Latest Odisha News

ଅନୁବାଦ କବିତା : ରୁଦ୍ରକୁ ଚିଠି

ମୂଳ ବାଂଲା : ତସଲିମା ନାସରିନ

ପ୍ରିୟ ରୁଦ୍ର,
ମାର୍ଫତ ଆକାଶ
ତୁମେ ଆକାଶର ଠିକଣାରେ
ଚିଠି ଲେଖିବାକୁ କହିଥିଲ।

ତୁମେକି ବର୍ତ୍ତମାନ ଆକାଶ ଭରିଅଛ ?
ତୁମେ ଆକାଶରେ ଉଡ଼ିବୁଲ
ତୁଳା ପରି, ପକ୍ଷୀମାନଙ୍କ ପରି
ତୁମେ ଏଇ ଜଗତ, ଏଇ ସଂସାର ଛାଡ଼ି
ଆକାଶକୁ ଚାଲିଯାଇଛ।

ଅସଲରେ ତୁମେ ବଞ୍ଚି ଯାଇଛ ରୁଦ୍ର
ତୁମର କଣ କେବେ ଇଚ୍ଛା ହୁଏ
ପକ୍ଷୀ ହୋଇ ଉଡ଼ି ଫେରି ଆସିବା ପାଇଁ?
ତୁମର ସେଇ ଇନ୍ଦିରା ରୋଡ଼ ଘରକୁ,
ପୁଣି ସେଇ ନୀଳ କ୍ଷେତ, ଶାହାବାଗ,
ପରୀବାଗ, ଲାଲବାଗ ଘୁରି ବୁଲିବାକୁ?

ତୁମର ଇଚ୍ଛା ହୁଏ ନାହିଁ କହିଲେ
ମୁଁ ବିଶ୍ବାସ କରିବି ନାହିଁ
ଇଚ୍ଛା ହୁଏ ଠିକ୍, କିନ୍ତୁ ସାମର୍ଥ୍ୟ ନାହିଁ।
ଅଥଚ ସମୟ ଥିଲା
ତୁମେ ଯାହା ଇଚ୍ଛା କରି ବୁଲୁଥିଲ
ଯଦି ଇଚ୍ଛା ହେଉଥିଲା, ସାରା ରାତି ନଶୋଇ
ଗଳ୍ପ କରିବାକୁ କରୁଥିଲ।

ଇଚ୍ଛା ଯଦି ହେଉଥିଲା ସାରାଦିନ
ରାସ୍ତା ଘାଟରେ ଚାଲିବୁଲି କଟାଇବାକୁ କହୁଥିଲ।
କିଏ ତୁମକୁ ବାଧା ଦେଇ ପାରୁଥିଲା?
ଜୀବନ ତୁମ ହାତ ମୁଠାରେ ଥିଲା
ଆଉ ସେଇ ଜୀବନକୁ ନେଇ ତୁମେ
ଯେମିତି ଇଚ୍ଛା ସେମିତି ଖେଳି ଚାଲିଲ।
ମତେ ଭାବି ଅବାକ ଲାଗେ ଯେ
ଜୀବନ ଏବେ ତୁମ ହାତମୁଠାରେ ନାହିଁ।
ଏମାନେ ତୁମକୁ ଏକ ଟ୍ରକରେ ନେଇ
ମଶାଣିରେ ଛାଡ଼ି ଦେଇ ଆସିଲେ
ତୁମେ ପ୍ରତିବାଦ ବି କରି ପାରିଲନି ।

ଆଚ୍ଛା, ତୁମର ଲାଲବାଗର ସେଇ
ପ୍ରେମିକାର କଣ ଖବର ?
ତୁମର ତ ସେଇ ନେଲି ଖିଲାର ସହିତ
ବହୁଦିନ ପ୍ରେମ ଚାଲିଥିଲା
ତା’ ପାଇଁ ତୁମର ରିମ ରିମ ଭର୍ତ୍ତି
କାଗଜରେ ଲେଖା ସେଇ ପ୍ରେମ କବିତା ଦେଖି
ମୁଁ ଦିନେ ଭୀଷଣ କାନ୍ଦିଥିଲି ।
ତୁମେ ଯେ ଆଉ କାହାକୁ ପ୍ରେମ କରୁଛ
ସେଇଟା ମୁଁ ସହ୍ୟ କରି ପାରୁନଥିଲି
ମୁଁ ଏକ ଅବୁଝା ବାଳିକାଟିଏ ଥିଲି ନା
ନୁହେଁ କି?

ଭାବୁଥିଲି ତୁମେ କେବଳ
ମତେ ହିଁ ଭଲ ପାଇବ
ଯେମିତି ଆମେ ଦୁହେଁ ଜନ୍ମ ନେଇଛୁ
ଆମ ଦୁହିଁଙ୍କ ପାଇଁ।

ଯେଉଁ ଦିନ ତୁମକୁ ଘରୁ ଟ୍ରକରେ
ନେଇ ଗଲେ ମତେ ଲାଗିଲା
ମୋର ଶ୍ଵାସରୁଦ୍ଧ ହେଇଗଲା
ଢାକା ସହରଟା କେବେ ବି
ଏତେ ଫାଙ୍କା ଓ ଶୂନ୍ୟ ଲାଗି ନଥିଲା
ସେଦିନ ପରି।

ମୁଁ ସେଦିନ ଢାକା ଛାଡ଼ି
ମୟମନ ସିଂହକୁ ପଳାଇ ଗଲି
ମୋ ଘରେ ତୁମର ବାକ୍ସ ଭର୍ତ୍ତି ଚିଠି ଗୁଡ଼ିକୁ
ହାତରେ ଆଉଁସି ଆଉଁସି ଜୀବନର
ସାରା ଜୀବନର ସବୁଠୁ ବିଷାଦ ଭରା କାନ୍ଦ
କାନ୍ଦିଥିଲି

ଆମର ବିଚ୍ଛେଦ ସେତେବେଳକୁ
ଚାରିବର୍ଷ ପୁରୁଣା ହୋଇ ସାରିଥିଲା
ଏତେ ବର୍ଷ ପରେ ବି ତୁମେ
ମୋ ହୃଦୟରେ ଏତେ ଗଭୀର ଭାବରେ
ଛାଇ ଯାଇଥିଲ ବୋଲି
ସେହିଦିନ ହିଁ ମୁଁ ଟେର ପାଇଥିଲି।

ମତେ ଏବେ ତୁମର ଶହ ଶହ ବନ୍ଧୁ
ବାହାରୁଥିବା ଦେଖି ହସ ଲାଗେ
ସେତେବେଳେ ସେମାନେ କୁଆଡ଼େ ଥିଲେ ?
ଯେତେବେଳେ ଅର୍ଥ ଅଭାବରେ ତୁମେ
କେବଳ ସିଙ୍ଗଡା ଖାଇ ସାରାଦିନ କଟାଇଛ ।
ମୁଁ ତୁମକୁ ଛାଡ଼ି ଚାଲି ଆସିଥିବାରୁ
ମୁଁ ତୁମର ବନ୍ଧୁ ନୁହଁ କହିପାର

ଏବେ ତୁମ ନାମରେ ଯେଉଁ
ମେଳା ମହୋତ୍ସବ ହୁଏ
ତୁମର ଚିହ୍ନା ମୁଁ କେବଳ
ସେ ଗୁଡ଼ିକରେ ଅନୁପସ୍ଥିତ ରହେ ।

ଯେଉଁମାନେ ବର୍ତ୍ତମାନ ରୁଦ୍ର ରୁଦ୍ର କହି
ଡିଣ୍ଡିମ ପିଟୁଛନ୍ତି ସେତେବେଳେ
ସେମାନେ କେଉଁଠି ଥିଲେ ?

ଶେଷ ଆଡ଼କୁ ତୁମେ ଶିମୁଲ ନାମକ
ଏକ ଝିଅକୁ ଭଲ ପାଉଥିଲ।
ବାହାଘର କଥା ମଧ୍ଯ ପଡ଼ିଥିଲା
ଶିମୁଲ ବିଷୟରେ ସବୁ କାହାଣୀ
ଦିନେ ତୁମେ ହିଁ ମତେ ଶୁଣାଇ ଥିଲ
ତାହା ଶୁଣି ତୁମେ ଅବଶ୍ଯ ବୁଝି ପାରିଲନି
ମତେ କେତେ କଷ୍ଟ ହୋଇଥିଲା
ଏଇୟା ଚିନ୍ତା କରି ଯେ ତୁମେ କେତେ
ଅକ୍ଲେଶରେ ପ୍ରେମ କରି ପାରୁଛ
ଆଉ ମତେ ସେଇ କାହାଣୀ ଶୁଣାଉଛ।
ଠିକ୍ ଏଭଳି ଏକ ଅନୁଭବ ଏକଦା
ମୋ ପାଇଁ ଥିଲା ତୁମର
ଆଜି ତୁମର ସେଇ ଅସ୍ଥିରତା
ଅନ୍ୟ ଜଣଙ୍କ ପାଇଁ।

ଅନିଦ୍ରା ହୋଇ ତା’ ଗଳ୍ପ ଶୁଣି ଶୁଣି
ରାତି କାଟିବାରେ ଯେ ମୁଁ ଗୁମୁରି ଗୁମୁରି
କେତେ କାନ୍ଦୁଥିଲି, ତୁମେ ଜାଣୁଥିଲ କି?
ଶିମୁଲକୁ ନେଇ କେତେ ସବୁ କବିତା ଲେଖିଛ
ଅନାୟାସରେ କହିଗଲ।
କବିତାମାନ କେମିତି ହୋଇଛି ବୋଲି ମତେ ପଚାରିଲ
ମୁଁ କହିଲି ଖୁବ୍ ଭଲ
ଶିମୁଲ ଝିଅଟାକୁ ମୁଁ କେବେ ଦେଖି ନାହିଁ
ତୁମେ ଯେତେବେଳେ
ନିଜେ ହିଁ ତାକୁ ଭଲ ପାଅ ବୋଲି କହିଲ
ସେତେବେଳେ ମୁଁ ମୋ ଭିତରର କଷ୍ଟଟା
ତୁମକୁ ଜାଣିବାକୁ ଦେଇନାହିଁ ।

ତୁମକୁ ଛାଡ଼ି ଚାଲି ଆସିଛି ସତ
ହେଲେ ଆଉ କାହାକୁ
ଭଲ ପାଇ ପାରିନାହିଁ ।
ଭଲ ପାଇବାଟା ଯାହାକୁ ତାହାକୁ
ବାଣ୍ଟି ଦେବାର ଜିନିଷ ନୁହେଁ।

ପ୍ରତିଦିନ ଅନେକ କଥା ହୁଏ ଆକାଶ ସହିତ
ଦୁଃଖର କଥା, ସୁଖର କଥା
କେତେଦିନ ଆକାଶ ଭରା ଜ୍ୟୋତ୍ସ୍ନାରେ ଆମ ଦୁହିଁଙ୍କ ଦେହ
ସିକ୍ତ ହୋଇ ଯାଉଥିଲା।
ତୁମେ ଦୁଇ ଚାରିଟା ଦୁଃଖର କଥା କହି
ନିଜ ଲେଖା ଗୀତଟିଏ ଶୁଣେଇଥିଲ ।

“ଭଲ ଅଛି ମୁଁ ତୁମେ ବି ଭଲ ରୁହ
ଆକାଶର ଠିକଣାରେ ଚିଠି ଦିଅ।”
ଖୁଲନା ସହରର ମଂଲା ବନ୍ଦରରେ ବସି
ଲେଖିଥିଲ ଏ ଗୀତଟି।
ମନେ ମନେ କାହା ଚିଠି ଚାହୁଁଥିଲ ତୁମେ ?
ମୋର ? ନେଲି ଖିଲାରର ? ଶିମୁଲର ?

ବହୁତ ଦିନ ମନ ହୋଇଛି ତୁମକୁ ଚିଠିଟିଏ ଲେଖନ୍ତି
ଏମିତି ସମୟ ଥିଲା ପ୍ରତିଦିନ ଲେଖୁଥିଲି
ତୁମେ ବି ପ୍ରତିଦିନ ପାଲଟା ଚିଠି ଲେଖୁଥିଲ।
ଦେଲ ଆକାଶର ଠିକଣା
ତୁମେ ପାଇବତ ଏଇ ଚିଠି ?
ସେଟା ମତେ ଅଜଣା।

ଜୀବନର ଆଶା ତୃଷ୍ଣା ତ
ମଣିଷର କେବେବି ମେଣ୍ଟେ ନାହିଁ
ମଣିଷ ବା କେତେଦିନ ବଞ୍ଚେ କୁହ ?
ଦିନ ତ ସରି ସରି ଆସେ
ମୋର କଣ ସରି ଆସୁନାହିଁ ?
ତୁମେ ଭଲରେ ଥାଅ
ମୁଁ ଭଲ ନାହିଁ।
ଇତି
ତୁମର ସକାଳ

ପୁନଶ୍ଚ : ମୋର ସକାଳ ବୋଲି ଡାକ
ବହୁଦିନ ହେଲା ସେ ଡାକ ଶୁଣିନାହିଁ
ତୁମେ କଣ ଆକାଶରେ ରହି
ମଝିରେ ମଝିରେ ସକାଳ,
ମୋର ସକାଳ ଡାକ ?
ନା’ ମୁଁ ଭୁଲ ଶୁଣେ ?

ଅନୁବାଦ : ମନୋରଞ୍ଜନ ହୋତା

Comments are closed.