡିବା ପରେ ମଧ୍ୟ ଦଳ ସ୍ଥିର ଓ ଦୃଢ଼ ଅଛି ବୋଲି ସେ କହିଛନ୍ତି।
ନିର୍ବାଚିତ ପ୍ରତିନିଧି ମାନେ ଦଳ ବଦଳ କରିପାରନ୍ତି କିନ୍ତୁ ଯେଉଁ ଲୋକେ ତାଙ୍କୁ ନିର୍ବାଚିତ କରିଛନ୍ତି ସେମାନେ ଉଦ୍ଧବଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି।
୨୦୧୭ ମୁନିସିପାଲ କର୍ପୋରେସନ ନିର୍ବାଚନରେ ଶିବସେନା ୨୨୭ ସିଟ ମଧ୍ୟରୁ ୮୪ ଟି ଜିତିଥିଲା। ତେଣୁ ଆଗକୁ ଆସୁଥିବା ନିର୍ବାଚନ ପୂର୍ବରୁ ନିଜର ସବୁ ଶକ୍ତି ସାଉଁଟୁଛନ୍ତି ସିନ୍ଦେ ଗୋଷ୍ଠୀ।
ସେଥିପାଇଁ ଦଳର ତୃଣମୂଳ ସ୍ତରଠାରୁ ଆରମ୍ଭ କରି ବରିଷ୍ଠ ନେତାଙ୍କୁ ନିଜ ପକ୍ଷକୁ ଆଣିବାକୁ ସବୁ ଉଦ୍ୟମ କରୁଛନ୍ତି। ସେପଟେ ସିନ୍ଦେଙ୍କ ପୁଅ ତଥା ଲୋକସଭା ସାଂସଦ ଶ୍ରୀକାନ୍ତ ସିନ୍ଦେ ଶିବସେନା ଶାଖା ବୁଲିବା ସହ ଶାଖା ସମ୍ପର୍କ ଅଭିଯାନ ଚଳାଇଛନ୍ତି।
ଯାହାକି ସିନ୍ଦେ ଗୋଷ୍ଠୀକୁ ଦୃଢ଼ କରିବାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଦାଦର, ମାହିମ ଓ ପ୍ରଭାଦେବୀ ଅଞ୍ଚଳକୁ ଶ୍ରୀକାନ୍ତ ଅଧିକ ଗସ୍ତ କରୁଛନ୍ତି, ଯେଉଁ ଅଞ୍ଚଳ ସବୁ ଉଦ୍ଧବ ଠାକରେ ଗୋଷ୍ଠୀର ଗଡ଼ ବୋଲି କୁହାଯାଏ।
ତେଣୁ ସବୁଠୁ ଶକ୍ତିଶାଳୀ କୁହାଯାଉଥିବା ମୁମ୍ବାଇ ମୁନିସିପାଲ କର୍ପୋରେସନ ଭୋଟ କେତେବେଳେ ବି ହୋଇପାରେ ବୋଲି କୁହାଯାଉଥିବା ବେଳେ ସିନ୍ଦେଙ୍କ ଗୋଷ୍ଠୀରେ ଏତେ ସଂଖ୍ୟକ କର୍ପୋରେଟର ସାମିଲ ହେବା ମହାରାଷ୍ଟ୍ର ରାଜନୀତିକୁ ଭିନ୍ନ ମୋଡ଼ ଦେଇଛି।
ସେପଟେ ଆଗାମୀ ନିର୍ବାଚନରେ ସିନ୍ଦେ ଗୋଷ୍ଠୀ ଓ ବିଜେପିକୁ ପାନେ ଦେବା ପାଇଁ ଏମଭିଏ ମେଣ୍ଟ ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି। ଏକନାଥ ସିନ୍ଦେଙ୍କ ବିଦ୍ରୋହକୁ ଅସ୍ତ୍ର କରି ଶିବସେନା ସମର୍ଥକଙ୍କୁ ନିଜ ପକ୍ଷରେ ରଖିବାକୁ ଉଦ୍ଧବ ଗୋଷ୍ଠୀ ଉଦ୍ୟମ କରୁଛନ୍ତି। ତେଣୁ ଉଭୟ ପକ୍ଷର ଉଦ୍ୟମ ମଧ୍ୟରେ କିଏ ବାଜି ମାରୁଛି ତାକୁ ନେଇ ଆଲୋଚନା ଜୋର ଧରିଛି।
Comments are closed.