ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’
ଗୋଟାଏ କଥା ମନେପଡୁଛି, ଇଚ୍ଛା ହେଲା କହିବାକୁ ତେଣୁ କହୁଛି । ଜଣେ ସାଧୁ ଜଙ୍ଗଲରେ କୁଟୀର ନିର୍ମାଣକରି ତପସ୍ୟା କରୁଥିଲେ । କମ୍ବଳ, କମଣ୍ଡଳୁ, କୌପୁନି ଛଡ଼ା ଆଉ ସେମିତି କିଛି ସମ୍ବଳ ନଥିଲା -ତାଙ୍କର । ବିନା ବାସନରେ ପତରରେ ଖାଇ ଫିଙ୍ଗିଦେଉଥିଲେ । ଏକମାତ୍ର ଉଦ୍ଦେଶ୍ୟ ଥିଲା ଭଗବତ ଆରାଧନା। କିନ୍ତୁ ବଣୁଆ ମୂଷା ଆସି ସାଧୁଙ୍କ କୌପୁନି କାଟିଦେଉଥିବାରୁ ଅଧିକାଂଶ ସମୟ ଦିଗମ୍ବରହୋଇ ରହିବାକୁ ବାଧ୍ୟ ହେଉଥିଲେ । କୌଣସି ଶିଷ୍ୟ ବୁଦ୍ଧି ବତେଇଲେ..
“ହେ ଗୁରୁଜୀ ! ଆପଣ ତ ମୂଷାମରା ପାପ କରିପାରିବେନି ! ତେଣୁ ବିଲେଇଟେ ପୋଷନ୍ତୁ, ଯିଏ ମୂଷାମାରି ତା ପେଟଭରିବ, ଆଉ ଆପଣଙ୍କ କୌପୁନି ସୁରକ୍ଷିତ ରହିବ । ” ସେଇଆ ହେଲା । ମାତ୍ର ଅଳ୍ପଦିନରେ ଆଉ ମୂଷା ନ ମିଳିବାରୁ, ବିଲେଇ କହିଲା.. “ସାଧୁଜୀ ! ମୋ ବଞ୍ଚିବାପାଇଁ ଦୁଧ-ଭାତର ବ୍ୟବସ୍ଥା କରାନ୍ତୁ । ଦୁହାଁଳିଆ ଗାଈଟେ ରଖିଲେ, ତା କ୍ଷୀରରେ ଆପଣଙ୍କର ଓ ମୋର ଆହାର ହୋଇଯିବ !” ତହୁଁ ସାଧୁ ଗାଈ -ବାଛୁରୀ ଆଣି ଆଶ୍ରମରେ ରଖିଲେ । ଗାଈ କହିଲା.. ,”ମୋତେ ଘାସ, ପେଜ ଦେଲେ ସିନା ମୁଁ କ୍ଷୀରଦେବି । ଆଜିକାଲି ଚେଲା କି ଚାକରଙ୍କ ଉପରେ କୋଉ ଭରସା ? ବରଂ ଆମପାଇଁ ଆପଣ ଆପଣ ବାହାହୋଇ ଘରଣୀଟିଏ ଆଣିଲେ, ସେ ଆପଣଙ୍କୁ ରାନ୍ଧି-ବାଢି ଖୁଆଇବ ଓ ଆମ ଖାଇବା ପିଇବା ଯତ୍ନନେବ l”
ବାଧ୍ୟହୋଇ ଗାଈ, ବିଲେଇ ପାଇଁ ପତ୍ନୀ ଗ୍ରହଣକଲେ -ସାଧୁ । କିଛିଦିନ ପରେ ପତ୍ନୀ ଜିଦିଧରି କହିଲେ..” ହେ ନାଥ ! କିଆଁ ତମେ ହେଉଥିଲ ବାହା, ଯେବେ ମତେ କରିନପାରିବ ମାଆ?
ଶାସ୍ତ୍ର କହୁଛି, ମୁନି ସିନା ବାହା ହୁଅନ୍ତିନି, ହେଲେ ଋଷି ତ ବାହା ହୁଅନ୍ତି.. ପିଲା-ଛୁଆ ବି କରନ୍ତି । ତେଣୁ ତମେ ବାପା ହେବାରେ ଅସୁବିଧା କେଉଁଠି?” ବିଚରା ଇଚ୍ଛା ନଥିଲେବି ବାଧ୍ୟରେ ବ୍ରହ୍ମଚାରିଆ ସାଧୁ ବାହାହୋଇ ବାପାହେଲେ ।
ସାଧୁପତ୍ନୀ କହିଲେ.. “ଯା ହେଉ, ଏବେ କାମିନୀରୁ ଜନନୀ ହୋଇ ନାରୀଜନ୍ମ ମୋର ସାର୍ଥକହେଲା । ପିଲାଟି ବଡ଼ହେବାରୁ ତା’ ପାଠପଢ଼ା ପାଇଁ ଗୋଟାଏ ମାଷ୍ଟର ଯୋଗାଡ଼କରି ରଖିବାକୁ ସାଧୁଙ୍କୁ ବାଧ୍ୟକଲେ ପତ୍ନୀ । ତେଣୁ ଶିକ୍ଷିତ ଯୁବକଟିଏ ଯୋଗାଡ଼ କରି ପିଲାକୁ ପଢେଇବାକୁ ଆଣି ଆଶ୍ରମରେ ରଖାଗଲା ।
ଧୀରେ ଧୀରେ ଯୁବକଟି ପାଠ ପଢାଉ ପଢାଉ ବୟସ ଦୋଷରୁ ସାଧୁଙ୍କ ପତ୍ନୀ ସହ ଭିତିରିଆ ଭାବ ବଢ଼େଇ, ତାଙ୍କୁ ଧରି ଦିନେ କୁଆଡେ ଫେରାର ହୋଇଗଲେ । ବିଚରା ସାଧୁ ପତ୍ନୀହରାକୁ ପିଲା ମା ‘ଛେଉଣ୍ଡ ହୋଇଯିବା ଦେଖି କିଛି ହିତାକାଂକ୍ଷୀ ତାଙ୍କୁ ଥାନା, କୋର୍ଟ-କଚେରୀ ଯିବାକୁ ବୁଦ୍ଧି ବତେଇଲେ । ସେଇ ବୈରାଗୀ ତଥା ସଂସାରିଆ ସାଧୁ ଧ୍ୟାନ ତପସ୍ୟା ଛାଡ଼ି, ବାରମ୍ବାର ଥାନା କଚେରୀ କି ଧାଇଁବା ଦେଖି ବୁଦ୍ଧି ବତେଇଥିବା କେଇଜଣ ହେଁ ହେଁ ହେଇ ହସି ତାଙ୍କ ମଜା ଉଡେଇ ତାତ୍ସଲ୍ୟରେ କହିଲେ।
“ଆହେ ସାଧୁ ! ତମରପୁଣି କୋର୍ଟ କଚେରୀରେ କି କାମ କିହୋ ? ସେପଟେ ବିରହ ବେଦନାକୁ, ଏମାନଙ୍କ ଅଟ୍ଟହାସ୍ୟ କଟା ଘା’ରେ ଲୁଣ ମାଡିଦେଲା ଭଳିଆ ଲାଗିଲା l
ସେଇଠୁ ବିରକ୍ତହୋଇ ଏମିତି ବୈରାଗ୍ୟ ତାଙ୍କ ଭିତରେ ଧସେଇ ପଶିଲା ଯେ, ଆପଣା ପିଲାକୁ କଚେରୀ ବାରଣ୍ଡାରେ ଛାଡ଼ି ସାଧୁ, ପରେ ପିନ୍ଧୁଥିବା ବହୁ ବସ୍ତ୍ର ବେଶ ଫୋପାଡ଼ି, ପୁଣି ଦି’ଖଣ୍ଡ କୌପୁନି ଯୋଗାଡ଼ି କୁଆଡେ ଧାଇଁ ପଳେଇ ଅଦୃଶ୍ୟ ହୋଇଗଲେ !
ଆଜ୍ଞା, ସିଏ ସିନା ସନ୍ନ୍ୟାସୀରୁ ସଂସାରୀ ପୁଣି ସଂସାରୀରୁ ସନ୍ନ୍ୟାସୀ ହୋଇଗଲେ। ମାତ୍ର ଏ ଦୁନିଆଁରେ ଅଧିକାଂଶ କାମନା-ବାସନରେ ବୁଡ଼ିଥିବା ଘୋର ସଂସାରୀ, ଅବସ୍ଥାଚକ୍ରରେ ପଡ଼ି ବାଧ୍ୟରେ ବୈରାଗୀ ପାଲଟିଯାଉଛନ୍ତି !
ଆପଣାର ପତ୍ନୀ, ପିଲା ପରିବାର, ଘର ଥାଇବି, ନିଜର ଅଧିକାରରୁ ବଞ୍ଚିତ ହୋଇଯାଉଛନ୍ତି… ଯେମିତି ବନ୍ଧୁ-ଚରଣ ଦାସଙ୍କ ଜୀବନ !
ଚରଣ ଦାସେ ଚାକିରୀ ଖଣ୍ଡେ କରି, ସୁଧାରିଆ ସରଳିଆ ପତ୍ନୀ ଚାରୁଲତାଙ୍କୁ ଧରି ଅତି ସାଦା-ସିଧା ଜୀବନ ଜୀଉଁଥିଲେ । ମାତ୍ର ଗଲା ତିନି ବରଷ ତଳେ ହଠାତ ତାଙ୍କ ଶ୍ୟାଳକ ଓ ଶଳା-ଭାଉଜଙ୍କ ଆଗମନରେ ତଥା ତାଙ୍କ ହିତ ପରାମର୍ଶରେ, ଜୀବନର ଗତିପଥ ବଦଳିଗଲା । ସେମାନେ ବୁଝେଇ ଦେଲେ। ଯେଉଁ ଘରେ ଆଜିକାଲି ସାଇକେଲ ଅଛି -ମଟରସାଇକେଲ ନାହିଁ, ଶିଳ ଅଛି -ଗ୍ରାଇଣ୍ଡର ନାହିଁ। ଫ୍ୟାନ ଅଛି-ଏସି ନାହିଁ, ପରିବା ଅଛି -ଫ୍ରିଜ ନାହିଁ, ଫୋନ ଜାଗାରେ ସ୍ମାର୍ଟଫୋନ ନାହିଁ। ରେଡ଼ିଓ ଜାଗାରେ ଏଲଇଡ଼ି ଟିଭି ନାହିଁ, ସେମାନଙ୍କୁ ମଣିଷ ବା ସାମାଜିକ ପ୍ରାଣୀ କୁହାଯିବ ନାହିଁ । ତାଙ୍କୁ ଦରିଦ୍ର -ମୂର୍ଖ -ନିର୍ବୁଦ୍ଧିଆ ପଛୁଆ ବୋଲି ଧରାଯାଏ । ଛି ଛି ! ଆମକୁ ଏଠାକୁ ଆସିବାକୁ ଲଜ୍ଜା ଲାଗୁଛି । ତାଙ୍କ କଥାର ବାଣାଘାତରେ ଏତେ ପାୱାର ଥିଲାଯେ, ଚାରୁଦେବୀ ପତିଙ୍କୁ ଚେତେଇଦେଲେ.. ସେଇ ବରଷ ପୂଜା ଅଫର ରିହାତି ମୂଲ୍ୟରେ ମିଳୁଥିବା ଏଇସବୁ ଘରକରଣା ତଥା ସୌଖିନ ଜିନିଷ ନ କିଣିଲେ, ସେ ଆଉ ତାଙ୍କ ପାଖରେ ରହିପାରିବେନି। କେମିତି ହାତରେ ରାନ୍ଧି ଏକୁଟିଆ ଚଳିବ ଚଳୁଥା ! ବିଚରା ଚରଣ ବାବୁ, ଏକମାତ୍ର ପତ୍ନୀ-ଚାରୁଙ୍କ କଥାରେ ତଥା ଶ୍ୟାଳକଙ୍କ ବୁଦ୍ଧିରେ ଜିପିଏଫ ଫଣ୍ଡରୁ ଲୋନ ଉଠେଇ ଏସବୁ ସାମଗ୍ରୀ ଅଢେଇ ଲକ୍ଷ ଟଙ୍କାରେ ମରିପଡି କଣିଲେ । ପୂଜା-ଅଫର ଡ଼ିସକାଉଣ୍ଟରେ କୁଆଡେ କୋଡ଼ିଏ ହଜାର ଟଙ୍କା ଫାଇଦା ପାଇଲେ ବୋଲି ଶ୍ୟାଳକ ମହାଶୟ ହିସାବ କରି ବୁଝେଇଦେଇଥିଲେ । ହେଲେ ପବନଖାଇ ଚାଲୁଥିବା ତାଙ୍କ ସାଇକେଲ ଜାଗାରେ ଚଢା ମୂଲ୍ୟର ପେଟ୍ରୋଲ ପିଇ ଗାଡ଼ି ଚାଲିଲା l
ଏତେ ଜିନିଷ ଘରେ ଚାଲିବାରୁ, ମୋଟା ଇଲେକ୍ଟ୍ରି ବିଲ ପ୍ରତି ମାସରେ ଦେବାକୁ ପଡିଲା। କେତେବେଳେ ଫ୍ରିଜ ତ କେତେବେଳେ ଏସି, ପୁଣି କେବେ ୱାସିଂ ମେସିନ ତ କେବେ ଗ୍ରାଇଣ୍ଡର ଖରାପ ହୋଇ ଢ଼େରେ ଢ଼େରେ ଟଙ୍କା ମରାମତି କରିବାପାଇଁ ଝାଡ଼ି ହୋଇଗଲା ।
ତା’ଠୁ ବେଶି ଦୁଃଖ.. ଖରାଦିନେ ଏସିର ଥଣ୍ଡାପବନ ଖାଇବାକୁ ଆପଣା ବେଡ଼ରୁମରେ ପଡୋଶୀ ଦିନସାରା ଭିଡ ଜମେଇଲେ । ଛୁଟିଦିନରେ ଚରଣବାବୁଙ୍କୁ ଖରା ଗରମରେ ବାରଣ୍ଡାରେ ବସି -ଶୋଇବାକୁ ପଡିଲା ।
ଏହାଠୁ ବଳକା ଦୁଃଖ.. ଘରଣୀ ଓ ଚରଣବାବୁ ସ୍ମାର୍ଟ ଫୋନ ବ୍ୟବହାର କଲାଦିନରୁ ପରସ୍ପରଙ୍କୁ ସନ୍ଦେହ କରିବା । ଏଣିକି ଏକ କୋଠରୀ ଏକ ଖଟରେ ବିତାଉଥିବା ଜୀବନର ସମ୍ପର୍କ ଭିତରେ ବ୍ୟବଧାନ ଅନେକ l ପତ୍ନୀ ଆଗପରି ଆଉ ତାଙ୍କ ସହ କଥା ନହୋଇ ଫୋନରେ କାହା କାହା ସହ ଗପିବାକୁ। ଭିଡିଓ କଲ କରିବାକୁ ଅଧିକ ସୁଖ ମଣୁଥିଲେ । ପତ୍ନୀ ଆଉ ପତିଙ୍କୁ ଚା’ପତିରେ କପେ ଚା’ ପାଇବାକୁ ସମୟ ନଥିଲାବେଳେ, କୋଉ ଅଜଣା ଅଶୁଣା ଫୋନ ବନ୍ଧୁଙ୍କୁ ଘରକୁ ନିମନ୍ତ୍ରଣକରି, ଦାମୀ ଡ଼ିସରେ ସୁଆଦିଆ ଭୋଜନ ଖୁଆଇବାରେ ଭାରି ଆନନ୍ଦ ପାଉଥିଲେ । ଏମିତି କରି ଚାରୁଦେବୀଙ୍କ ଚନ୍ଦ୍ରବଦନରୁ ଯେତିକି ହସ ଝରୁଥିଲା, ତାଠୁ ଅଧିକ ଅଦୃଶ୍ୟ ଲୁହ ଝରୁଥିଲା ଚରଣବାବୁଙ୍କ ଆଖିରୁ । ଆହା.. ଏମିତି ସୌଖିନ ସୁଖ ନାଁ ରେ କେମିତି ଅଧିକାଂଶ ପରିବାରରୁ ଶାନ୍ତି ମରିଯାଉଛି, ସାତଜନମ ସାଥୀ କେଉଁଠି ସାତମାସ କି ସାତ ବର୍ଷରେ ଧୂଳିସାତ । ହୋଇଯାଉଛି । ଏଣିକି ଘରକୁ ଫେରିଲେ, ସେ ଦେଖୁଥିଲେ ଅପରିଚିତ ଅନେକ ବନ୍ଧୁମାନେ ତାଙ୍କ ଘରେ ପଶି, ଯେମିତି ତାଙ୍କ ଅଧିକାର ଛଡେଇନେଉଛନ୍ତି, ଯାହା ଅନ୍ତର୍ଦାହକୁ ବହୁଗୁଣିତ କରୁଥିଲା । ସେ ଆଉ ଆଗପରି ସଅଳ ନଫେରି ବିଳମ୍ବରେ ଫେରିଲେ । ତୁଣ୍ଡ ଖୋଲିଲେ, ଆଇନି ବଳରେ ମୁଣ୍ଡକାଟିବାର ଭୟ । ସବୁ ଥାଇବି, ଯେମିତି ତାଙ୍କର ବୋଲି କିଛି ନଥିଲା । ତାଙ୍କ ଆଖି ଆଗରେ ତାଙ୍କ ହାତଗଢ଼ା ସୁନ୍ଦର ସଂସାର ଦୟନୀୟ ଭାବରେ ଧ୍ୱଂସ ହୋଇଯାଉଥିଲା ।
ସତେ ଯେମିତି ଏଇ ଆଧୁନିକତା ବିଧିବଦ୍ଧ ଭାବରେ ଯୋଜନା ତିଆରି କରିସାରିଥିଲା ନିଜ ଭିତର ବୈରାଗ୍ୟ ଭାବକୁ । ଏମିତି ଜୀଇଁବାଠାରୁ ବାଧ୍ୟରେ ବାଡୁଅ ରହି କୌପିନ ପିନ୍ଧା ବ୍ରହ୍ମଚାରୀ ହେବା ଢ଼େରେ ଭଲ…।
ଏଇଥି ପାଇଁ ଯେ, ଆପଣା ପ୍ରିୟଜନ.. ପ୍ରିୟବସ୍ତୁ, ଅନ୍ୟର ଉପଭୋଗ୍ୟ ହେବା.. ଆଖିରେ ଦେଖିବାଠାରୁ…!
Comments are closed.